ବହୁଚର୍ଚ୍ଚିତ ରାମ ପାଢୀ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୧୦ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ..

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମର ବହୁଚର୍ଚ୍ଚିତ ରାମଚରଣ ପାଢୀ ହତ୍ୟା ମାମଲାର ଆଜି ଏଡିଜେ-୩ ଡ଼. ଇନ୍ଦୁ ଶର୍ମା ଶୁଣାଣି କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଜଜ୍ ୧୦ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେମାନେ ହେଲେ କଙ୍ଗାରୁ ଭୂୟାଁ, ଯୁଧିଷ୍ଠୀର ବିଷୋୟୀ, ମୂରଲୀ ବିଷୋୟୀ, ଶରତ ମୁଦୁଲି, ସୁଶାନ୍ତ ବିଷୋୟୀ, ଅରୁଣ ବେହେରା, ବଂଶୀ ବିଷୋୟୀ, ବନମାଳି ପ୍ରଧାନ, ଚନ୍ଦନ ଦେହୁରୀ ଓ ସନ୍ତୋଷ ମହାନ୍ତି । ଏହି ଘଟଣାରେ ଅଭିଯୁକ୍ତ ଥିବା କାଳିଆ ରେଡ୍ଡୀ ନାମକ ଜଣେ ଯୁବକ ବର୍ତ୍ତମାନ ସୁଦ୍ଧା ଫେରାର ରହିଛି । କୋର୍ଟ ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ଜାରି କରିଛନ୍ତି । ଏହା ସହ ଉକ୍ତ ଘଟଣାର ମୁଖ୍ୟ ଷଢଯନ୍ତ୍ରକାରୀ କୁହାଯାଉଥିବା ପ୍ରଦୀପ ବିଷୋୟୀଙ୍କ ୨୦୨୧ ନଭେମ୍ବର ୫ ତାରିଖରେ ହତ୍ୟା କରାଯାଇଥିଲା । ସୂଚନାଯୋଗ୍ୟ ଯେ ବନ୍ଥପଲ୍ଳୀ ଗ୍ରାମରେ ପ୍ରଦୀପ ବିଷୋୟୀଙ୍କ ଏକ ଗୋଷ୍ଠୀର ରହିଥିବା ବେଳେ ମୃତ ରାମଚରଣ ପାଢୀଙ୍କ ଏକ ଗୋଷ୍ଠୀ ରହିଥିଲା । ବିଭିନ୍ନ କାରଣଙ୍କୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ଲାଗି ରହିଥିଲା । ଗତ ୨୦୧୨ ଫେବୃୟାରୀ ୨୬ ତାରିଖରେ ବନ୍ଥପଲ୍ଳୀ ଗ୍ରାମର ସୀମାଞ୍ଚଳ ସ୍ୱାଇଁଙ୍କ ବିବାହ ହେଉଥିଲା । ଏଥିରେ ରାମଚରଣ ପାଢୀ ବରଯାତ୍ରୀରେ ଯୋଗ ଦେଇଥିଲେ । ଏହି ସମୟରେ ପ୍ରଦୀପଙ୍କ ଗୋଷ୍ଠୀ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରି ଅତର୍କିତ ଭାବେ ରାମପାଢୀଙ୍କୁ ଏକ ଖଣ୍ଡାରେ ଆକ୍ରକଣ କରିବାକୁ ଚେଷ୍ଟା କରିଥିଲେ ।

ଖବର ପାଇ ରାମ ପାଢୀ ଦୌଡି ପଳାଇବାରୁ ଜଣେ ଦୁର୍ବୁତ ତାଙ୍କୁ ଲକ୍ଷ କରି ଗୁଳି ଚାଳନା କରିଥିଲେ । କିନ୍ତୁ ଗୁଳିଟି ରାମଙ୍କୁ ବାଜିବା ବଦଳରେ ତାଙ୍କ ନିକଟରେ ଥିବା ଯୋଗୀ ରାଉତଙ୍କ ପେଟରେ ବାଜିଥିଲା । ଯାହାଫଳରେ ଯୋଗୀ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହି ସମୟରେ ଅଭିଯୁକ୍ତମାନେ ରାମ ପାଢ଼ୀଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରିଥିଲେ । ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଥିଲା । ତାଙ୍କ ଅଭିଯୋଗ ଆଧାରରେ ପୁଲିସ କେସ ନଂ ୪୧/୧୨ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଜେଲରେ ଥିବା ପ୍ରଦୀପଙ୍କୁ ଉକ୍ତ ମାମଲାରେ ଷଢଯନ୍ତ୍ରକାରୀ ଭାବେ ପୁଲିସ ଜଡିତ କରିଥିବା ବେଳେ ୧୧ ଜଣ ସହଯୋଗୀଙ୍କୁ ପର୍ଯ୍ୟାୟକ୍ରମେ ଗିରଫ କରି କୋର୍ଟଚାଲାଣ କରିଥିଲା । ପରେ ଦିଗପହଣ୍ଡି ତତ୍କାଳୀନ ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ସୀତାକାନ୍ତ ଗନ୍ତାୟତ କୋର୍ଟରେ ଚାର୍ଜସିଟି ଦାଖଲ କରିଥିଲେ । ଏହି ମାମଲାର ବିଚାରଣା ବେଳେ ମୋଟ ୨୩ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା । କୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଉପରୋକ୍ତ ୧୦ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କିଶୋର ବିଷୋୟୀ, ଫକିରମୋହନ ପଟ୍ଟନାୟକ, ଦୀପକ ପଟ୍ଟନାୟକ, ପୀତବାସ ପଣ୍ଡା, ବିରଞ୍ଚି ମହାପାତ୍ର ଓ ସୁମିତ୍ର ଦାସ ମକଦ୍ଦମା ପରିଚାଳନା କରୁଥିଲେ ।

nis-ad
Leave A Reply

Your email address will not be published.