କଂଗ୍ରେସକୁ ବଡ଼ ଝଟକା: ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ…

ଭାତିଣ୍ଡା: ରାହୁଲ ଗାନ୍ଧି ପଞ୍ଜାବରେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିବା କ୍ଷଣି କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ‌ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ଆଜି ବିଜେପିରେ ମିଶିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ପରେ ମନପ୍ରୀତ ଦଳରେ କୋଣଠେସା ହୋଇ ରହିଥିଲେ। ଏଥିପାଇଁ ସେ ଦଳ ଛାଡ଼ୁଥିବା ରାହୁଲ ଗାନ୍ଧିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।
ଆଜି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ମନପ୍ରୀତ ପଦ୍ମ ଧରିଛନ୍ତି। ବିଜେପି ହେଉଛି ମନପ୍ରୀତଙ୍କ ୪ର୍ଥ ଦଳ। ସେ ୨୭ ବର୍ଷ ହେଲା ରାଜନୀତି ମୈଦାନରେ ରହିଛନ୍ତି। ସେ ପ୍ରଥମେ ୧୯୯୫ରେ ଅକାଳୀ ଦଳ ସହ ମିଶି ରାଜନୀତି ଆରମ୍ଭ କରିଥିଲେ। ୨୦୧୦ରେ ସେ ପିପୁଲ୍ସ ପାର୍ଟି ଅଫ ପଞ୍ଜାବ ଗଠନ କରିଥିଲେ।
୨୦୧୪ ସାଧାରଣ ନିର୍ବାଚନ ବେଳେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଏହାପରେ ପଞ୍ଜାବ ବିଧାନସଭା ନିର୍ବାଚନରେ ଜିତି ଅର୍ଥମନ୍ତ୍ରୀ ହୋଇଥିଲେ। ତେବେ ୨୦୨୨ ବିଧାନସଭା ନିର୍ବାଚନରେ ସେ ଭାତିଣ୍ଡା ଅର୍ବାନ ବିଧାନସଭା ଆସନରୁ ହାରିବା ପରେ ପୂରା ଚୂପ ହୋଇଯାଇଥିଲେ। ଏବେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।
ରାହୁଲ ଗାନ୍ଧିଙ୍କୁ ମନପ୍ରୀତ ଲେଖିଥିବା ଚିଠିରେ ପଞ୍ଜାବ କଂଗ୍ରେସରେ ଥିବା ଗୋଷ୍ଠୀ ବିବାଦ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଦଳ ପକ୍ଷରୁ ତାଙ୍କ ସହ ହୋଇଥିବା ବ୍ୟବହାର ତାଙ୍କୁ ବ୍ୟଥିତ କରିଥିଲା। ଏଥିପାଇଁ ସେ ଦଳ ଛାଡ଼ୁଥିବା କହିଛନ୍ତି। ସେ ବିଜେପିରେ ମିଶିବାକୁ ଥିବାରୁ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ମଧ୍ୟ ସାମିଲ ହୋଇ ନଥିଲେ।
ମନପ୍ରୀତ ପ୍ରଥମେ ୨୦୦୭ରେ ବିଜେପି-ଅକାଳୀ ସରକାରରେ ଅର୍ଥମନ୍ତ୍ରୀ ଭାବେ କାମ କରିଥିଲେ। ୨୦୧୭ରେ କଂଗ୍ରେସ କ୍ଷମତାକୁ ଆସିବା ପରେ କ୍ୟାପ୍ଟେନ ଅମରନ୍ଦିର ସିଂହ ତାଙ୍କୁ ପୁଣି ତାଙ୍କୁ ଅର୍ଥମନ୍ତ୍ରୀ ଦାୟିତ୍ୱ ଦେଇଥିଲେ।

nis-ad
Leave A Reply

Your email address will not be published.