୧ ଫେବ୍ରୁଆରୀରୁ ତୋଷାଳି ମେଳା…

ଭୁବନେଶ୍ୱର : ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପର ବିଶାଳ ମହୋତ୍ସବ ୧୭ତମ ତୋଷାଳି ମେଳା ଆସନ୍ତା ଫେବ୍ରୁଆରୀ ୧ରୁ ଆରମ୍ଭ ହେବାକୁ ଯାଉଛି । ସବୁଥର ପରି ଏଥର ମଧ୍ୟ ଜନତା ମଇଦାନଠାରେ ଅନୁଷ୍ଠିତ ହେବ ଏହି ଜାତୀୟ ହସ୍ତଶିଳ୍ପ ମେଳା । ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ଏବଂ ବୟନ ଶିଳ୍ପ ମନ୍ତ୍ରଣାଳୟ ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ କମିଶନର ସହାୟତାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏହା ଆୟୋଜିତ ହେଉଛି । ଏଥର କରୋନା କଟକଣା ନଥିବାରୁ ମେଳାକୁ ବଡ଼ ଆକାରରେ ଆୟୋଜନ କରାଯାଉଛି । ଯାହା ଫେବ୍ରୁଆରୀ ୧ରୁ ୧୨ ତାରିଖ ପର‌୍ୟ୍ୟନ୍ତ ଚାଲିବ । ପ୍ରତ୍ୟହ ଅପରାହ୍ଣ ସାଢ଼େ ୨ଟାରୁ ରାତି ସାଢ଼େ ୯ଟା ପର‌୍ୟ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ମେଳା ଖୋଲା ରହିବ ।

ସିଡାକ୍ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୪୦୦ରୁ ଅଧିକ ହସ୍ତଶିଳ୍ପ ଷ୍ଟଲ୍ ଖୋଲିବ । ଯେଉଁଠି ଓଡ଼ିଶା ଏବଂ ଓଡ଼ିଶା ବାହାରର ପାରମ୍ପରିକ କଳା, କାରିଗରୀର ଚମକ ଦେଖିବାକୁ ମିଳିବ । ସେହିପରି ୨୫୦ରୁ ଅଧିକ ହସ୍ତତନ୍ତ ଷ୍ଟଲ୍‌ରେ ବୁଣାକାରମାନଙ୍କ ଯାଦୁକରୀ ହାତର ସ୍ପର୍ଶରେ ପ୍ରସ୍ତୁତ ସାରା ଦେଶର ବିଭିନ୍ନ ବୟନ କଳା ପ୍ରଦର୍ଶିତ ଓ ବିକ୍ରି ହେବ । ଏଥିସହ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ଉନ୍ନତ ଓ ଗୁଣାତ୍ମକ ଖାଦ୍ୟ ପରଷିବାକୁ ୨୦ରୁ ଅଧିକ ଖାଦ୍ୟ ଷ୍ଟଲ୍ ଖୋଲାଯିବ । ଯାହାର ମଜା ଦର୍ଶକ ନେଇପାରିବେ । ଓଡ଼ିଆ ପିଠା, ମିଠାଠୁ ଆରମ୍ଭ କରି ଅନେକ ପ୍ରକାରର ଖାଦ୍ୟ ମିଳିବ । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଳା, କଳାକାର, ବୁଣାକାର, କାରିଗର ଏବଂ ସର୍ବସାଧାରଣ, କଳାପ୍ରେମୀ ତଥା ଗ୍ରାହକଙ୍କ ମଧ୍ୟରେ କେବଳ ବିନିମୟ ହେବନି ବରଂ ଏକ ପ୍ରକାରର ମିଳନ ହେବ । ଏହା ବୁଣାକାର ଏବଂ କାରିଗରଙ୍କ ମଧ୍ୟରେ ସାଂସ୍କୃତିକ ଏକତାକୁ ଆହୁରି ଅଧିକ ସମୃଦ୍ଧ କରିପାରିବ ।

ଏଥର ବି ମେଳାରେ ଥିମ୍ ପାଭିଲିଅନ୍ ରହିବ । ଯେଉଁଠାରେ କୌଣସି ଏକ ହସ୍ତଶିଳ୍ପ କିମ୍ବା ହସ୍ତତନ୍ତକୁ ନେଇ ସ୍ୱତନ୍ତ୍ର ବିଷୟ ପ୍ରଦର୍ଶିତ ହେବ । ଏହା ମେଳାର ଅନ୍ୟତମ ଏବଂ ମୁଖ୍ୟ ଆକର୍ଷଣ ହେବ । ମୁଖଶାଳାଠୁ ଷ୍ଟଲ୍ ପର‌୍ୟ୍ୟନ୍ତ ସବୁକୁ ପାରମ୍ପରିକ ଛାପ ଦିଆଯିବ । ଉଚ୍ଚକୋଟୀର ସାଜସଜା ହେବ । ଯାହା ଅଧିକ ମାତ୍ରାରେ ଆକର୍ଷଣୀୟ ହେବ ।

ଦର୍ଶକଙ୍କ ମନୋରଞ୍ଜନ ପାଇଁ ସନ୍ଧ୍ୟାରେ ଧୁଡୁକି, କେନ୍ଦରା, ଦାଶକାଠିଆ, ପାଲା, କୀର୍ତ୍ତନ ଏବଂ ସ୍ଥାନୀୟ ଲୋକନୃତ୍ୟ ଭଳି ବିଭିନ୍ନ ପାରମ୍ପରିକ ଓ ଆଧୁନିକ ନୃତ୍ୟ, ସଙ୍ଗୀତ ସାଂସ୍କୃତିକ କାର‌୍ୟ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ବାହାରୁ ଷ୍ଟାର୍‌ମାନଙ୍କୁ ନିମନ୍ତ୍ରଣ କରିବାର ମଧ୍ୟ ଯୋଜନା ରହିଛି । ପାର୍କିଂ, ପରିମଳ, ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ପୁଲିସ୍‌, ଦମକଳ ବାହିନୀ, ନିରାପତ୍ତା ସହାୟତା, ପ୍ରାଥମିକ ଚିକିତ୍ସା ସେବା, ଆମ୍ବୁଲାନ୍ସ ସେବା, ଏଟିଏମ୍ କାଉଣ୍ଟର, ଅସ୍ଥାୟୀ ଶୌଚାଳୟ, ସୁଜଳର ବ୍ୟବସ୍ଥା ମଧ୍ୟ ରହିବ । ଏଥର ଅଧିକ ଲୋକଙ୍କ ସମାଗମ ହେବା ସାଙ୍ଗକୁ ଭଲ ବିକ୍ରିବଟା ହେବ ବୋଲି ଆୟୋଜନ ସଂସ୍ଥା ଆଶା ରଖିଛି।

nis-ad
Leave A Reply

Your email address will not be published.