ସୁନ୍ଦରଗଡର “ଗଛ ମଣିଷ”ଙ୍କୁ ସମ୍ମାନିତ କଲା ଜିଲ୍ଲା ପ୍ରଶାସନ…

ସୁନ୍ଦରଗଡ଼  :  ବଣ ପାହାଡ ଘେରା ତିନିକୁଡା ଗାଁ , ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମେଘଡେଗା ଗ୍ରାମ ପଞ୍ଚାୟତର ଏକ ରାଜସ୍ୱ ଗ୍ରାମ। ଏହି ତିନିକୁଡା ଗାଁର ଜଣେ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ସୁବାସ କୁମାର ସା । ସୁନ୍ଦରଗଡର ଗଛ ମଣିଷ ଭାବରେ ପରିଚିତ ସୁବାସ କୁମାର ସା ନିଜର ୨ ଏକର ରୟତି ଜମିରେ ନିଜସ୍ଵ ପାଣ୍ଠିରେ ଜଙ୍ଗଲ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ସହରୀକରଣ ଓ ଉଗ୍ର ଆଧୁନିକତାର କବଳରେ ଛନ୍ଦି ହୋଇ ମଣିଷ ଅନବରତ ଗଛ କାଟୁଥିବା ବେଳେ ଗଛ ଲଗାଇବାର ଅଦମ୍ୟ ଆଗ୍ରହ ଓ ନିଶା ପାଇଁ ଆଜିର ଯୁବପିଢି ପାଇଁ ଏକ ଦୃଷ୍ଟାନ୍ତ ସାଜିଛନ୍ତି ସୁବାସ କୁମାର ସା।

ଏହି ନିଆରା ପ୍ରକୃତି ପ୍ରେମୀ ସୁବାସ କୁମାର ସା ହେଉଛନ୍ତି ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଳପୁର ବନାଞ୍ଚଳର ତିନିକୁଡା ବନ ସୁରକ୍ଷା ସମିତିର ସକ୍ରିୟ ସଦସ୍ୟ। ୩୮ ବର୍ଷ ବୟସ୍କ ସୁବାସ ନବମ ଶ୍ରେଣୀ ପଢିବା ପରେ ତାଙ୍କ ପାଠ ପଢାରେ ଡୋରୀ ବନ୍ଧା ହୋଇଥିଲା। ୧୯୮୫-୮୬ ମସିହାରେ ତିନିକୁଡା ଗ୍ରାମବାସୀ ଜଙ୍ଗଲ ସୁରକ୍ଷା ନିମନ୍ତେ ସଙ୍ଘବଦ୍ଧ ହୋଇ ବନ ସୁରକ୍ଷା ସମିତି ଗଠନ କରିଥିଲେ। ସୁବାସଙ୍କ ବାପା ଗଜାଧର ସା ଏଥିରେ ନେତୃତ୍ଵ ନେଇ ଜଙ୍ଗଲ ସୁରକ୍ଷା ସଙ୍ଗେ ସଙ୍ଗେ ନିଜେ ବୃକ୍ଷରୋପଣ କରିବା ନିମନ୍ତେ ସଚେତନ କରୁଥିଲେ। ବାପାଙ୍କର ଏହି ଉଦ୍ୟମରୁ ପ୍ରେରଣା ପାଇ ପିଲାଟି ଦିନରୁ ବୃକ୍ଷରୋପଣର ନିଶା ସୁବାସଙ୍କୁ ଏକପ୍ରକାର ପାଗଳ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ବିନା ସରକାରୀ ପ୍ରୋତ୍ସାହନରେ ସେ ନିଜ ଉଦ୍ୟମରେ ନିଜସ୍ଵ ୨ ଏକର ରୟତି ଜମିରେ ଶାଳ, ବୀଜା, ମହୁଲ, ଚାର, କରଳା ଇତ୍ୟାଦି ଏକ ହଜାରରୁ ଉର୍ଦ୍ଧ ଜଙ୍ଗଲିଗଛ ଲଗାଇ ଏକ ନୂତନ ଜଙ୍ଗଲ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ସୁବାସ। ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ତରଫରୁ ସହଯୋଗୀ ଅନୁଷ୍ଠାନ “ସେବକ” ର ସହଯୋଗ କ୍ରମେ ଏକାଭିମୁଖୀତା କାର୍ଯ୍ୟକ୍ରମ ମାଧ୍ୟମରେ ବାଇଗଣ ମଞ୍ଜି, କୁକୁଡା ଘର ଓ ଗ୍ଯାସ ସଂଯୋଗ ପାଇଥିବା ସୁବାସ ବର୍ତ୍ତମାନ ପୁଣି ୨ ଏକର ଜମିରେ ବୃକ୍ଷରୋପଣ କରିବା ନିମନ୍ତେ ଅଣ୍ଟା ଭିଡିଛନ୍ତି। ଆଜି ସୁନ୍ଦରଗଡ ଜିଲ୍ଲାସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସୁନ୍ଦରଗଡର ଏହି ଗଛ ମଣିଷ ସୁବାସ କୁମାର ସାଙ୍କୁ ସ୍ଵତନ୍ତ୍ର ଭାବରେ ସମ୍ମାନିତ କରିଛନ୍ତି। ଆଜି ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ସୁବାସଙ୍କୁ ମାନପତ୍ର ଓ ସମ୍ମାନ ସ୍ମାରକ ଦେଇ ପୁରସ୍କୃତ କରିଛନ୍ତି। ସୁବାସ ଏହି ସମ୍ମାନ ପାଇଁ ସୁନ୍ଦରଗଡ ବନଖଣ୍ଡ ଅଧିକାରୀ, ତିନିକୁଡା ବନ ସୁରକ୍ଷା ସମିତି ତଥା ସହଯୋଗୀ ଅନୁଷ୍ଠାନ ସେବକର କର୍ମକର୍ତ୍ତାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

nis-ad
Leave A Reply

Your email address will not be published.