ଓଡ଼ିଶା ଉପରେ କେସିଆରଙ୍କ ନଜର : ଗମାଙ୍ଗ ପରେ ଭେଟିଲେ ପାଙ୍ଗୀ..

ଭୁବନେଶ୍ୱର : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ନେତୃତ୍ୱାଧୀନ ‘ଭାରତ ରାଷ୍ଟ୍ର ସମିତି’ (ବିଆରଏସ) ଏବେ ତେଲଗୁ ଭାଷାଭାଷୀ ଲୋକମାନେ ରହୁଥିବା ଦେଶର ବିଭିନ୍ନ ଅଂଚଳରେ ନିଜର ଉପସ୍ଥିତି ଜାହିର କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଗତ ୪ଦିନ ମଧ୍ୟରେ ଓଡ଼ିଶାର ୨ଜଣ ବରିଷ୍ଠ ଆଦିବାସୀ ନେତାଙ୍କୁ ସାକ୍ଷାତ କରି ବିଆରଏସ୍ ମୁଖ୍ୟ କେସିଆର ତାଙ୍କର ଓଡ଼ିଶା ସମ୍ପ୍ରସାରଣର ଆଭାସ ଦେଇଛନ୍ତି । ବିଶେଷକରି ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ରହୁଥିବା ତେଲଗୁ ଭାଷାଭାଷୀ ଲୋକଙ୍କ ସହଯୋଗରେ ଓଡ଼ିଶାରେ ନିଜର ରାଜନୀତିକ ଉପସ୍ଥିତି ଜାହିର କରିବାକୁ ବିଆରଏସ୍ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।

ବିଆରଏସ୍ ମୁଖ୍ୟ କେସିଆରଙ୍କୁ ଅବିଭକ୍ତ ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗୀ ସାକ୍ଷାତ କରିଛନ୍ତି । ଶ୍ରୀ ପାଙ୍ଗୀ ନିଜେ ଏହି ସାକ୍ଷାତ ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ ବିଆରଏସ୍ ପାର୍ଟିରେ ଯୋଗ ଦେବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି । ତେବେ ତାଙ୍କର ମିଶିବାକୁ ନେଇ ପ୍ରଶ୍ନର ଉତ୍ତରରେ ‘ସମୟ କହିବ’ କହି ସେ ରାଜନୀତିକ ଚର୍ଚ୍ଚାକୁ ଉନ୍ମୁକ୍ତ ରଖିଛନ୍ତି । ଶ୍ରୀ ପାଙ୍ଗୀ ୨୦୧୭ ମେ’ ମାସରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ପରାଜୟ ପରେ ଦଳରେ ନିଜକୁ ଅଣଦେଖା ଅଭିଯୋଗ ଆଣି ୨୦୨୨ ଏପ୍ରିଲ ମାସରେ ବିଜେପିରୁ ଇସ୍ତଫା ଦେଇଥିଲେ । ସେବେଠୁ ଶ୍ରୀ ପାଙ୍ଗୀ କୌଣସି ଦଳରେ ସାମିଲ ନହୋଇ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଢ଼ି ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର କିଛି ଅଂଚଳକୁ ନେଇ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଂଚଳ ଦାବି କରୁଛନ୍ତି । ଯାହାର ମୁଖ୍ୟାଳୟ କୋରାପୁଟ ଜିଲ୍ଲାରେ ରହିବ ବୋଲି ସେ କହିଛନ୍ତି । କିନ୍ତୁ କେସିଆରଙ୍କୁ ସାକ୍ଷାତ ପରେ ଶ୍ରୀ ପାଙ୍ଗୀ ବିଆରଏସ ପାର୍ଟରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଶ୍ରୀ ପାଙ୍ଗୀଙ୍କ ପୂର୍ବରୁ ଜାନୁୟାରୀ ୧୩ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତା ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ହାଇଦ୍ରାବାଦର ପ୍ରଗତି ଭବନରେ କେସିଆରଙ୍କୁ ଭେଟିବା ପରେ ଉଭୟ ପିତା-ପୁତ୍ର ବିଆରଏସ ପାର୍ଟିରେ ସାମିଲ ହେବାର ଚର୍ଚ୍ଚା ଆରମ୍ଭ ହୋଇଛି । ଯଦିଓ ଉଭୟ ଏବେ ବିଜେପିରେ ଅଛନ୍ତି ଓ ବିଆରଏସରେ ସାମିଲ ହେବାର ସମ୍ଭାବନାକୁ ଖାରଜ କରିଛନ୍ତି, କିନ୍ତୁ ସେମାନେ ଖୁବଶୀଘ୍ର ସାମିଲ ହୋଇପାରନ୍ତି ବୋଲି ଜଣାପଡ଼ିଛି ।

ବିଆରଏସ୍ ପକ୍ଷରୁ ଆସନ୍ତା ୧୮ତାରିଖରେ ତେଲେଙ୍ଗାନାର ଖମ୍ମମଠାରେ ଏକ ବିଶାଳ ସମାବେଶର ଆୟୋଜନ ହୋଇଛି, ଯେଉଁଥିରେ ଦଳ ନିଜର ଜାତୀୟ ସମ୍ପ୍ରସାରଣ ରଣନୀତି ସମ୍ପର୍କରେ ସୂଚନା ଦେବ । ଏଥିରେ କେରଳ, ଦିଲ୍ଲୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମେତ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି । ଏହି ସମାବେଶରେ ଓଡ଼ିଶାରୁ କିଛି ନେତା ସାମିଲ ହେବାର ମଧ୍ୟ ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରାୟ ୧୨ଲକ୍ଷ ତେଲଗୁ ଭାଷାଭାଷୀ ଲୋକ ରହୁଛନ୍ତି । ଯେଉଁମାନଙ୍କର ପ୍ରଭାବ ପ୍ରାୟ ୮ରୁ ୧୦ଟି ବିଧାନସଭା ଆସନରେ ରହିଛି । ବିଶେଷକରି ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ତେଲଗୁ ଲୋକଙ୍କ ସହଯୋଗରେ ଓଡ଼ିଶାରେ ପ୍ରବେଶ ପାଇଁ ବିଆରଏସ୍ ରଣନୀତି ପ୍ରସ୍ତୁତ କରିଛି । ଦଳ ନିଜର ତେଲେଙ୍ଗାନା ଗଭର୍ଣ୍ଣାନ୍ସ ମଡେଲ ସହ ଚାଷୀଙ୍କ ପାଇଁ ରାଇଥୁ ବନ୍ଧୁ ଯୋଜନା, ମାଗଣା ୨୪ଘଣ୍ଟିଆ ବିଦ୍ୟୁତ,ପ୍ରତି ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା ପାଇଁ ଦଳିତ ବନ୍ଧୁ ଯୋଜନା ସହ ଚାଷୀଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଲାଗୁ କରି ତେଲେଙ୍ଗାନାରେ ୨୦୧୪ରୁ କ୍ଷମତାରେ ରହିଛି ।

nis-ad
Leave A Reply

Your email address will not be published.