ଶ୍ରୀଅଙ୍ଗକୁ ମୂଷା, ଅସରପା ବିପଦ… ! 

ପୁରୀ: ଶ୍ରୀଅଙ୍ଗକୁ ଏବେ ବିପଦ ସାଜିଛନ୍ତି ମୂଷା ଓ ଅସରପା । ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବୁଲୁଛନ୍ତି ବଡ଼ ବଡ ମୂଷା, ଅସରପା । ଏଥିଯୋଗୁଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଦେଖାଦେଇଛି । ଏମିତିକି ଏବେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି କି ସେବାୟତ ଶ୍ରୀଅଙ୍ଗ ପାଖକୁ ଯିବା ବେଳେ ବେଳେ ସମ୍ଭବ ହେଉନି । ସେବା ପାଇଁ ଗଲା ବେଳେ ମୂଷା ଅନେକ ସମସ୍ୟା ସୃଷ୍ଟି କରୁଛନ୍ତି । ଏଭଳି ସମସ୍ୟା ଗୋଟିଏ କିମ୍ବା ଦୁଇଟି ଦିନ ନୁହେଁ ବର୍ଷ ବର୍ଷ ଧରି ମୂଷା ସମସ୍ୟା ଲାଗି ରହିଛି ।

ମୂଷା ଓ ଅସରପା ଶ୍ରୀଅଙ୍ଗକୁ ଖରାପ କରୁଥିବା ବେଳେ ଶ୍ରୀଅଙ୍ଗ ଓ ଖଣ୍ଡୁଆ ପାଟକୁ ବି ବହୁ ସମୟରେ ନଷ୍ଟ  କରି ଦେଉଛନ୍ତି। ଏନେଇ ବହୁବାର ପ୍ରଶାସନ ପକ୍ଷରୁ ମୂଷା ଧରିବାକୁ ବ୍ୟବସ୍ଥା ହୋଇଛି, ତଥାପି କୌଣସି ସୁଫଳ ମିଳିନଥିବା ସେବାୟତଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିଛି ।

ଏନେଇ ସେବାୟତ ସତ୍ୟନାରାୟଣ ସିଂହାରୀ କହିଛନ୍ତି, ପ୍ରଭୁଙ୍କ ବେଶ ସମୟରେ ଅସରପା ମୁଣ୍ଡ ଉପରେ ଚାଲୁଥିବା ବେଳେ ଚାରିଆଡ଼େ ବୁଲୁଛନ୍ତି ମୂଷା। ଭଣ୍ଡାର ଘରେ ମୁଷା, ଅସରପା ଭର୍ତ୍ତି। ସେମାନଙ୍କ ଯୋଗୁ ବିପଦରେ ଶ୍ରୀଅଙ୍ଗ । ଏନେଇ ମନ୍ଦିର ପ୍ରଶାସନକୁ ପ୍ରାୟ ୨୦ ବର୍ଷ ହେଲା ଜଣାଇ ଆସୁଛୁ। ହେଲେ କିଛି ପଦକ୍ଷେପ ନିଆଯାଉନି।

ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ମୂଷାକୁ ଧରିବାକୁ ପ୍ରଶାସନ ତରଫରୁ କଳାହାଟ ଦୁଆରେ ଯେଉଁ ଜନ୍ତା ବସୁଛି ସେଥିରେ ସେମାନେ ପଡ଼ୁ ନାହାନ୍ତି । ମହାପ୍ରଭୁ ରତ୍ନ ସିଂହାସନରେ ବିରାଜମାନ କରୁଥିବା ବେଳେ ଚାନ୍ଦୁଆ ଉପରେ ମୂଷା ରହୁଛନ୍ତି। ମହାପ୍ରଭୁ ଯେତେବେଳେ ନବଦିନ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି, ସେତେବେଳେ ତାହା ପରିଷ୍କାର ହୁଏ। ଏହାବାଦ ମହାପ୍ରଭୁଙ୍କ ଭୋଗ ନଳା ପାଖରେ ପକା ଯାଉଥିବା ବେଳେ ମୂଷାମାନେ ତାହାକୁ ଖାଇ ରହୁଛନ୍ତି।

ହେଲେ ମୂଷା ପାଇଁ କୌଣସି ବିପଦ ନ ଥିବା କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ଶ୍ରୀଅଙ୍ଗକୁ ସୁରକ୍ଷା କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା ହେଉଛି। ଶ୍ରୀଅଙ୍ଗରେ ଚନ୍ଦନ ଓ କର୍ପୁର ଲେପ ଦିଆଯାଉଥିବା ସେ କହିଛନ୍ତି।

nis-ad
Leave A Reply

Your email address will not be published.