କୂଳରୁ ବାସନ୍ଦ କରାଯାଇଥିବା କୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଯୁବକ

ଛତ୍ରପୁର : କୂଳ ସମାଜରୁ ବାସନ୍ଦ ହୋଇଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ରାମ୍ପୁଡି ଗ୍ରାମର ଦଣ୍ଡେଶ୍ୱର ନାହାକ ମଙ୍ଗଳବାର ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଗତ ୨୦୧୬ ମସିହାରେ ଆସିକା ବ୍ଲକ ତୁମ୍ବା ଠେଙ୍ଗାପଲ୍ଲୀ ଅଂଚଳର ଗୋଟିଏ ଝିଅ ସହ ବିବାହ କରିଥିଲେ । କିଛି ଦିନ ପରେ ତାଙ୍କ ସ୍ତ୍ରୀ ଦଣ୍ଡେଶ୍ୱରକୁ ଛାଡି ନିଜ ବାପାଘରକୁ ଚାଲିଯାଇଥିଲେ । ପରେ ଦଣ୍ଡେଶ୍ୱରଙ୍କୁ ବାଧ୍ୟ କରି ଛାଡପତ୍ର କରାଇବା ସହ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ କୂଳ ବୈଠକରୁ ବାସନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି ଦଣ୍ଡେଶ୍ୱର । ଏହା ସହ ତାଙ୍କୁ ଦେଢ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ପକାଯାଇଥିବା ସେ ଅଭିଯୋଗ କରିଛନ୍ତି । ଦଣ୍ଡେଶ୍ୱର ଝାରସୁଗୁଡା ଅଂଚଳରେ ଏକ କିରାଣି ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ପରିବାର କବିସୂର୍ଯ୍ୟନଗର ବ୍ଲକ ରାମ୍ପୁଡି ଗ୍ରାମରେ ବାସ କରୁଛନ୍ତି । ହେଲେ, ତାଙ୍କ ପରିବାର ଲୋକଙ୍କୁ କୂଳରୁ ବାସନ୍ଦ କରାଯାଇଥିବାରୁ ସେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା କହିଛନ୍ତି । ଏନେଇ ସେ ପୂର୍ବରୁ ବିଭିନ୍ନ ବିଭାଗୀୟ ଅଧିକାରୀ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳବାରୁ ସେ ବାଧ୍ୟ ହୋଇ ଗତ ନଭେମ୍ବର ୨୨ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ସେ ଆଜି ବାଧ୍ୟ ହୋଇ ପୁଣି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଏଣୁ ତାଙ୍କୁ କୂଳରୁ କରାଯାଇଥିବା ବାସନ୍ଦକୁ ଉଠାଇବା ସହ ତାଙ୍କ ଉପରେ ଲଗାଯାଇଥିବା ଜୋରିମାନାକୁ ହଟାଇବା ପାଇଁ ସେ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.