ଜୀବନ ହାରିଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ, ଆଇଏନଏଲଡି ରାଜ୍ୟ ମୁଖ୍ୟଙ୍କ ନାଁରେ ମାମଲା…

ରୋହତକ: ହରିଆଣାର ଝାଜରରେ ରାଜ୍ୟର ପୂର୍ବତନ ମନ୍ତ୍ରୀ ମନଙ୍ଗେ ରାମ ରାଠୀଙ୍କ ପୁଅ ଜଗଦୀଶ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିବାକୁ ଜଗଦୀଶଙ୍କୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଇଏନଏଲଡିର ରାଜ୍ୟ ମୁଖ୍ୟ ନାଫେ ସିଂହ ରାଠୀ ଓ ଅନ୍ୟ ୫ ଜଣଙ୍କ ନାଁରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଝାଜର ଏସ୍‌ପି ୱାସୀମ ଆକ୍ରମ କହିଛନ୍ତି, “୫୫ ବର୍ଷୀୟ ଜଗଦୀଶ ବୁଧବାର ସନ୍ଧ୍ୟାରେ ବିଷ ପିଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପାଇଁ ୬ ଜଣଙ୍କ ନାଁରେ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ମାମଲା ହୋଇଛି। ଏମାନଙ୍କ ମଧ୍ୟରେ ଆଇଏନଏଲଡିର ହରିଆଣା ମୁଖ୍ୟ ନାଫେ ସିଂହ ରାଠୀଙ୍କ ନାଁ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ସେ ବିଷ ପିଇ ଜୀବନ ହାରିଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ସବୁ କିଛି ସ୍ପଷ୍ଟ ହେବ।” ତେବେ ନାଫେ ସିଂହ ରାଠୀଙ୍କ ‍ଫୋନ ବନ୍ଦ ଥିବା ବେଳେ ପୂରା ଘଟଣା ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।
ମିଳିଥିବା ସୂଚନା ଅନୁସାରେ, କିଛି ଅଭିଯୁକ୍ତ ଜଗଦୀଶଙ୍କୁ ଗୋଟିଏ ଜମି ଜମା ମାମଲାରେ ହଇରାଣ କରୁଥିଲେ। ଏଥିପାଇଁ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ଏପରି କି ସେ ଗୋଟିଏ ଅଡିଓ କ୍ଲିପ ଜରିଆରେ ନିଜର ମନର ବେଦନା ସମସ୍ତଙ୍କୁ ଜଣାଇଥିଲେ।
ଡିସେମ୍ବର ୨୬ରେ ସାମ୍ନାକୁ ଆସିଥିବା ଜଗଦୀଶଙ୍କ ଅଡିଓରେ ସେ ସ୍ପଷ୍ଟ ଭାବେ ଅଭିଯୁକ୍ତମାନେ ତାଙ୍କୁ ହଇରାଣ କରୁଥିବା କହିଥିଲେ। ଏଥିସହ ଯଦି କିଛି ଅଘଟଣ ଘଟିବ, ତା’ହେଲେ ଏଥିପାଇଁ ଅଭିଯୁକ୍ତମାନେ ଦାୟୀ ରହିବେ। ଅଡିଓ କ୍ଲିପ ଭାଇରାଲ ହେବା ପରେ ପୁଲିସ ଜଗଦୀଶଙ୍କୁ ଯୋଗାଯୋଗ କରିଥିଲା ଓ ଅଭିଯୋଗ କରିବାକୁ କହିଥିଲା। କିନ୍ତୁ ସେ କୌଣସି ପ୍ରକାରର ଲିଖିତ ଅଭିଯୋଗ କରି ନଥିଲେ। ଏସବୁ ଭିତରେ ହିଁ ଜଗଦୀଶ ବିଷ ପିଇ ଜୀବନ ହାରିଛନ୍ତି।

nis-ad
Leave A Reply

Your email address will not be published.