୨ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି…

ଭୁବନେଶ୍ୱର: ଗୁରୁଚାପ ବଳୟ ପ୍ରଭାବରେ ଘନ କୁହୁଡି ହେବ । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସାମୁଦ୍ରିକ ବାୟୁର ପ୍ରବାହ ବୃଦ୍ଧି ଯୋଗୁଁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ବିଶେଷ ହ୍ରାସ ହେବାର ସମ୍ଭାବନା ନାହିଁ । ଆସନ୍ତା ୨ ଦିନ ରାଜ୍ୟରେ ଘନ କୁହୁଡ଼ି ଦେଖାଯିବ । ଏପରିକି କିଛି ଜିଲ୍ଲା ଲାଗି ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟଠାରେ ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ ହୋଇଥିଲା ।

ସେହିପରି ବାଲେଶ୍ୱରରେ ୧୪.୭ ଡିଗ୍ରୀ, କଟକରେ ୧୭.୫ ଡିଗ୍ରୀ ଓ ଭୁବନେଶ୍ୱରରେ ୧୮ ଡିଗ୍ରୀ ରେକର୍ଡ ହୋଇଥିଲା । ଅପରପକ୍ଷେ ନୟାଗଡ଼, କଟକ, ଅନୁଗୁଳ, ଫୁଲବାଣୀ ଓ ବଲାଙ୍ଗିର ଜିଲ୍ଲାରେ ଗତ ରାତି ଓ ଆଜି ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ନୟାଗଡ଼ରେ କୁହୁଡ଼ିରେ ଦୃଶ୍ୟମାନ ଦୂରତା ୭୫ ମିଟର, କଟକ, ଅନୁଗୁଳ ଓ ଫୁଲବାଣୀରେ ୧୦୦ ମିଟର ଏବଂ ବଲାଙ୍ଗିରରେ ୧୫୦ ମିଟର ରହିଥିଲା । ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି । ଏଣୁ ଏହି ୧୧ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ୨୧ ତାରିଖ ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନ ଯଥା, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଜଣାପଡ଼ିଛି ।

nis-ad
Leave A Reply

Your email address will not be published.