‘ଅସର ୨୦୨୨’: କୋଭିଡ୍‌ ସତ୍ତ୍ବେ ସ୍କୁଲ୍‌ରେ ନାମ‌ଲେଖା ବଢ଼ିଛି

କଟକ : ‘ପ୍ରଥମ ଓଡ଼ିଶା’ ପକ୍ଷରୁ ଦେଶ ତଥା​ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସ୍ଥିତିକୁ ନେଇ କରାଯାଇଥିବା ସର୍ଭେ ‘ଅସର୍‌-୨୦୨୨’ର ରିପୋର୍ଟ ପ୍ରକାଶ କରାଯାଇଛି। ରିପୋର୍ଟରେ କୋଭିଡ୍‌ ପୂର୍ବ ଓ ପରର ତୁଳନା କରାଯାଇ ରାଜ୍ୟ ଓ ଦେଶରେ କୋଭିଡ୍‌ ସତ୍ତ୍ବେ ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ବୃଦ୍ଧି ପାଇଥିବା ଦର୍ଶାଯାଇଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ଏହି ସଂଖ୍ୟା ଅଧିକ ରହିଛି। ତେବେ, ପ୍ରାଥମିକ ଶିକ୍ଷାରେ ଦେଶର କେତେକ ରାଜ୍ୟର ୫ମ ଶ୍ରେଣୀ ଶିକ୍ଷାସ୍ତରରେ ଅବନତି ଘଟିଥିବା ପ୍ରଥମ ଓଡ଼ିଶା ପକ୍ଷରୁ ଦର୍ଶାଯାଇଛି।
ତଥ୍ୟ ମୁତାବକ, ଦେଶରେ ୬ରୁ ୧୪ ବର୍ଷ ବୟସ ବିଭାଗରେ ୨୦୧୮ ମସିହାରେ ନାମାଙ୍କନ ୯୭.୨ ଶତକଡ଼ା ଥିବା ବେଳେ କୋଭିଡ୍‌ ସତ୍ତ୍ବେ ୨୦୨୨ରେ ଏହା ବଢ଼ି ଶତକଡ଼ା ୯୮.୪ ରେ ପହଞ୍ଚିଛି। ଓଡ଼ିଶାରେ ଏହି ବୟସରେ ୨୦୧୮ ମସିହାରେ ନାମାଙ୍କନ ୯୮.୫ ଥିଲା ଯାହା ବଢ଼ି ୨୦୨୨ରେ ୯୯.୩ ଭାଗରେ ପହଞ୍ଚିଛି। ସେହିପରି, ସରକାରୀ ବିଦ୍ୟାଳୟ​ରେ ଏହି ବୟସ ବିଭାଗରେ ନାମାଙ୍କନ ୨୦୧୮ ମସିହାରେ ୬୫.୬ ଭାଗ ଥିବାବେଳେ ୨୦୨୨ରେ ବୃଦ୍ଧି ପାଇ ୭୨.୯ରେ ପହଞ୍ଚିଛି। ଓଡ଼ିଶାରେ ୨୦୧୮ ମସିହାରେ ନାମାଙ୍କନ ୮୮.୦ ଶତକଡ଼ା ଥିଲା ଯାହା ୨୦୨୨ ମସିହାରେ ବୃଦ୍ଧି ପାଇ ୯୨.୧ ରେ ପହଞ୍ଚିଛି। ଓଡ଼ିଶାରେ ବିଦ୍ୟାଳୟରେ ନାମ ନଥିବା ୧୧ରୁ ୧୪ ବର୍ଷ ବୟସର ଓ ୧୫-୧୬ ବୟସର ଝିଅଙ୍କ ସଂଖ୍ୟା କ୍ରମାଗତ ଭାବେ କମିବାରେ ଲାଗିଛି। ସମଗ୍ର ଗ୍ରାମୀଣ ଭାରତରେ, ୩ ବର୍ଷ ବୟସରେ ନାମାଙ୍କନର ଅନୁପାତ ୨୦୨୨ ମସିହାରେ ୭୮.