ହକି ବିଶ୍ବକପ୍‌ : କଳିଙ୍ଗରେ କମାଲ କଲା ଜର୍ମାନି, ୩-୦ରେ ଜାପାନକୁ ହରାଇଲା..

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ-୨୦୨୩ର ଅଷ୍ଟମ ମ୍ୟାଚ୍‌ରେ ଜର୍ମାନି କମାଲ କରିଛି। ଜାପାନ ବିପକ୍ଷରେ ଜର୍ମାନି ୩-୦ ଗୋଲ୍‌ରେ ବିଜୟୀ ହୋଇଛି। ଜର୍ମାନି ୩୫, ୪୦ ଓ ୪୮ ମିନିଟରେ ଜାପାନକୁ ଗୋଲ ଦେଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି।
କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଜାପାନ ଉପରେ ଜର୍ମାନି ନିଜର ଆଧିପତ୍ୟ ଜାରି ରଖିଥିଲା। ଜର୍ମାନି ପାଖରେ ସବୁ‌ବେଳେ ବଲ୍‌ ରହୁଥିଲା। ଉଭୟ ଜର୍ମାନି ଓ ଜାପାନ ଦଳର ଖେଳାଳି ପ୍ରଥମ ୨ଟି କ୍ବାର୍ଟର ପର୍ଯ୍ୟନ୍ତ ଆକ୍ରମଣାତ୍ମ ଦେଖାଯାଇଥିଲେ ହେଁ ୩ୟ କ୍ବାର୍ଟରରେ ଜର୍ମାନିର ଗ୍ରାମବୁସ ମେଟ୍‌ସ ଓ ୪୦ ମିନିଟରେ ରୁହର ଖ୍ରୀଷ୍ଟୋଫର ଯଥାକ୍ରମେ ପେନାଲ୍ଟି ଓ ଫିଲ୍ଡ ଗୋଲ୍‌ ଦେଇ ନିଜ ଦଳକୁ ଆଗୁଆ କରିଥିଲେ। ପ୍ରିଞ୍ଜ ଥିଜ୍‌ ୪୮ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ। ପୂରା ମ୍ୟାଚ‌ରେ ଜର୍ମାନିକୁ ୮ ଥର ପେନାଲ୍ଟି ଗୋଲ ଦେବାର ସୁଯୋଗ ମିଳିଥିଲା। କିନ୍ତୁ ଥରେ ମାତ୍ର ଗୋଲ ଦେଇପାରିଥିଲା। ଅପରପକ୍ଷେ ଜାପାନକୁ ପେନାଲ୍ଟି ଗୋଲ ଦେବା ପାଇଁ ଥରଟିଏ ମାତ୍ର ସୁଯୋଗ ମିଳିଥିଲା।
ଏଠାରେ ଶନିବାର ଖେଳାଯାଇଥିବା ଅନ୍ୟ ଏକ ଗ୍ରୁପ୍‌ ମ୍ୟାଚ୍‌କୁ ବେଲଜିୟମ ଜିତିଥିଲା। କୋରିଆକୁ ବିଗତ (୨୦୧୮ ହକି ବିଶ୍ବକପ) ଚାମ୍ପିଅନ୍‌ ବେଲଜିୟମ୍‌ ୫-୦ ଗୋଲ୍‌ରେ ପରାସ୍ତ କରିଥିଲା। ଟିମ୍‌ ପକ୍ଷରୁ ହେଣ୍ଡରିକ୍ସ ଆଲେକଜାଣ୍ଡର ୩୦ ମିନିଟରେ ପେନାଲ୍ଟି ଗୋଲ ଦେଇଥିଲେ। ୪୨ ମିନିଟରେ କୋସନି ଟାଙ୍ଗୁଏ ଫିଲ୍ଡ ଗୋଲ୍‌ ଓ ଭାନ ଆଉବେଲ ଫ୍ଲୋରେଣ୍ଟ ୪୯ ମିନିଟରେ ପେନାଲ୍ଟି ଗୋଲ୍‌ ଦେଇଥିଲେ। ଡକ୍‌ଏର ସେବଷ୍ଟାଇନ୍‌ ୫୧ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ୫୭ ମିନିଟରେ ବେଲଜିୟମ ଆଉ ଏକ ଗୋଲ ଦେଇଥିଲା। ଏହି କାମ କରିଥିଲେ ଡି ସ୍ଲୋଭର ଆତହୁର। କୋରିଆକୁ ୬ ଥର ପୋନଲ୍ଟି ଗୋଲ ଦେବାର ସୁଯୋଗ ମିଳିଥିଲା। କିନ୍ତୁ ଦଳର ଖେଳାଳିମାନେ ଏଥିରୁ ଲାଭ ଉଠାଇପାରି ନଥିଲେ।
