ବୁଗୁଡ଼ା ବନାଞ୍ଚଳରେ ହାତୀ ଉପଦ୍ରବ, ବ୍ୟାପକ ଫସଲହାନି, ଚିନ୍ତାରେ ଚାଷୀ

ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳର ପଞ୍ଚୁଭୁତି ସେକ୍ସନ ଉଦୟପୁର ବିଟ୍ ନିକଟସ୍ଥ କରସିଙ୍ଗି ଗ୍ରାମରେ ଗତ ରାତିରେ ବଣୁଆ ହାତୀ ପଲର ଉପଦ୍ରବ ଯୋଗୁଁ ବ୍ଯାପକ ଫସଲ ନଷ୍ଟ ହୋଇଥିବା ଜଣାଯାଇଛି ।
ହାତୀଙ୍କ ଉପଦ୍ରବରେ ଗଙ୍ଗାଧର ପ୍ରଧାନ, ରମେଶ ଚନ୍ଦ୍ର ବାରିକ, ସମିତା ବାରିକ, ସନ୍ଧ୍ୟା ବାରିକ, ଦେବ ସେଠୀ, ସୁଶାନ୍ତ ସେଠୀଙ୍କ ପରିବା ଫସଲ ସହ ଅମଳ ଧାନ ନଷ୍ଟ ହୋଇଛି । ଏ ନେଇ ବନ ବିଭାଗ ଖବର ପାଇବା ପରେ ବନରକ୍ଷୀ ପଲ୍ଲବୀ ନନ୍ଦ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ଫେରିଥିଲେ ହେଁ ଚାଷୀଙ୍କୁ ହାତୀ ପଲର ଭୟ ସାଙ୍ଗକୁ ଫସଲ ହାନିର ଚିନ୍ତା ଘାରିଛି । ପ୍ରକାଶ ଯେ, ପୂର୍ବରୁ ସାତ ଟିକିଆ ହାତୀ ପଲ ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ସ୍ଥାନରେ ଉପଦ୍ରବ କରି ବ୍ଯାପକ ଫସଲ ହାନି ଘଟାଇ ଓଡଗାଁ ବନାଞ୍ଚଳକୁ ଚାଲିଯାଇଥିଲେ । ତେବେ ଗତ ରାତିରେ ପୁଣି ତେର ଟିକିଆ ହାତୀ ପଲ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ କରସିଙ୍ଗି ଗ୍ରାମରେ ପଶି ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଥିଲେ । ଏ ଘଟଣା ସମ୍ପର୍କେ ଚାଷୀମାନେ ସକାଳେ ଜାଣିବା ପରେ ବନ ବିଭାଗକୁ ଜଣାଇଥିଲେ । ହାତୀ ପଲର ଏଭଳି ଉପଦ୍ରବ ବାରମ୍ବାର ଘଟୁଥିଲେ ହେଁ ସ୍ଥାନୀୟ ବନ ବିଭାଗ ଏହାର କୌଣସି ପ୍ରତିକାର ବ୍ଯବସ୍ଥା କରୁ ନଥିବାରୁ ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଅନ୍ୟପକ୍ଷରେ, ଯଦିଓ କେତେବେଳେ ସରକାରୀ ସହାୟତା ରାଶି ଯୋଗାଇ ଦିଆଯାଉଛି ତାହା ବନ୍ଯପ୍ରାଣୀଙ୍କ ଦ୍ବାରା ଘଟୁଥିବା ଫସଲ ହାନିର ପରିମାଣ ତୁଳନାରେ ଯଥେଷ୍ଟ କମ୍ ରହୁଥିବା ନେଇ ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି ।

nis-ad
Leave A Reply

Your email address will not be published.