ପୃଥିବୀର ନିକଟତର ହେବ ୫୦ ହଜାର ବର୍ଷରେ ଥରେ ଦେଖାଯାଉଥିବା ଧୂମକେତୁ

ନୂଆଦିଲ୍ଲୀ : ପ୍ରାୟ ୫୦ ହଜାର ବର୍ଷରେ ଥରେ ପୃଥିବୀର ନିକଟବର୍ତ୍ତୀ ହେଉଥିବା ଏକ ଅତି ବିରଳ ଧୂମକେତୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଦୃଶ୍ୟମାନ ହେବ । ଏହି ଧୂମକେତୁର ନାଁ ହେଉଛି ସି/୨୦୨୨ ଇ୩ (ଜେଡଟିଏଫ) ।
ଚଳିତ ମାସ ୧୨ ତାରିଖରେ ଏହା ସୂର୍ଯ୍ୟର ନିକଟବର୍ତ୍ତୀ ହେବ ଓ ଫେବ୍ରୁଆରି ପହିଲା ବେଳକୁ ପୃଥିବୀ ନିକଟ ଦେଇ ଗତି କରିବ । ଏହାକୁ ଦୂରବୀକ୍ଷଣ ଯନ୍ତ୍ର କିମ୍ବା ଆକାଶ ନିର୍ମଳ ଥିଲେ ଖାଲି ଆଖିରେ ଦେଖିହେବ ।
ଏହି ବିରଳ ଧୂମକେତୁକୁ ଗତ ବର୍ଷ ମାର୍ଚ୍ଚ ମାସରେ ହିଁ ଆବିଷ୍କାର କରାଯାଇଥିଲା । ଆମେରିକାର ଜେଡଟିଏଫ ଅବଜରଭେଟୋରି ପକ୍ଷରୁ ଏହାର ଆବିଷ୍କାର କରାଯାଇଥିଲା । ଏହି କାରଣରୁ ଏହି ଧୂମକେତୁର ନାଁ ସି/୨୦୨୨ ଇ୩ (ଜେଡଟିଏଫ) ରଖାଯାଇଛି । ଗତ ବର୍ଷ ମାର୍ଚ୍ଚ ମାସରେ ଏହା ବୃହସ୍ପତି ଅତିକ୍ରମ କରୁଥିବାବେଳେ ଦେଖାଯାଇଥିଲା ।
ଜେଡଟିଏଫରେ କାମ କରୁଥିବା କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ ଟେକନଲୋଜୀର ବୈଜ୍ଞାନିକ ଥମାସ୍ ପ୍ରିନ୍ସ କହିଛନ୍ତି ଯେ ପୃଥିବୀର ନିକଟତର ହେବା ବେଳେ ଏହା ସବୁଠାରୁ ଉଜ୍ଜଳ ଦେଖାଯିବ ।
ପ୍ୟାରିସ୍ ଅବଜରଭେଟୋରିରେ କାମ କରୁଥିବା ବୈଜ୍ଞାନିକ ନିକୋଲାସ ବିଭର କହିଛନ୍ତି ଯେ ଏହି ଧୂମକେତୁର ବ୍ୟାସ ପ୍ରାୟ ଏକ କିଲୋମିଟର ଓ ଏହା ଧୂଳିକଣା ଓ ବରଫକୁ ନେଇ ପ୍ରସ୍ତୁତ । ଏହା ଏକ ପ୍ରକାରର ସବୁଜ ରଙ୍ଗର ଜ୍ୟୋତି ବିଚ୍ଛୁରଣ କରୁଛି ।

nis-ad
Leave A Reply

Your email address will not be published.