ବିଶ୍ବକପର ୬ଷ୍ଠ ମ୍ୟାଚ୍‌ ଅପରାହ୍‌ଣ ୩ଟାରେ ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ନେଦରଲ୍ୟାଣ୍ଡ୍‌ସ ଠାରୁ ମାଲେସିଆ ୪-୦ରେ ପରାସ୍ତ ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ନେଦରଲାଣ୍ଡ୍‌ସ ୨ଟି ଗୋଲ ଦେଇଥିଲା। ୧୯ ମିନିଟରେ ଭାନ ଦାମ୍‌ ଥିଜ୍‌ସ ଫିଲ୍ଡ ଗୋଲ ଦେଇଥିଲେ। ଜନସିନ ଜିପ୍‌ ୨୩ ମିନିଟରେ ପେନାଲ୍ଟି ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ।
୩ୟ କ୍ବାର୍ଟର ସୁଦ୍ଧା ମାଲେସିଆକୁ ୩ ଥର ପେନାଲ୍ଟି ଗୋଲ ସୁଯୋଗ ମିଳିଥିଲା। କିନ୍ତୁ ଖେଳାଳିମାନେ ଏଥିରୁ ଲାଭ ଉଠାଇପାରି ନ ଥିଲେ। ଶେଷ କ୍ବାର୍ଟରରେ ନେଦରଲ୍ୟାଣ୍ଡ୍‌ସର ଖେଳାଳି ବେନିସ୍‌ ଟେଉନ୍‌ ୪୬ ମିନିଟରେ ପେନାଲ୍ଟି ଗୋଲ ଦେଇଥିଲେ। କ୍ରୋନ୍‌ ଜୋରିତ ୫୯ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ।
ଆଜି ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୩-୧ ଗୋଲ୍‌ରେ ଚିଲିକୁ ପରାସ୍ତ କରିଛି। ଟୁର୍ଣ୍ଣାମେଣ୍ଟର ପଞ୍ଚମ ମ୍ୟାଚ୍‌ରେ ଚିଲି ପ୍ରଥମ ଥର ପାଇଁ ଭାଗ ନେଇଥିଲା ବେଳେ ହାରିଛି। ମ୍ୟାଚ୍‌ ଆରମ୍ଭରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ଚିଲି ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଚିଲିର ଖେଳାଳିମାନେ ସୁଯୋଗ ଦେଉ ନଥିଲେ।
ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ ଦୁଇଟି ଗୋଲ୍ ଦେଇଥିଲା। ଏହା ଫିଲ୍ଡ ଗୋଲ୍ ଥିଲା। ସାମ୍ ଲେନ୍ ଓ ସାମ୍ ହିହା ଏହି ଦୁଇଟି ଗୋଲ୍ କରିଥିଲେ। ଏହି କ୍ୱାର୍ଟରରେ ଚିଲି ଗୋଟିଏ ପେନାଲ୍‌ଟି କର୍ଣ୍ଣର ପାଇଥିଲା। କିନ୍ତୁ ଗୋଲ୍‌ରେ ପରିଣତ କରି ପାରି ନଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିବା ବେଳେ ଚିଲ୍ ଏହାକୁ ଗୋଲ୍‌ରେ ପରିଣତ କରିବାକୁ ଦେଇ ନଥିଲା।
ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ କ୍ୱାର୍ଟରରେ ୧୯ ମିନିଟରେ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା। ସାମ୍ ହିହା ଏହି ଗୋଲ୍‌ଟି ଦେଇଥିଲେ। ଏହା ଥିଲା ତାଙ୍କର ଦ୍ୱିତୀୟ ଗୋଲ୍‌। ଜବାବରେ ଚିଲି ଚତୁର୍ଥ କ୍ୱାର୍ଟରରେ ତା’ର ପ୍ରଥମ ଗୋଲ୍ ଦେଇଥିଲା। ଦଳ ପକ୍ଷରୁ ଏହି ଗୋଲ୍ କରିଥିଲେ ଇଗ୍ନାସିଓ କୋଣ୍ଟାର୍ଡୋ।

nis-ad
Leave A Reply

Your email address will not be published.