ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ମୃତ୍ୟୁ…

ମସ୍କାଟ: ମୃତ୍ୟୁ କେତେବେଳେ ଓ କେମିତି କାହାକୁ ନେଇଯିବ, ସେକଥା କେହି ଜାଣିନାହାନ୍ତି। ବିଶେଷ କରି ମହାମାରୀ କରୋନା ପରେ ପୂରା ବିଶ୍ୱ ଆଗରେ ଏବେ ହୃଦଘାତ ଗୋଟିଏ ଜଟିଳ ସମସ୍ୟା ଭାବେ ଉଭା ହୋଇଛି। ହୃଦଘାତ ଅନେକ ସୁସ୍ଥ ସବଳ ଲୋକଙ୍କୁ ମଧ୍ୟ ହଠାତ୍‌ ପରପାରିକୁ ନେଇଯାଉଛି। ଷ୍ଟେଜ ଉପରେ କାହାର ଜୀବନ ଯାଉଥିବା ବେଳେ ଆଉ କିଏ ବସିଥିବା ବେଳେ ଟଳି ପଡ଼ୁଛି। କିଛି ସେକେଣ୍ଡ ମଧ୍ୟରେ ସବୁ କିଛି ବଦଳି ଯାଉଛି।

ଏହିକ୍ରମରେ ବ୍ୟାଡମିଣ୍ଟନ କୋର୍ଟରୁ ଆସିଛି ସମାନ ଘଟଣା। ବ୍ୟାଡମିଣ୍ଟନ ଖେଳି ମଜା ଉଠାଉଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତି ସେହିଠାରେ ହିଁ ଟଳି ପଡ଼ିଛନ୍ତି। ଓମାନର ମସ୍କାଟରେ ଏହି ଘଟଣା ଘଟିଛି। ବ୍ୟାଡମିଣ୍ଟନ ଖେଳିବା ବେଳେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଛନ୍ତି।

ଟାଇମ୍ସ ଅଫ ଓମାନର ରିପୋର୍ଟ ଅନୁଯାୟୀ, ଘଟଣାଟି ଜାନୁଆରୀ ୨ ତାରିଖରେ ଘଟିଥିଲା। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପ୍ରାଣ ହରାଇବା ପୂର୍ବରୁ ବ୍ୟକ୍ତି ଜଣଙ୍କ ବେଶ ସକ୍ରିୟ ଭାବେ ପୂରା ବିନ୍ଦାସରେ ବ୍ୟାଡମିଣ୍ଟନ ଖେଳୁଥିଲେ। ସେ ଶଟ୍‌ ପରେ ଶଟ୍‌ ମାରିବା ସହ ପୂରା ଖେଳର ମଜା ଉଠାଇଥିଲେ। ଏପରି କି ଗୋଟିଏ ଶଟ୍‌ ଆଉଟ ଲାଇନରେ ପଡ଼ିବାରୁ ସେ ରାଗି ଚିତ୍କାର କରିଥିଲେ। କିଛି ସମୟରେ ପୁଣି ହସି ଖେଳକୁ ଉପଭୋଗ କରୁଥିଲେ।

ସବୁ କିଛି ଠିକ୍‌ ଠାକ ଥିବା ବେଳେ ମ୍ୟାଚ୍‌ ଅଧାରେ ହିଁ ଘଟିଥିଲା ଅଘଟଣ। ଶଟ ପରେ ଶଟ ମାରୁଥିବା ବ୍ୟକ୍ତି ଜଣଙ୍କ ହଠାତ୍‌ ତଳେ ପଡ଼ି ଯାଇଥିଲେ। ତାଙ୍କ ବନ୍ଧୁମାନେ ସହଯୋଗ କରିଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାଁ ସାର୍ବଜନୀନ ହୋଇନି। କିନ୍ତୁ ତାଙ୍କ ବୟସ ୩୮ ଓ ସେ କେରଳର ମୂଳ ବାସିନ୍ଦା। ଓମାନରେ ସେ ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହ ରହୁଥିଲେ।ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ବେଶ ଫିଟ ରହିବା ସହ ଜଣେ କ୍ରୀଡ଼ାପ୍ରେମୀ। ସ୍ଥାନୀୟ କ୍ରିକେଟ ଲିଗ୍‌ ଠାରୁ ଆରମ୍ଭ କରି ସବୁ ପ୍ରକାରର ଆଉଟ ଡୋର ଗେମକୁ ସେ ଭଲ ପାଉଥିଲେ। ଖାସ ଏହି କାରଣ ପାଇଁ ଘଟଣା ଦିନ ସେ ଆବାସିକ ଅଞ୍ଚଳରେ ବ୍ୟାଡମିଣ୍ଟନ ଖେଳୁଥିଲେ। ସେ ପୂରା ଫିଟ ଥିବା ବେଳେ ଏପରି ହୃଦଘାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

nis-ad
Leave A Reply

Your email address will not be published.