ହକି ବିଶ୍ବକପ୍‌ ପାଇଁ ଭୁବନେଶ୍ବରରୁ ରାଉରକେଲା ଗଡ଼ିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍…

ଭୁବନେଶ୍ବର: ଭୁବନେଶ୍ୱର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ଏଫଆଇଏଚ ପୁରୁଷ ହକି ବିଶ୍ୱକପ ୨୦୨୩ ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ରେଳ ଯାତ୍ରୀମାନଙ୍କୁ ଉତ୍ତମ ଯାତ୍ରା ସୁବିଧା ବିଶେଷ ଭାବେ ହକିପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଗାଇଦେବାପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି। ଚଳିତ ଜାନୁଆରି ମାସରେ ଏହି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ୦୨୮୩୪ ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଭୁବନେଶ୍ୱରରୁ ୧୪ ରୁ ୩୦ ଜାନୁଆରି ୨୦୨୩ ମଧ୍ୟରେ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର ଏବଂ ଶନିବାର ଦିନ ମାନଙ୍କରେ ସନ୍ଧ୍ୟା  ୮ଟା ୨୫ରେ  ଛାଡି ରାଉରକେଲା ଯାତ୍ରା କରିବ।

ଫେରିବା ମାର୍ଗରେ ୦୨୮୩୩ ରାଉରକେଲା-ଭୁବନେଶ୍ୱର ସ୍ପେଶାଲ ରାଉରକେଲା ଠାରୁ ୧୫ ରୁ ୩୧ ଜାନୁଆରି ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ଦିନ ମାନଙ୍କରେ ରାତି ୧୧ଟା ୨୫ରେ ଭୁବନେଶ୍ୱର ଯାତ୍ରା କରିବ। ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ତିନିଟି ଏସି-୩ ଟାୟାର, ଆଠଟି ସ୍ଲିପର କ୍ଲାସ, ଚାରିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ହେବାକୁ ଥିବାବେଳେ ଏହା ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଉଭୟ ପାର୍ଶ୍ୱରୁ କଟକ, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ସମ୍ବଲପୁର ସିଟି ଏବଂ ଝାରସୁଗୁଡା ମଧ୍ୟରେ ରହଣି କରିବ।

ଟ୍ରେନ୍‌ ନମ୍ବର ୦୨୮୩୬/୦୨୮୩୫ ପୁରୀ-ରାଉରକେଲା-ପୁରୀ ହକି ସ୍ପେଶାଲ୍ ୧୪ ରୁ ୩୧ ଜାନୁଆରି ପର୍ଯ୍ୟନ୍ତ ପ୍ରତିଦିନ ଚଳାଚଳ କରିବ। ଏହି ଟ୍ରେନ ପୁରୀ ଠାରୁ ସକାଳ ୫ଘ.୧୫ମି.ରେ ଛାଡି ରାଉରକେଲା ଠାରେ ଅପରାହ୍ନ ୧୨ଘ.୪୫ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହା ରାଉରକେଲା ଠାରୁ ଅପରାହ୍ନ ୧ଘ.୩୦ମି.ରେ ଛାଡି ପୁରୀ ଠାରେ ରାତ୍ରୀ ୧୦ଘ.୩୦ମି.ରେ ପହଞ୍ଚିବ। ଏହି ଟ୍ରେନରେ ଦୁଇଟି ଏସି-୩ ଟାୟାର୍, ତିନିଟି ସ୍ଲିପର୍ କ୍ଲାସ୍, ଛଅ ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଏବଂ ଜେନେରେଟର କାର୍ ଉପଲବ୍ଧ ଥିବାବେଳେ ଏହା ଉଭୟ ପାର୍ଶ୍ୱରୁ ପୁରୀ ଓ ରାଉରକେଲା ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡା ଏବଂ ରାଜଗଙ୍ଗପୁର ଷ୍ଟେସନ ମାନଙ୍କ ଠାରେ ରହଣି କରିବ।

ଏହା ବ୍ୟତୀତ ୦୨୮୩୨/୦୨୮୩୧ ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ୍ ମଧ୍ୟ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଦିନ ଧାନବାଦ୍ରୁ ରାଉରକେଲା ମାର୍ଗ ଦେଇ ଚଳାଚଳ କରୁଅଛି। ସେହିଭଳି ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ, ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସ, ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ, ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ ଟ୍ରେନ ଗୁଡିକ ଦୈନିକ ଚଳାଚଳ କରୁଛି ଯାହାକି ଭୁବନେଶ୍ୱର ଓ ରାଉରକେଲାକୁ ଟ୍ରେନ ମାଧ୍ୟମରେ ସଂଯୋଗ କରୁଛି। ସେହିପରି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ଝାରସୁଗୁଡା ଏବଂ ଭୁବନେଶ୍ୱର-ଆନନ୍ଦ ବିହାର ଏକ୍ସପ୍ରେସ ଟ୍ରେନ ଭାୟା ଅନୁଗୁଳ ଓ ଝାରସୁଗୁଡା ମଧ୍ୟ ଭୁବନେଶ୍ୱର ଏବଂ ରାଉରକେଲା ମଧ୍ୟରେ ସାପ୍ତାହିକ ଭାବେ ଉପଲବ୍ଧ ଅଛି।

nis-ad
Leave A Reply

Your email address will not be published.