ରାଉରକେଲାକୁ ବିମାନ ସେବା ଆରମ୍ଭ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ଭୁବନେଶ୍ୱରରୁ ରାଉରକେଲାକୁ ଆରମ୍ଭ ହୋଇଛି ବିମାନ ସେବା। ଭୁବନେଶ୍ୱରରୁ ରାଉରକେଲାକୁ ଆଜି ଆଲାଏନ୍ସ ଏୟାର ବିମାନ ଉଡିଛି। ଏହି ବିମାନ ସେବାକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଦିଲ୍ଲୀରୁ ସେ ଭିସିରେ ଉଦଘାଟନ କରିଛନ୍ତି। ବିମାନକୁ ଫ୍ଲାଗଅଫ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଲାଏନ୍ସ ଏୟାର ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଆଲାଏନ୍ସ ଏୟାର ଦ୍ୱାରା ଚଳାଚଳ କରିବାକୁ ଥିବା ଏହି ବିମାନରେ ଏକକାଳୀନ ୭୨ ଜଣ ଯାତ୍ରୀ ଯାଇପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଉପସ୍ଥିତ ରହି ଭୁବନେଶ୍ୱର-ରାଉରକେଲା ବିମାନ ଉଡାଣର ଫ୍ଲାଗ୍ ଅଫ୍ କରିଛନ୍ତି।

ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର-ରାଉରକେଲା ରୁଟିନ୍ ଉଡାଣ ଆରମ୍ଭ ହେବ। ପ୍ରତିଦିନ ବିମାନ ଭୁବନେଶ୍ୱରରୁ ୨ଟା ୫୫ରେ ଛାଡ଼ିବ, ରାଉରକେଲାରେ ୩ଟା ୫୦ରେ ପହଞ୍ଚିବ। ସେହିଭଳି ରାଉରକେଲାରୁ ୪ଟା ୧୫ରେ ବାହାରି ଭୁବନେଶ୍ୱରରେ ୫ଟା ୧୦ରେ ପହଞ୍ଚିବ। ପ୍ରାରମ୍ଭିକ ଭାବେ ଭୁବନେଶ୍ୱରରୁ ରାଉରକେଲା ବିମାନ ଭଡ଼ା ୨୮ ଶହ ୩ ଟଙ୍କା ଥିବାବେଳେ ରାଉରକେଲାରୁ ଭୁବନେଶ୍ୱର ବିମାନ ଭଡ଼ା ୨୭ ଶହ ୨୧ ଟଙ୍କା ରହିଛି।

ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ନ ରହିବା ନେଇ ବିମାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଆଜି ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ରହିବା ଦୁର୍ଭାଗ୍ୟଜନକ। ରାଜନୈତିକ ଦ୍ୱନ୍ଦ୍ୱ ରହିବ, କିନ୍ତୁ ରାଜ୍ୟ ସ୍ୱାର୍ଥ କଥା ଉଠିଲେ ଏକାଠି ହେବା ଦରକାର। ବାଲିରେ ଥିବାବେଳେ ପ୍ରଧାନମନ୍ତ୍ରୀ ବାଲିଯାତ୍ରା କଥା ଉଠାଇଥିଲେ। ଅନ୍ତର୍ଜାତୀୟ ମଞ୍ଚରେ ପ୍ରଧାନମନ୍ତ୍ରୀ ଓଡ଼ିଶା କଥା ଉଠାଇଥିଲେ। କିନ୍ତୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଲେ ନାହିଁ। ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିଲେ ଭଲ ହୋଇଥାଆନ୍ତା। ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ଭଲ ହୋଇଥାନ୍ତା ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଉଡ଼ିବା ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

nis-ad
Leave A Reply

Your email address will not be published.