ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

‘‘ଓଡ଼ିଶାର ସାମଗ୍ରିକ ବିକାଶରେ ସୁନ୍ଦରଗଡ଼ ଜିଲ୍ଲାର ରହିଛି ବିଶେଷ ଅବଦାନ’’ – ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ

‘‘କ୍ରୀଡ଼ା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ଆଜି ଓଡ଼ିଶା ପାଇଁ ଆଣିଦେଇଛି ସ୍ୱତନ୍ତ୍ର ପରିଚୟ’’ – ମାନ୍ୟବର ମନ୍ତ୍ରୀ

ସୁନ୍ଦରଗଡ଼, ୨୬ ଜାନୁଆରି ୨୦୨୩: ସୁନ୍ଦରଗଡ଼ସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଭାରତର ସ୍ଵାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ମହାମନିଷୀ ଓ ସମ୍ବିଧାନ ସଭାର ଅଧ୍ୟକ୍ଷ ଏବଂ ସମସ୍ତ ସଦସ୍ୟ/ସଦସ୍ୟାମାନଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଭାରତର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ତଥା ସୁନ୍ଦରଗଡ଼ ଜିଲ୍ଲାର ଅବଦାନ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ କହିଥିଲେ। ବିର୍ସା ମୁଣ୍ଡା, ନିର୍ମଳ ମୁଣ୍ଡା, ଦ୍ୱାରିକାନାଥ କୁସୁମ, ବଳଭଦ୍ର ତନ୍ତି, ଧନଞ୍ଜୟ ମହାନ୍ତି, ଚିରଞ୍ଜିଲାଲ୍ ଶର୍ମା, ଶଶିଭୂଷଣ ପାଣିଗ୍ରାହୀ, ଗଙ୍ଗା ସିଂହ ଏବଂ ଫତେ ଚାନ୍ଦଙ୍କ ଭଳି ପ୍ରମୁଖ ସଂଗ୍ରାମୀଙ୍କୁ ସ୍ମରଣ କରିଥିଲେ।

ସାଧାରଣତନ୍ତ୍ର ଦିବସରେ ଉଦବୋଧନ ଦେଇ ମାନ୍ୟବର ମନ୍ତ୍ରୀ କହିଥିଲେ, ‘‘ଓଡ଼ିଶାର ସାମଗ୍ରିକ ବିକାଶରେ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ବିଶେଷ ଅବଦାନ ରହିଛି। ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶା ପାଇଁ ବିଶେଷ ପରିଚୟ ଆଣିପାରିଛି। ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ଅବଦାନକୁ ସମ୍ମାନ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସହ ରାଉରକେଲାରେ ହକି ବିଶ୍ୱକପ୍ ଆୟୋଜନ କରିଛନ୍ତି।’’

ମାନ୍ୟବର ମନ୍ତ୍ରୀ ଆହୁରି କହିଥିଲେ ଯେ, ‘‘ଓଡ଼ିଶା ଆଜି ପ୍ରଗତି ପଥରେ ଅଗ୍ରସର ହେଉଛି। ଓଡ଼ିଶାବାସୀଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ମହିଳା ଓ ଶିଶୁ, ଯୁବବର୍ଗ, କ୍ରୀଡ଼ାବିତ, କୃଷକ, ନିର୍ମାଣ ଶ୍ରମିକ, ଜନଜାତି, ବୟସ୍କ ଏବଂ ଅସହାୟମାନଙ୍କ ଜୀବନ ଜୀବିକାରେ ବିଶେଷ ପରିବର୍ତ୍ତନ ଆଣିବାରେ ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ଅନ୍ୟ ରାଜ୍ୟମାନଙ୍କ ଦ୍ୱାରା ଅନୁକରଣୀୟ ହୋଇପାରିଛି।’’