୩ ଶତକଡ଼ାରେ ପହଞ୍ଚିଛି, ଯାହା ୨୦୧୮ ତୁଳନାରେ ୭.୧ ଶତକଡ଼ା ବୃଦ୍ଧି ପାଇଛି। ଅପରପକ୍ଷେ, ଓଡ଼ିଶାରେ ୨୦୨୨ ମସିହାରେ ୩ ବର୍ଷ ବୟସର ପିଲା ଶତକଡ଼ା ୯୪.୪ ଭାଗ ଅଙ୍ଗନବାଡ଼ି କେନ୍ଦ୍ରରେ ନାମାଙ୍କିତ ହୋଇଛନ୍ତି। ୨୦୧୮ରେ ଏହା ଶତକଡ଼ା ୯୦.୩ ଭାଗ ଥିଲା।
ତେବେ, ଜାତୀୟସ୍ତରରେ ପିଲାମାନଙ୍କର ମୌଳିକ ପଠନ ଦକ୍ଷତା ୨୦୧୨ ପୂର୍ବସ୍ତରକୁ ଖସି ଆସିଛି। ଏହା ମଧ୍ୟବର୍ତ୍ତୀ ବର୍ଷଗୁଡ଼ିକରେ ହାସଲ ହୋଇଥିବା ମନ୍ଥର ଉନ୍ନତିକୁ ଓଲଟାଇ ଦେଇଛି। ଅଧିକାଂଶ ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ, ଉଭୟ ବାଳକ ଓ ବାଳିକାଙ୍କ କ୍ଷେତ୍ରରେ ଏହି ଅବନତି ଦେଖିବାକୁ ମିଳିଛି। ୩ୟ ଶ୍ରେଣୀ ଓ ୫ମ ଶ୍ରେଣୀ ତୁଳନାରେ ୮ମ ଶ୍ରେଣୀ ପିଲାମାନଙ୍କ ମୌଳିକ ପଠନ ଦକ୍ଷତାରେ କମ୍ ହ୍ରାସ ଦେଖିବାକୁ ମିଳିଛି।
ଜାତୀୟସ୍ତରରେ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପଞ୍ଜିକୃତ ହୋଇଥିବା ପିଲାଙ୍କ ମଧ୍ୟରୁ ୨୦୨୨ ମସିହାରେ ଶତକଡ଼ା ୬୯.୬ ଭାଗ ପିଲା ପଢ଼ିପାରୁଥିବା ବେଳେ ୨୦୧୮ରେ ଶତକଡ଼ା ୭୩ ଭା​ଗ ପିଲା ପଢ଼ିପାରୁଥିଲେ। କିନ୍ତୁ ଓଡ଼ିଶା କ୍ଷେତ୍ରରେ ଏହି ଶ୍ରେଣୀରେ ଉନ୍ନତି ହୋଇଛି। ୨୦୧୮ରେ ଏହା ୭୨.୫ ଶତକଡ଼ା ଥିଲା ବେଳେ ଏବେ ଏହା ୭୩.୪ ଶତକଡ଼ାରେ ପହଞ୍ଚିଛି।
