ଗଞ୍ଜେଇ ଉପରେ ପୁଲିସ କଡ଼ା ନଜର ରଖିବା ପରେ ଟାବଲେଟ୍ ମୁହାଁ ଯୁବପିଢ଼ି…

ଚେନ୍ନାଇ: ଦେଶରେ ଗଞ୍ଜେଇକୁ ବେଆଇନ୍‌ ଘୋଷଣା କରାଯାଇଛି। ତଥାପି ଏହାର ଚୋରା ଚାଲାଣ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, କଲିକତା, ଚେନ୍ନାଇରେ ଅଧିକ ହେଉଛି। ଆଜିକାଲି ଶିକ୍ଷିତ ଓ ଆଧୁନିକ ଭାରତୀୟ ଯୁବକଯୁବତୀମାନେ ମଉଜ ପାଇଁ ଲୁଚାଇଛପାଇ ଗଞ୍ଜେଇ ପାର୍ଟି କରୁଛନ୍ତି। ଯାହାକୁ କୁହାଯାଉଛି ‘ରେଭ୍‌ ପାର୍ଟି’। କିନ୍ତୁ ଗଞ୍ଜେଇ ଚୋରା କାରବାର ଉପରେ ଚେନ୍ନାଇ ପୁଲିସ କଡ଼ା ନଜର ରଖିବା ପରେ ଯୁବପିଢ଼ିମାନେ ସେମାନଙ୍କ ନିଶା ସେବନର ଟ୍ରାକ ବଦଳାଇଛନ୍ତି। ଚେନ୍ନାଇରେ ଗଞ୍ଜେଇ ପ୍ରତିବଦଳରେ ସମାନ ଧରଣର ଆଉ କେତେକ ନିଶା ଔଷଧର କାରବାର ବଢ଼ିଛି। ଏହି ଔଷଧ ଗୁଡ଼ିକ ମଧ୍ୟ ବେଆଇନ୍‌ ଭାବେ ଚାଲାଣ ହେଉଛି।

ଏହି ଔଷଧ ଗୁଡ଼ିକ ହେଲା ମେଟାଫେଟାମାଇନ୍, ନିତ୍ରାଜେପାମ, ଇଫେଡ୍ରାଥଇନ୍‌ ଏବଂ ଟପେଣ୍ଟାଡଲର। ଏହାର ଚାହିଦା ବହୁଳ ମାତ୍ରାରେ ବଢ଼ିଛି। ବିଶେଷ କରି ଏହି ସବୁ ନିଶା ଔଷଧ ଯୁବପିଢ଼ିଙ୍କୁ ବାୟା କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ବର୍ଷ ଚେନ୍ନାଇ ପୁଲିସ ୫୨,୬୧୨ଟି ଟାବଲେଟ୍‌ ଜବତ କରିଛି। ୨୦୨୧ରେ ଏହି ସଂଖ୍ୟା ଥିଲା ୫,୯୪୯। ତଦନ୍ତ ବେଳେ ବିଶେଷ କରି କଲେଜ ପିଲା, ସ୍କୁଲ ପିଲାମାନେ ଅଧିକ ଏହି ନିଶା ଔଷଧ ସେବନ କରୁଥିବା ଜଣାପଡ଼ିଛି ।

ଉପରୋକ୍ତ ୩ଟି ଟାବଲେଟକୁ ମିକ୍ସ କରି ପାଣିରେ ବତରାଇ ଏହାକୁ ଭେନରେ ଇଞ୍ଜେକ୍ସନ ଭାବେ ନେଉଛନ୍ତି କିମ୍ବା ଚକୋଲେଟରେ ମିଶାଇ ସେବନ କରୁଛନ୍ତି । ତେବେ ବେଆଇନ ନିଶା ଟାବଲେଟ୍‌ ବେପାର ସାମ୍ନାକୁ ଆସିବା ପରେ ରାଜ୍ୟ ଔଷଧ ନିଗମ ୯ଟି ମେଡିସନ୍‌ ଦୋକାନକୁ ସିଲ କରିବା ସହ ୩୫ ଜଣ ରିଟେଲଙ୍କ ଲାଇସେନ୍ସ ସିଲ କରିଛି। ସେହପିରି ୧୫୦ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଯବପିଢ଼ିମାନେ ଏହି ମେଡିସିନକୁ ଅନଲାଇନରେ ମଗାଉଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.