ରାହୁଲଙ୍କ ଭଳି ଦେଶର ବିଭିନ୍ନ ସ୍ଥାନରେ ଯାତ୍ରା କରିବେ ନୀତୀଶ କୁମାର..!

ପାଟନା: ବର୍ତ୍ତମାନ କନ୍ୟାକୁମାରୀରୁ କଶ୍ମୀର ଯାଏ ଭାରତ ଯୋଡ଼ୋ ଯାତ୍ରା କରୁଥିବା ରାହୁଲ ଗାନ୍ଧିଙ୍କ ରାସ୍ତା ଆପଣାଇ ପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ୨୦୨୪ ସାଧାରଣ ନିର୍ବାଚନରେ ସମାନ ବିଚାରଧାରା ରଖୁଥିବା ଦଳଗୁଡ଼ିକୁ ବିଜେପି ବିରୋଧରେ ଏକାଠି କରିବା ପାଇଁ ନୀତୀଶ କୁମାର ଦେଶବ୍ୟାପୀ ରାଲି ଓ ପଦଯାତ୍ରା କରିବେ ବୋଲି ସଙ୍କେତ ଦେଇଛନ୍ତି।
ଗତବର୍ଷ ଅଗଷ୍ଟରେ ନୀତୀଶ କୁମାର ବିଜେପି ସହ ସବୁ ସମ୍ପର୍କଚ୍ଛିନ୍ନ କରିଥିଲେ। ଏହାପରେ ସେ ଆରଜେଡି ସହ ମିଶି ସବୁ ବିରୋଧୀଙ୍କୁ ଏକାଠି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହିକ୍ରମରେ ବିଜେପି ବିରୋଧରେ ନୀତୀଶ କୁମାର ବିହାରର ପଶ୍ଚିମ ଚମ୍ପାରନରୁ ଗୁରୁବାର ଠାରୁ ‘ସମାଧାନ ଯାତ୍ରା’ ଆରମ୍ଭ କରିଛନ୍ତି।
ବିହାର ବିଧାନସଭାର ବଜେଟ ଅଧିବେଶନ ପରେ ସେ ଦରକାର ପଡ଼ିଲେ ପୂରା ଦେଶରେ ବୁଲିବୁଲି ବିଜେପି ବିରୋଧୀ ହାୱାକୁ ଅଧିକ ବଳ ଯୋଗାଇବେ ବୋଲି ପରୋକ୍ଷରେ କହିଛନ୍ତି।
ନୀତୀଶ କୁମାର କହିଛନ୍ତି, “ପ୍ରଥମେ ମୁଁ ଏହି ଯାତ୍ରାକୁ ଶେଷ କରିବି। ଏହାପରେ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଅନୁଷ୍ଠିତ ହେବ। ଅଧିବେଶନ ଶେଷ ହେବା ପରେ ମୁଁ ଦେଶବ୍ୟାପୀ ଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନେବି। ପ୍ରଥମେ ମୁଁ ବିହାରର ବିଭିନ୍ନ ସ୍ଥାନ ବୁଲିବି। ବିଧାନସଭା ଅଧିବେଶନ ସରିବା ପରେ ଯଦି କେହି ମୋତେ ନିମନ୍ତ୍ରଣ କରନ୍ତି, ତା’ହେଲେ ମୁଁ ନିଶ୍ଚିତ ସେଠାକୁ ଯାଇ ପଦଯାତ୍ରା କରିବି। ପୂରା ଦେଶରେ ଏଭଳି ପଦଯାତ୍ରା ହୋଇପାରେ।”
ବିଜେପି ଠାରୁ ଅଲଗା ହେବା ପରେ ନୀତୀଶ କୁମାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ, ସିପିଆଇ(ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ। ୨୦୨୪ ସାଧାରଣ ନିର୍ବାଚନ ବେଳେ ଯଦି ବିରୋଧୀ ମେଣ୍ଟ ପକ୍ଷରୁ କଂଗ୍ରେସର ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଏ, ତା’ହେଲେ ଏଥିରେ ନୀତୀଶଙ୍କ କୌଣସି ଅସୁବିଧା ନାହିଁ ବୋଲି ମଧ୍ୟ ସେ ଗତ ରବିବାର ସାମ୍ବାଦିକମାନଙ୍କୁ କହିଥିଲେ।
ଅନ୍ୟପକ୍ଷରେ ନୀତୀଶ କୁମାରଙ୍କ ଏହି ପ୍ରସ୍ତାବିତ ଯାତ୍ରାକୁ ନେଇ ତାଙ୍କୁ ତାଚ୍ଛଲ୍ୟ ଓ ସମାଲୋଚନା କରିଛନ୍ତି ବିଜେପିର ରାଜ୍ୟସଭା ସାଂସଦ ସୁଶୀଲ ମୋଦି। ସେ କହିଛନ୍ତି, “ଦେଶବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ ଟୁର ପାଇଁ ବିହାର ସରକାର ୩୫୦ କୋଟି ଟଙ୍କା ଖର୍ଚ୍ଚ କରି ଗୋଟିଏ ହେଲିକପ୍ଟର ଓ ଜେଟ ପ୍ଲେନ ଆଣିଛନ୍ତି। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଫେଲ ହେବ। କେହି ବି ନୀତୀଶ କୁମାରଙ୍କୁ ପଚାରିବେ ନାହିଁ। ବିରୋଧୀ ସଂପୂର୍ଣ୍ଣ ଭାବେ ବିଭାଜିତ। କ’ଣ ମମତା ବାନାର୍ଜୀ କିମ୍ବା କେସିଆର ତାଙ୍କ ପାଖକୁ ଆସିବେ? ଅରବିନ୍ଦ କେଜ୍ରିୱାଲ ପୂର୍ବରୁ ବିରୋଧୀ ମେଣ୍ଟରେ ସାମିଲ ହେବେନି ବୋଲି କହି ସାରିଛନ୍ତି। ତେଣୁ ନୀତୀଶଙ୍କ ଉଦ୍ୟମ ଫେଲ ମାରିବ।”

nis-ad
Leave A Reply

Your email address will not be published.