‘ମୁଁ ସବୁଦିନ ପାଇଁ ଖେଳିବି ନାହିଁ’ – ବିରାଟ କୋହଲି

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚରେ ୧୧୩ ରନର ସ୍କୋର କରି ବିଜୟୀ ଇନିଂସ ପାଇଁ ବିରାଟ କୋହଲିଙ୍କୁ ମଙ୍ଗଳବାର ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଥିଲା। କୋହଲି ମ୍ୟାଚ୍‌ରେ ୮୮ଟି ବଲରେ ୧୧୩ ରନର ଇନିଂସ ଖେଳିଥିବାରୁ ଭାରତ ୭ ୱିକେଟ ହରାଇ ୩୭୩ ରନ ଭଳି ଏକ ବଡ଼ ସ୍କୋର କରିଥିଲା।
ଏଥିସହ ଶ୍ରୀଲଙ୍କାକୁ ୬୭ ରନରେ ହରାଇବାକୁ ମଧ୍ୟ ଦଳ ସକ୍ଷମ ହୋଇଥିଲା। ଶ୍ରୀଲଙ୍କା ୮ଟି ୱିକେଟରେ ୩୦୬ ରନ କରି ପାରିଥିଲା। ତେବେ ଏହି ମ୍ୟାଚ୍‌ ପରେ ବିରାଟ ନିଜ ଖେଳକୁ ନେଇ ବଡ଼ ବୟାନ ଦେଇଛନ୍ତି। ଏହି ବୟାନ ଶୁଣିବା ପରେ ତାଙ୍କ ଫ୍ୟାନ୍ସମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ବିରାଟ ଏପରି କାହିଁକି କହିଲେ ବୋଲି ଫ୍ୟାନ୍ସ ପ୍ରଶ୍ନ କରିଛନ୍ତି।
ଦିନିକିଆ ସିରିଜରେ ୪୫ତମ ଶତକ ପୂରଣ କରିଥିବା ବିରାଟ କୋହଲି ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ଏହି ଅବସରରେ ସେ କହିଥିଲେ,‘ଭାଙ୍ଗି ପଡ଼ିଲେ ଆପଣ କୌଣସି ପରିସ୍ଥିତିରେ ଆଗକୁ ବଢ଼ି ପାରିବେ ନାହିଁ। କୌଣସି କଥାକୁ କଦାପି ଜଟିଳ କରନ୍ତୁ ନାହିଁ। ପଡ଼ିଆକୁ ମନଖୋଲି ଓହ୍ଲାନ୍ତୁ ଓ ମଜା ନେଇ ନିର୍ଭୟରେ ଖେଳନ୍ତୁ। ଆପଣଙ୍କୁ ସର୍ବଦା ଉଚିତ କାରଣ ପାଇଁ ଖେଳିବାର ଅଛି, ଏହାକୁ ମନେ ରଖିବାକୁ ହେବ। ପ୍ରତିଟି ମ୍ୟାଚ୍‌କୁ ଏପରି ଖେଳିବାକୁ ହେବେ, ଯେମିତି ତାହା ଆପଣଙ୍କ ଶେଷ ମ୍ୟାଚ୍ ହୋଇଥିବ। ଆଉ ଖେଳକୁ ଆଗକୁ ବଢ଼ାଇ ଚାଲନ୍ତୁ। ମୁଁ ସବୁଦିନ ପାଇଁ ଖେଳିବାକୁ ଯାଉନାହିଁ। ମୁଁ ଏକ ଖୁସିର ସ୍ଥାନରେ ରହିଛି। ଆଉ ମୋର ଏହି ସମୟକୁ ଉପଭୋଗ କରୁଛି।”
ଏଥିସହିତ ଖେଳ ଜିତିବା ପରେ ବିରାଟ ପ୍ରସ୍ତୁତି କେମିତି କରିଥିଲେ ବୋଲି ପଚରା ଯିବାରୁ ସେ କହିଥିଲେ, “ମୋ ପ୍ରସ୍ତୁତି ଓ ଲକ୍ଷ୍ୟ ସବୁବେଳେ ସମାନ ରହିଥାଏ। ପୂର୍ବରୁ ଯେମିତି ଖେଳି ଆସିଛି, ଏଥର ବି ସେମିତି ଖେଳିଛି। ଏଥିରେ କିଛି ଭିନ୍ନ ନଥିଲା।’
‘ମୁଁ ଭଲ ଭାବେ ବଲକୁ ହିଟ୍‌ କରୁଥିଲି। ଆଉ ବୁଝି ଯାଇଥିଲି କି ଆମକୁ ଅତିରିକ୍ତ ଭାବେ ୨୫ରୁ ୩୦ ରନ ନିହାତି ଦରକାର। ଏହାପ‌ରେ ସ୍ଥିତିକୁ ଦେଖି ଖେଳିବା ଆରମ୍ଭ କରିଥିଲି। ଦଳକୁ ଗୋଟିଏ ଭଲ ସ୍କୋରରେ ପହଞ୍ଚାଇବା ମୋର ସବୁ ଖେଳର ଉଦ୍ଦେଶ୍ୟ ରହିଥାଏ। ଏହି ଖେଳରେ ବି ‌ସମାନ ଉଦ୍ଦେଶ୍ୟ ରହିଥିଲା।’ ଏପରି ମନ୍ତବ୍ୟ ରଖିଥିଲେ ବିରାଟ କୋହଲି।

nis-ad
Leave A Reply

Your email address will not be published.