ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷକ ଭାବେ ନିଯୁକ୍ତି ପାଇ ବି ଦୀର୍ଘ ଦିନ ହେଲା ସ୍କୁଲ ମାଟି ମାଡ଼ୁ ନାହାନ୍ତି। ଏପରି ଶିକ୍ଷକଙ୍କୁ ଟାର୍ଗେଟ କରିଛି ଶିକ୍ଷା ବିଭାଗ । ଏଯାବତ ପ୍ରାୟ ୪୦ ଜଣ ଶିକ୍ଷକ ନିଲମ୍ବିତ ହୋଇ ସାରି ଥିବା ବେଳେ ଆଉ ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ । ସେମାନଙ୍କ ପତ୍ତା ମିଳୁ ନ ଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ  ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସେ କହିଛନ୍ତି,  ସାରା ରାଜ୍ୟରେ ପାଖାପାଖି ୯୬ ଶିକ୍ଷକ ଦୀର୍ଘ ଦିନ ହେଲା ସ୍କୁଲରେ ଅନୁପସ୍ଥିତ ରହିଛନ୍ତି । ୨ ଥର ନୋଟିସ ଦିଆଯିବା ପରେ ବି ସେମାନେ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି। କେବଳ ସେତିକି ନୁହେଁ, ଜିଲ୍ଲାପାଳଙ୍କ ଦ୍ୱାରା ଯେଉଁମାନେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଛନ୍ତି, ଚୁକ୍ତି ସରିଯିବା ପରେ ପୁନଃ ଚୁକ୍ତି କରିବାକୁ ସେମାନେ ଆସୁ ନାହାନ୍ତି।  ଏପରି ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେଲା କାର୍ଯ୍ୟରେ ଅନୁପସ୍ଥିତି ହେତୁ କିଛି ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲାର ୧୦ କନିଷ୍ଠ ଶିକ୍ଷକଙ୍କ ସହିତ ନବରଙ୍ଗପୁର ଜିଲ୍ଲାର ୨୪ ଶିକ୍ଷକ ଓ ସୁନ୍ଦରଗଡ଼ ଜିଲ୍ଲାର ୨ ଶିକ୍ଷକଙ୍କୁ ଚାକିରିରୁ ବିଦା କରାଯାଇଛି। ଏହାବାଦ ବହୁ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତେଣୁ ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଏହି ପ୍ରକ୍ରିୟାକୁ ଏବେ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ରାଜ୍ୟରେ ଶିକ୍ଷକ ଅଭାବ ହେତୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ବେଳେ ଶିକ୍ଷକମାନେ ବର୍ଷ ବର୍ଷ ଧରି ସ୍କୁଲ ନ ଆସିବା ଘଟଣାକୁ ନେଇ ଶିକ୍ଷାବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାପରେ ଶିକ୍ଷାବିଭାଗ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇ ସମଗ୍ର ରାଜ୍ୟରେ ଥିବା ସ୍କୁଲମାନଙ୍କରେ ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କ ତାଲିକା ମଗାଯାଇଥିଲା।

nis-ad
Leave A Reply

Your email address will not be published.