ନେତାଜୀ ଜୟନ୍ତୀ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପାଳିବ ଆଇକନିକ୍ ସପ୍ତାହ

ଭୁବନେଶ୍ବର: ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ଉପଲକ୍ଷେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ୧୭ରୁ ୨୩ ଜାନୁଆରି ୨୦୨୩ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଆଇକନିକ ସପ୍ତାହ ପାଳନ କରାଯାଉଛି। ଜାନୁଆରି ୨୦ ତାରିଖରେ ନେତାଜୀଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ସିଆରପିଏଫ, ଆଇଟିବିପି ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ନେତାଜୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି।

ଆସନ୍ତା ୨୦ ତାରିଖ ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟଠାରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ସ୍ଥାନ ଆନନ୍ଦ ଭବନ ପର୍ଯ୍ୟନ୍ତ ପ୍ରଭାତ ଫେରି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସିଆରପିଏଫ, ଆଇଟିବିପି ଏବଂ ସ୍କୁଲ ଛାତ୍ରଛାତ୍ରୀ ସାମିଲ ହେବେ। ସେହିପରି ସକାଳ ସାଢ଼େ ୭ଟାଠାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଗଣଦୌଡ଼ ଆୟୋଜନ କରାଯିବ। ଏହା କଟକ ଇନଡୋର ଷ୍ଟାଡିୟମଠାରୁ ଆରମ୍ଭ ହୋଇ ସାରଳା ଭବନ, ଡିୟର ପାର୍କ, ରିଙ୍ଗ ରୋଡ, କ୍ୟାଣ୍ଟନମେଣ୍ଟ ପୁଲିସ ଷ୍ଟେସନ, ସିଲଭର ସିଟି ବୋଟ କ୍ଲବ, ସେଣ୍ଟ ଯୋଶେଫ ସ୍କୁଲ, ବିଜୁ ପଟ୍ଟନାୟକ ଛକ, ଆନନ୍ଦ ଭବନ ଆଦି ସ୍ଥାନ ଦେଇ ପୁଣି ଇନଡୋର ଷ୍ଟାଡିୟମରେ ପହଞ୍ଚିବ। ଏଥିରେ ମଧ୍ୟ ୪୦ ଜଣ ସିଆରପିଏଫ ଯବାନ, ୨୦ ଜଣ ଆଇଟିବିପି ଯବାନ, ସାଧାରଣ ନାଗରିକ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ । ଏହାଛଡ଼ା ସମାନ ସ୍ଥାନରେ ସକାଳ ସାଢ଼େ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସାଇକେଲ ରାଲି ଆୟୋଜନ କରାଯିବ।
କଟକ ଷ୍ଟୁଆର୍ଟ ସ୍କୁଲ ପରିସରରେ ସକାଳ ୯ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଆୟୋଜନ କରାଯିବ। ରେଭେନ୍ସା କଲେଜିଏଟ୍ ସ୍କୁଲ କ୍ୟାମ୍ପସରେ ସକାଳ ୧୦ଟା ୨୦ରୁ ୧୧ଟା ମଧ୍ୟରେ ବୃକ୍ଷରୋପଣ କରାଯିବ । କଟକ ସହିଦ ଭବନ ପରିସରରେ ଡାକ ଟିକେଟ ପ୍ରଦର୍ଶନୀ, ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ, କବି ସମ୍ମିଳନୀ ଆୟୋଜନ କରାଯିବ। ସେହିପରି ଅପରାହ୍ଣ ସାଢ଼େ ୫ଟାରେ ସହିଦ ଭବନଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଚଳିତ ବର୍ଷ ନେତାଜୀ ଜୟନ୍ତୀ ସମାରୋହକୁ ଜନଭାଗିଦାରୀ ମାଧ୍ୟମରେ ଦେଶବ୍ୟାପୀ ବ୍ୟାପକ ଆକାରରେ ଆୟୋଜନ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଜନସାଧାରଣ ସାମିଲ ହେବାକୁ ମନ୍ତ୍ରାଳୟ ପକ୍ଷରୁ ଆହ୍ବାନ କରାଯାଇଛି।

nis-ad
Leave A Reply

Your email address will not be published.