ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ରାତିରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୧ ପୁଲିସ କର୍ମଚାରୀ ନିଲମ୍ବିତ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ରାତିରେ ଘଟିଥିବା ହୃଦୟ ବିଦାରକ ଘଟଣାରେ ଅବହେଳା ଲାଗି ଦିଲ୍ଲୀ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦିଲ୍ଲୀର କାଞ୍ଝାୱାଲାରେ କାରରେ ବସିଥିବା କିଛି ଯୁବକ ଏକ ସ୍କୁଟିକୁ ଧକ୍କା ଦେବା ସହ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ନେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ଘଟିବା ଦିନଠାରୁ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେବେ ଏହି ଘଟଣା ଦିନ ଯେଉଁ ପୁଲିସ କର୍ମଚାରୀ ଡିୟୁଟିରେ ଥିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, କାରଣ ସେମାନେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ରାତିରେ କର୍ତ୍ତବ୍ୟରେ ଅବହେଳା କରିଥିବା ପ୍ରମାଣିତ ହୋଇଛି । ରୋହିଣୀ ଜିଲ୍ଲାରେ ପିସିଆର ଓ ପିକେଟରେ ଥିବା ୧୧ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

ଏହାପୂର୍ବରୁ ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀ ଶାଳିନୀ ସିଂହଙ୍କ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରାଳୟ ପୁଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲା। ତେବେ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ମହଜୁଦ ସାକ୍ଷୀଙ୍କ ବୟାନ ଆଧାରରେ ପୁଲିସ କାଞ୍ଝଓ୍ବାଲା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ୩୦୨ ଧାରା ଅର୍ଥାତ ହତ୍ୟା ମାମଲା ରୁଜୁ କରିଛି। ଏଥିସହ ପୁଲିସ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି।

ଗୃହ ମନ୍ତ୍ରାଳୟ କହିଛି କି ଯେଉଁ ସମୟରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଲା, ସେହି ସମୟରେ ଆଇନ ବ୍ୟବସ୍ଥା କ’ଣ ଥିଲା? ସେ ନେଇ ସଂପୃକ୍ତ ଅଞ୍ଚଳର ଡିସିପି ସ୍ପଷ୍ଟୀକରଣ ଦିଅନ୍ତୁ। ଯଦି କିଛି ଉଚିତ ଜବାବ ନାହିଁ ତେବେ ତାଙ୍କ ବିରୋଧରେ ବି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଅନ୍ୟ ଏକ ନିର୍ଦେଶ‌ରେ କୁହାଯାଇଛି କି ଘଟଣା ଘଟିଥିବା ସ୍ଥାନରେ ପର୍ଯ୍ୟାପ୍ତ ଆଲୋକର ବ୍ୟବସ୍ଥା କରାଯାଉ।

nis-ad
Leave A Reply

Your email address will not be published.