୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାକୁ ରଦ୍ଦ କଲେ ହାଇକୋର୍ଟ

କଟକ : ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଘୋଷଣା କରାଯାଇଥିବା ତାଲିକାକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ। ଏକ ମାସ ଭିତରେ ନିୟମାବଳୀ ଅନୁସାରେ ସାନି ମନୋନୟନ ତାଲିକା ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ଭାଷାର ଚଳଚ୍ଚିତ୍ରରୁ ରିମେକ୍‌ ହୋଇଥିବା ଦୁଇ ଓଡ଼ିଆ ଚଳଚ୍ଚିତ୍ର ‘ଖୁସି’ ଓ ‘ଗୋଲ୍‌ମାଲ୍‌ ଲଭ୍‌’କୁ କୌଣସି ବର୍ଗରେ ପୁରସ୍କାର ପାଇଁ ବିଚାରକୁ ନିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍‌ ଡ. ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶକ ବବି ଇସଲାମ୍‌ଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି, ଯେଉଁଭଳି ଢଙ୍ଗରେ ନିର୍ଦ୍ଦିଷ୍ଟ ଚଳଚ୍ଚିତ୍ରଗୁଡିକୁ ଚୟନ କରାଯାଇ ମର୍ଯ୍ୟାଦାଜନକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିଜେତା ଭାବେ ଘୋଷଣା କରାଗଲା ତାହା ଅତ୍ୟନ୍ତ ଲଜ୍ଜାର ବିଷୟ। ଓଡ଼ିଆ ସିନେମା ଓ କଳାକାର ଗୋଷ୍ଠୀ ପାଇଁ ଏହା ଚିନ୍ତାର ପ୍ରସଙ୍ଗ। ଓଡ଼ିଆ ସିନେ ସଂସ୍କୃତିରେ ମୌଳିକତା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏଥିପାଇଁ ‘ଚେକ୍ ଆଣ୍ଡ ବାଲାନ୍ସ’ ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ କରାଯିବା ଉଚିତ। ଚଳଚ୍ଚିତ୍ର ପୁରସ୍କାର ଚୟନ କ୍ଷେତ୍ରରେ ହୋଇଥିବା ଅନିୟମିତତାକୁ ସହଜରେ ଏଡ଼ାଇ ଦିଆଯାଇ ପାରିଥାନ୍ତା ଯଦି ଜୁରିମାନେ ଅଧିକ ସତର୍କ ଓ ନିଜ ଗୁରୁ ଦାୟିତ୍ବ ନେଇ ସଚେତନ ଥାନ୍ତେ ବୋଲି ହାଇକୋର୍ଟ କହିଛନ୍ତି। ଜୁରିମାନେ ନିରପେକ୍ଷ ଓ ସତ୍ୟନିଷ୍ଠ ହେବା ଉଚିତ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ୩୧ତମ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଓ ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର-୨୦୧୯ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଥିବା ବେଳେ ‘ଛବିରାଣୀ’ ଚଳଚ୍ଚିତ୍ର ପାଇଁ ଆବେଦନକାରୀ ନିୟମ ଅନୁସାରେ ଦରଖାସ୍ତ ଦାଖଲ କରିଥିଲେ। ୨୦୨୧, ନଭେମ୍ବର ୫ରେ ୩୧ତମ ଚଳଚ୍ଚିତ୍ର ପୁରସ୍କାର ପାଇଁ ଚୂଡାନ୍ତ ଚୟନ ତାଲିକା ପ୍ରକାଶ ପାଇଥିଲା। ୨୭ଟି ବର୍ଗରେ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଆବେଦନକାରୀଙ୍କ ଚଳଚ୍ଚିତ୍ର କିନ୍ତୁ ଗୋଟିଏ ବି ବର୍ଗରେ ସ୍ଥାନ ପାଇ ପାରି ନଥିଲା। ସମଗ୍ର ଚୟନ ପ୍ରକ୍ରିୟାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ।
ଅନ୍ୟପକ୍ଷରେ, କୋରିଆର ‌‘ହୋପ୍‌’ ନାମକ ଫିଲ୍ମର ରିମେକ୍ ‘ଖୁସି ହୋଇଥିବା ବେଳେ ଏହି ଚଳଚ୍ଚିତ୍ରକୁ ୫ଟି ବର୍ଗରେ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଥିବା ଆବେଦନକାରୀ ଅଭିଯୋଗ କରିଥିଲେ। ଏଥିସହିତ ପଞ୍ଜାବୀ ଫିଲ୍ମ ‘କ୍ୟାରି ଅନ୍ ଜଟ୍ଟା’କୁ କପି କରି ‘ଗୋଲ୍‌ମାଲ୍‌ ଲଭ୍‌’ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା ବେଳେ ଏହାକୁ ମଧ୍ୟ ରାଜ୍ୟ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା ବୋଲି ଆବେଦନକାରୀ ଦର୍ଶାଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ, ନିର୍ଦ୍ଦେଶକ, ଜୁରୀ କମିଟି ଅଧ୍ୟକ୍ଷ ସୁରେନ୍ଦ୍ର ସାହୁ, ସଦସ୍ୟ ପ୍ରଣବ କିଶୋର ପଟ୍ଟନାୟକ, ତ୍ରିପୁରା ମିଶ୍ର, ଜିତେନ୍ଦ୍ର ମିଶ୍ର, ଆଦିକନ୍ଦ ରାଉତ ଓ ଗୌର ପଟ୍ଟନାୟକଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା।

nis-ad
Leave A Reply

Your email address will not be published.