‘‘ମିଶନ ଶକ୍ତି ଏକ ସ୍ଲୋଗାନ ନୁହେଁ, ଏହା ହେଉଛି ମା’ମାନଙ୍କର ଜୀବନଧାରା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଯୋଗ୍ୟ ବିବେଚିତ ଅଢ଼େଇ ଲକ୍ଷ ମିଶନ ଶକ୍ତି ଗ୍ରୁପ୍ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୨୫ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ବିଭିନ୍ନ ଖେଳ ଓ ଖେଳାଳିମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବା ସହ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଇଛି। ଦକ୍ଷ ଶିଳ୍ପନୀତି ଓ ବ୍ୟବସାୟ ଅନୁକୂଳ ପରିବେଶ ପାଇଁ ଓଡ଼ିଶା ଆଜି ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି’’, ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ନିଜ ଅଭିଭାଷଣରେ କହିଥିଲେ I

ଜିଲ୍ଲା ସ୍ତରୀୟ ପ୍ୟାରେଡ କାର୍ଯ୍ୟକ୍ରମରେ ୩୨ଟି ଦଳ ଭାଗ ନେଇଥିଲେ। ଜିଲ୍ଲା ରିଜର୍ଭ ପୋଲିସ ବାହିନୀର ହୋମଗାର୍ଡ ସହିତ ବିଭିନ୍ନ ସ୍କୁଲ, କଲେଜର ଏନସିସି, ସ୍କାଉଟ୍ ଗାଇଡ୍, ଜୁନିୟର ରେଡକ୍ରସ୍, ସିଭିଲିୟାନ ଦଳ ଭାଗ ନେଇଥିଲେ। ପ୍ୟାରେଡ ରେ ଭାଗ ନେଇଥିବା ସେଣ୍ଟ ମେରି ବାଳିକା ଉଚ୍ଚ ବିଦ୍ୟାଳୟର ଏନସିସି, ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ସ୍କାଉଟ ଗାଇଡ, ଭବାନୀ ଶଙ୍କର ଉଚ୍ଚବିଦ୍ୟାଳୟର ଜୁନିୟର ରେଡକ୍ରସ୍ ଏବଂ ସେଣ୍ଟ ଥେରେସା ପବ୍ଲିକ ସ୍କୁଲର ସିଭିଲିୟାନ ଦଳକୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପୂର୍ବରୁ ବିଭିନ୍ନ କଲେଜ ଓ ସ୍କୁଲ ସ୍ତରରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହ ଜଙ୍ଗଲ ସୁରକ୍ଷା ପାଇଁ ବୃକ୍ଷରୋପଣ କରିଥିବା ୫ ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସୁନ୍ଦରଗଡ଼ ଉତ୍କଳ କରାଟେ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ସମାରୋହରେ ବିଭିନ୍ନ ଶାରୀରିକ ଜ୍ଞାନ କୌଶଳ ପ୍ରଦର୍ଶନ କରିଥିଲେ।

ଏହାପରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଘଡ଼ାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ସେହିପରି ଜିଲ୍ଲା କାରାଗାର ଏବଂ ଆସ୍ଥା ଗୃହର ଅନ୍ତେବାସୀମାନଙ୍କୁ ମିଠା ଓ ଫଳ ବଣ୍ଟନ କରିଥିଲେ।

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରପାଳିକା ଉପାଧ୍ୟକ୍ଷା ଶ୍ରୀ ଲଲାଟେନ୍ଦୁ ପରିଡ଼ା, ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ମିରାସେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବି ନାରାୟଣ ସାହୁ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶରଥି ସରାବୁ, ଅତିରିକ୍ତ ଏସପି ଶ୍ରୀଯୁକ୍ତ ସୁରେନ୍ଦ୍ର ମାଝି, ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ପଧାନ ପ୍ରମୁଖ ଯୋଗ ଦେଇଥିଲେ। ଡକ୍ଟର ଅନନ୍ତ ଆଚାର୍ଯ୍ୟ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ସହରରେ ସକାଳୁ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ୍ ପରିବେଷଣ କରାଯାଇଥିଲା। ଏହା ସହିତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଭାତ ଫେରି କରାଯାଇଥିଲା। ସହରର ମୁଖ୍ୟ ଛକମାନଙ୍କରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ସେହିପରି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ରବି ନାରାୟଣ ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସେହିପରି ସୁନ୍ଦରଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

nis-ad
Leave A Reply

Your email address will not be published.