ନୂଆଦିଲ୍ଲୀ: ଜେଏନୟୁର ପୂର୍ବତନ ଛାତ୍ର ନେତା ତଥା ଏଆଇଏସଏର ସଦସ୍ୟ ଶେହଲା ରସିଦଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ନାଁରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାର ବିଚାର ଜାରି ରଖିବାକୁ ଆଜି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଅନୁମତି ଦେଇଛନ୍ତି। ୨୦୧୯ରେ ଶେହଲା ଭାରତୀୟ ସେନାକୁ ଆକ୍ଷେପ କରି ଟ୍ୱିଟ କରିଥିବାରୁ ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା। ଏବେ ତାଙ୍କର ବିଚାର ଜାରି ରଖିବାକୁ ଉପ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୯ରେ ଶେହଲା କରିଥିବା ଟ୍ୱିଟ ଭାରତୀୟ ସେନାର ମର୍ଯ୍ୟାଦାକୁ କ୍ଷତି ପହଞ୍ଚାଇଥିଲା। ଏଥିସହ ଦୁଇ ସଂପ୍ରଦାୟ ମଧ୍ୟରେ ସେ ବିଦ୍ୱେଷ ସୃଷ୍ଟି କରିବା ପାଇଁ ସେ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା।
ଆଇନଜୀବୀ ଅଲୋକ ଶ୍ରୀବାସ୍ତବ ଏନେଇ ଅଭିଯୋଗ କରିବାରୁ ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ ଶେହଲାଙ୍କ ବିରୋଧରେ ଏଫଆଇଆର କରିଥିଲା। ଶ୍ରୀବାସ୍ତବ ତାଙ୍କ ଅଭିଯୋଗରେ କହିଥିଲେ ଯେ ଶେହଲା କରିଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ସେ ଦେଶରେ ହିଂସା ସୃଷ୍ଟି କରିବା ପାଇଁ ଜାଣୁଶୁଣି ମିଥ୍ୟା ଖବରର ପ୍ରଚାର କରୁଛନ୍ତି। ଶେହଲା ଭାରତୀୟ ସେନାର ଛବିକୁ ମଳିନ କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଥିଲେ।
ତାଙ୍କ ଅଭିଯୋଗ ପରେ ପୁଲିସ୍ ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସେଲ ଶେହଲାଙ୍କ ନାଁରେ ୧୨୪ଏ(ଦେଶଦ୍ରୋହ), ୧୫୩-ଏ, ୧୫୩, ୫୦୪ ଓ ୫୦୫ ଅନୁଯାୟୀ ଏଫଆଇଆର ରୁଜୁ କରିଥିଲା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ଶେହଲା ବିରୋଧ କରି ଆସୁଛନ୍ତି। ଏହାକୁ ନେଇ ଅନେକ ସମୟରେ ସେ ସରକାରଙ୍କୁ ସମାଲୋଚନା କରିବାର ନଜିର ରହିଛି।
୨୦୧୯ରେ ଶେହଲା ଟ୍ୱିଟ କରି କହିଥିଲେ ଯେ “ଭାରତୀୟ ସେନା ଯବାନମାନେ ମନଇଚ୍ଛା ଲୋକଙ୍କ ଘରେ ପ୍ରବେଶ କରି ସେମାନଙ୍କୁ ମାଡ଼ ମାରୁଛନ୍ତି। ଜମ୍ମୁ-କଶ୍ମୀର ଲୋକଙ୍କ ମାନବାଧିକାର ଉଲ୍ଲଙ୍ଘନ କରାଯାଉଛି। ଲୋକଙ୍କ ରାସନ ସାମଗ୍ରୀ ଏଣେତେଣେ ଫିଙ୍ଗି ଦେଉଛନ୍ତି। ଚାଉଳରେ ମଧ୍ୟ ତେଲ ମିଶାଇ ଏହାକୁ ନଷ୍ଟ କରିଦେଉଛନ୍ତି। ବିଜେପିର ଏଜେଣ୍ଡା ଅନୁଯାୟୀ ଭାରତୀୟ ସେନା କାର୍ଯ୍ୟ କରୁଛି।
ଖାଲି ସେତିକି ନୁହେଁ, ଲୋକମାନେ କହୁଛନ୍ତି ଜମ୍ମୁ-କଶ୍ମୀର ପୁଲିସ୍ ଆଇନ୍ଶୃଙ୍ଖଳା ନିୟନ୍ତ୍ରଣ କରିବାର ଅଧିକାର ହରାଇଛି। ସେମାନେ ଶକ୍ତିହୀନ ହୋଇଯାଇଛନ୍ତି। ବର୍ତ୍ତମାନ ସବୁ ବ୍ୟବସ୍ଥା ଅର୍ଦ୍ଧସାମରିକ ବାହିନୀ ହାତରେ ରହିଛି। ଜଣେ ସିଆରପିଏଫ୍ ଯବାନଙ୍କ ଅଭିଯୋଗ କ୍ରମେ ଏସ୍ଏଚ୍ଓଙ୍କୁ ବଦଳି କରାଯାଇଛି। ଏସ୍ଏଚ୍ଓ ମାନଙ୍କୁ କେବଳ ଲାଠି ଦିଆଯାଉଛି। ତାଙ୍କ ଠାରୁ ସର୍ଭିସ ବନ୍ଧୁକ ଛଡ଼ାଇ ନିଆଯାଇଛି। ” ତେବେ ଶେହଲା ରସିଦଙ୍କ ଏହି ଅଭିଯୋଗକୁ ଭାରତୀୟ ସେନା ପକ୍ଷରୁ ଖଣ୍ଡନ କରାଯାଇଥିଲା।