ରାଉରକେଲାରେ ପଞ୍ଚମ ଦିନରେ ସରସ ମେଳା: ଗୁଜରାଟର ସିଦ୍ଧି ଧମାଲ ଏବଂ ଆସାମର ବିହୁ ନୃତ୍ୟରେ ଝୁମିଲେ ଦର୍ଶକ

ସୁନ୍ଦରଗଡ଼/ରାଉରକେଲା,: ରାଉରକେଲା ସହରରେ ଚାଲିଥିବା ‘ସରସ ମେଳା’ ଗୁରୁବାର ପଞ୍ଚମ ଦିନରେ ପହଞ୍ଚିଛି। ହକି ବିଶ୍ୱକପ୍ ଅବସରରେ ଏହି ମେଳା ଆୟୋଜନ କରାଯାଇଥିବାରୁ ପ୍ରତିଦିନ ଏଠାରେ ଲୋକଙ୍କ ଭିଡ଼ ଲାଗୁଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ହାତ ତିଆରି ବିଭିନ୍ନ ସାମଗ୍ରୀ ଏବଂ ପ୍ରସିଦ୍ଧ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ଆକର୍ଷିତ କରୁଛି।

ପଞ୍ଚମ ଦିନରେ ଗୁଜରାଟର ସିଦ୍ଧି ଧମାଲ ଓ ଆସାମର ବିହୁ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ଖୋର୍ଦ୍ଧାର ପାଇକ ଆଖଡ଼ା, ସୁନ୍ଦରଗଡ଼ର ମୟୂରୀ ଗ୍ରୁପ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଏବଂ ରାଉରକେଲା ଲକ୍ଷ୍ୟ ଡ୍ୟାନ୍ସ ଗ୍ରୁପ ପକ୍ଷରୁ କରାଯାଇଥିବା ନୃତ୍ୟ ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ସେହିପରି ଉତ୍ତର ପ୍ରଦେଶର ବିଭିନ୍ନ ଅଳଙ୍କାର, ପଶ୍ଚିମବଙ୍ଗର ଡ୍ରାୟ ଫ୍ଲାୱାର, କେରଳର କଦଳୀ ଚିପ୍ସ, ବାଲେଶ୍ଵରର ଝୋଟ, ଜଗତସିଂହପୁରର ନଡ଼ିଆ କତାରୁ ତିଆରି ସାମଗ୍ରୀ ଏବଂ ଗଞ୍ଜାମ ଆଚାରର ବେଶ୍ ଚାହିଦା ରହିଛି। ପ୍ରତିଦିନ ଏହି ମେଳାରେ ୩ ଲକ୍ଷରୁ ଅଧିକ ଟଙ୍କାର କାରବାର ହେଉଛି।

ଗତ ରବିବାରଠାରୁ ଭଞ୍ଜ ଭବନ ପଡ଼ିଆଠାରେ ଏହି ସରସ ମେଳା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ମେଳା ଆୟୋଜନ କରାଯାଉଛି। ସରସ ମେଳାରେ ମୋଟ ୨୫୦ଟି ଷ୍ଟଲ ପଡ଼ିଛି।

ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ସହ ବିକ୍ରି କରୁଛନ୍ତି। ସୁନ୍ଦରଗଡ଼ ସହିତ ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସାମିଲ ହୋଇଛନ୍ତି। ଏହି ମେଳାରେ ହକି ବିଶ୍ୱକପର ମାସ୍କଟ ଅଲି ମୁଖ୍ୟ ଆକର୍ଷଣ ପାଲଟିଛି।

ମେଳାକୁ ଆସୁଥିବା ଲୋକେ ଭୁବନେଶ୍ୱର ଏବଂ ରାଉରକେଲାରେ ଚାଲିଥିବା ହକି ମ୍ୟାଚର ସିଧାପ୍ରସାରଣ ଦେଖିପାରୁଛନ୍ତି। ଏଥିପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ମେଳା ପରିସରରେ ସେଲଫି ପଏଣ୍ଟ ଏବଂ ପିଲାମାନଙ୍କ ପାଇଁ ହକି ପାଭିଲିୟନ କରାଯାଇଛି।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.