‘ଉପଯୁକ୍ତ କ୍ଷତିପୂରଣ ଦିଅ, ନଚେତ ଇଚ୍ଛା ମୃତ୍ୟୁ ଦିଅ’

ଯାଜପୁର: ‘ଉନ୍ନୟନମୂଳକ କାମ ପାଇଁ ମୁଁ ମୋ ଜାଗା ଓ ଘର ଦେବାକୁ ରାଜି। ହେଲେ ମୋତେ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ। ମୋ ଜାଗାରେ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ମୋତେ ବି ସେହିପରି ଜାଗା ମିଳୁ। ହେଲେ ପ୍ରଶାସନ, ମ୍ୟୁନିସିପାଲିଟି ମୋ ଦାବି ନ ଶୁଣି ମୋତେ ନିର୍ଯାତନା ଦେଉଛନ୍ତି। ଜାଗା ଛାଡ଼ିବାକୁ ଧମକ ଦେଉଛି। ମୁଁ କିପରି ବଞ୍ଚିବି ବାଟ ପାଉନି। ତେଣୁ ମୋତେ ଓ ମୋ ପରିବାରକୁ ଇଚ୍ଛା ମୃତ୍ୟୁ ଦିଅନ୍ତୁ।’ ଏପରି ଏକ ଚିଠି ଲେଖି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି ଯାଜପୁରର କୋରେସା ବିବି ନାମ୍ନୀ ମହିଳା।

ଯାଜପୁର କୁସୁମା ନିକଟରେ କୋରେସା ବିବିଙ୍କର ଏକ ତିନି ମହଲା କୋଠା ରହିଛି । ଉକ୍ତ କୋଠାରେ ସେ ରହୁଥିବା ବେଳେ ସେଥିରେ ଦୋକାନ ସମେତ ଏକ ହୋଟେଲକୁ ବି ଭଡ଼ା ଦେଇଛନ୍ତି। ସେଥିରୁ ହେଉଥିବା ରୋଜଗାରରେ ସେ ନିଜ ପରିବାର ଚଳାଉଛନ୍ତି। ହେଲେ ମେଡିକାଲ ଛକରୁ କୁସୁମା ରୋଡ୍‌ ଦେଇ ଯୋଡ଼ିକୂଅ ଯାଏ ରାସ୍ତା ପ୍ରଶସ୍ତିକରଣ କାମ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ଜମି ଅଧିଗ୍ରହଣ କରିବାକୁ ନୋଟିସ୍ ଜାରି କରାଯାଇଛି। ତେବେ ପ୍ରଶାସନ ପକ୍ଷରୁ ଦିଆଯାଉଥିବା କ୍ଷତିପୂରଣରେ କୋରେସା ବିବି ସନ୍ତୁଷ୍ଟ ନ ଥିବା କହିଛନ୍ତି।

ଜମି ଓ କୋଠାର ଉଚିତ ମୁଲ୍ୟ ଦେବା ସହ ବାଣିଜ୍ୟିକ ପେଣ୍ଠସ୍ଥଳିରେ ଜାଗା ଯୋଗାଇ ଦେବାକୁ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସେ ।  ହାଇକୋର୍ଟ ମଧ୍ୟ ତାଙ୍କ ସପକ୍ଷରେ ରାୟ ଦେଇ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ପ୍ରଶାସନ ଏ ସମ୍ପର୍କରେ କୌଣସି ପଦକ୍ଷେପ ନ ନେଇ ଉଚ୍ଛେଦ କରିବାକୁ ବାରମ୍ବାର ଧମକ ଦେଉଥିବା କୋରେସା ବିବି କହିଛନ୍ତି।  ତେଣୁ ନିଜ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ବାଟ ନ ପାଇ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଇଚ୍ଛା ମୃତ୍ୟୁ ଲାଗି ନିବେଦନ କରିଛନ୍ତି ।  ଜିଲ୍ଲାପାଳଙ୍କ ଅନୁପସ୍ଥିତି କାରଣରୁ ଉପଜିଲ୍ଲାପାଳଙ୍କୁ ସେ ନିବେଦନ ପତ୍ର ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

nis-ad
Leave A Reply

Your email address will not be published.