ଜାତୀୟସ୍ତରରେ, ଅଧିକାଂଶ ଶ୍ରେଣୀର ପିଲାଙ୍କ ମୌଳିକ ଗଣିତସ୍ତର ୨୦୧୮ର ସ୍ତରଠାରୁ ହ୍ରାସ ପାଇଛି। ସମଗ୍ର ଦେଶରେ ୫ମ ଶ୍ରେଣୀରେ ହରଣ କରିପାରୁଥିବା ପିଲାଙ୍କ ଅନୁପାତ ୨୦୧୮ ମସିହାରେ ୨୭.୯ ଶତକଡ଼ାରୁ ୨୦୨୨ ରେ ୨୫.୬ ଶତକଡ଼ାକୁ ହ୍ରାସ ପାଇଛି। ତେବେ, ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ମେଘାଳୟ ଏବଂ ସିକିମ୍‌ରେ ୨୦୧୮ ତୁଳନାରେ ଏଥିରେ ସାମାନ୍ୟ ଉନ୍ନତି ଦେଖିବାକୁ ମିଳିଛି। ଅପରପକ୍ଷରେ ମିଜୋରାମ୍‌, ହିମାଚଳପ୍ରଦେଶ ଓ ପଞ୍ଜାବ ଭଳି ୧୦ଟି ରାଜ୍ୟରେ ଏହା ଚିନ୍ତାଜନକ ଭାବେ କମିଛି।
ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ ୨୦୧୮ ତୁଳନାରେ ୨୦୨୨ରେ ବୃଦ୍ଧି ପାଇଥିବା ଦେଖାଯାଇଛି। ସେହିପରି ଆମ ରାଜ୍ୟର ସ୍କୁଲ୍‌ରେ ବାଳକମାନଙ୍କ ପାଇଁ ବ୍ୟବହାରଯୋଗ୍ୟ ଶୌଚାଳୟ ୨୦୧୮ ରେ ୭୫.୫ ଶତକଡ଼ା ଥିଲା ଯାହା ୨୦୨୨ରେ ବୃଦ୍ଧି ପାଇ ୮୨.୧ରେ ପହଞ୍ଚିଛି। ସେହିପରି ଓଡ଼ିଶାରେ ବାଳିକାଙ୍କ ପାଇଁ ବ୍ୟବହାରଯୋଗ୍ୟ ଶୌଚାଳୟ ୨୦୧୮ ରେ ୬୯.୧ ଶତକଡ଼ା​ ଥିଲା ଯାହା ୨୦୨୨ରେ ୭୬.୫ରେ ପହଞ୍ଚିଛି। ବିଜୁଳି ସଂଯୋଗ ୨୦୧୮ରେ ଭାତ୍ର ୫୬.୫ ଶତକଡ଼ା ଥିବା ବେଳେ ୨୦୨୨ରେ ଏହା ରେକର୍ଡ ୯୩.୭ରେ ପହଞ୍ଚିଛି।
‘ଅସର ୨୦୨୨’ ମସିହାରେ ଗ୍ରାମୀଣ ଭାରତର ୬୧୬ଟି ଜିଲ୍ଲାରେ ମୋଟ ୧୯,୦୬୦ଟି ଗ୍ରାମରେ ୩,୭୪,୫୪୪ ଟି ଘରେ ଥିବା ୩ ରୁ ୧୬ ବର୍ଷ ବୟସ ୬,୯୯,୫୯୭ ପିଲାଙ୍କ ସର୍ଭେ କରିଛି। ଓଡ଼ିଶାରେ ୩୦ଟି ଜିଲ୍ଲାରେ ମୋଟ ୯୦୦ ଗ୍ରାମରେ ୧୭,୭୮୬ ଘରେ ଥିବା ୩ ରୁ ୧୬ ବର୍ଷ ବୟସ ୨୮,୭୮୦ ପିଲାଙ୍କ ସର୍ଭେ କରିଥିବା ନେଇ ପ୍ରଥମ ଓଡ଼ିଶା ପକ୍ଷରୁ ରାଜ୍ୟ ମୁଖ୍ୟ ପୁଷ୍ପାଞ୍ଜଳି ପରିଡ଼ା, ଅସର ଦଳର ନିକୁଞ୍ଜ କୁମାର ସାହୁ, ସ୍ନେହଲତା ଦାଶ, ପ୍ରଥମ ଦଳର ହିମାଂଶୁ ସେନାପତି ଓ ମନୋରଂଜନ ଦାସ ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.