ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ ନିଖୋଜ…

ଗୁଣପୁର: ବାରମ୍ବାର ବଦଳିରେ ଅତିଷ୍ଠ ହୋଇ ପଡ଼ିଥିଲେ। ସବୁବେଳେ ଚିନ୍ତିତ ରହୁଥିଲେ। ଏହାପରେ ତୁରନ୍ତ ନୂତନ ଜାଗାରେ ଜଏନ କରିବାକୁ ଚିଠି ଆସିବାରୁ ଘାବରେଇଗଲେ। କ’ଣ କରିବେ କିଛି ସ୍ଥିର କରି ନ ପାରି ଶେଷରେ ଘର ଛାଡ଼ିଦେଲେ। ଇତି ମଧ୍ୟରେ  ୫ ଦିନ ବିତିଗଲାଣି ହେଲେ ନିଖୋଜ ସ୍ୱାମୀଙ୍କ ପତ୍ତା ପାଇ ନ ପାରି ଆଖିରୁ ଲୁହ ଗଡ଼ାଉଛନ୍ତି ପତ୍ନୀ। ଆଉ ସ୍ୱାମୀଙ୍କୁ ତୁରନ୍ତ ଖୋଜି ଆଣିବାକୁ ପୁଲିସ୍‌ ନିକଟରେ ଗୁହାରୀ କରିଛନ୍ତି।

ନିଖୋଜ ବ୍ୟକ୍ତିଜଣକ ହେଲେ ରାୟଗଡାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗୋଙ୍କ ପୁଅ ଆଶୁତୋଷ ଗମାଙ୍ଗୋ। ସେ  ରାୟଗଡା ଓଡିଶା ୱେର ହାଉସରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିଲେ।  ଗତ ୮ ତାରିଖ ସକାଳୁ ଆଶୁତୋଷ କେଉଁଆଡ଼େ ଚାଲି ଯାଇଥିବା ବେଳେ ଏ ଯାଏ ତାଙ୍କ ପତ୍ତା ମିଳୁନି।   

ନିଖୋଜ ଆଶୁତୋଷଙ୍କ ପତ୍ନୀ ଭବାନୀ ଶବରଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଆଶୁତୋଷ ରାୟଗଡାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ବେଳେ ସେଠାରୁ ତାଙ୍କର ଭବାନିପାଟଣାକୁ ବଦଳି ହୋଇଥିଲା ।

ଭବାନୀପାଟଣାରେ ୨୦୨୨ ମସିହା ଜାନୁଆରୀ ୭ ତାରିଖରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ । ପୁଣି ତିନି ମାସ କାମ କରିବା ପରେ ସେଠାରୁ କେସିଙ୍ଗା ବଦଳି କରାଯାଇଥିଲା । ହେଲେ ବଦଳି ପରେ ସେଠାରେ ଯୋଗ ନଦେଇ ୨୦୨୨ ମାର୍ଚ୍ଚ ୪ ତାରିଖଠାରୁ ଛୁଟିରେ ଥିଲେ। ଏହାରି ଭିତରେ ବଦଳି ବାତିଲ କରିବା ପାଇଁ ଲାଗିଥିଲେ।

 ମାତ୍ର ଗତ ୭ ତାରିଖରେ ତାଙ୍କ ପାଖକୁ ଆସିଥିଲା ଏକ ଚିଠି । ୭ ଦିନ ଭିତରେ ବଦଳି ହୋଇଥିବା ସ୍ଥାନରେ ଜଏନ୍ ନହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠିରେ ଉଲ୍ଲେଖ ଥିଲା । ପରେ ୮ ତାରିଖ ସକାଳ ୫ଟା ସମୟରୁ ରାୟଗଡାର ଏଲଆଇସି କଲୋନୀ ଘରୁ ସେ କୁଆଡ଼େ ଚାଲିଯାଇଥିବା   ଅଭିଯୋଗ କରିଛନ୍ତି  ଭବାନୀ ଶବର।

ବହୁ ଖୋଜଖୋଜି ପରେ ବି କୌଣସି ଖୋଜ୍ ଖବର ନମିଳିବାରୁ ତାଙ୍କ ପତ୍ନୀ ଭବାନୀ ଶବର ଥାନାରେ ନିଖୋଜ ଏତଲା ଦେଇଛନ୍ତି । ଏଥିସହ ସ୍ୱାମୀଙ୍କୁ ଖୋଜି ବାହାର କରିବାକୁ ଆକୁଳ ନିବେଦନ କରିଛନ୍ତି।

 କିଛି ମାସ ପୂର୍ବରୁ ସ୍ୱାମୀଙ୍କ ନିକଟକୁ ଧମକ ପୂର୍ଣ୍ଣ ଚିଠି ଆସିଥିବା ଓ ଏନେଇ ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭବାନୀ ଶବର। ଏ ନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ  ।

nis-ad
Leave A Reply

Your email address will not be published.