ମିଡିଆ କେବଳ ମୋ ଟି-ସାର୍ଟକୁ ଦେଖୁଛି, ଗରିବଙ୍କ ଫୁଙ୍ଗୁଳା ଦେହକୁ ଦେଖୁନି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଭାରତ ଯୋଡା ଯାତ୍ରା ସମୟରେ ଶୀତଦିନେ କେବଳ ଟି-ସାର୍ଟ ପିନ୍ଧି ରାହୁଲ ଗାନ୍ଧି ବୁଲୁଥିଲା ବେଳେ ଏହାକୁ ନେଇ ଚର୍ଚ୍ଚା ଥମୁ ନାହିଁ। ଏ ସମ୍ପର୍କରେ ରାହୁଲ ଗାନ୍ଧି କହିଛନ୍ତି ଯେ, ଗଣମାଧ୍ୟମ କେବଳ ତାଙ୍କ ଟି-ସାର୍ଟକୁ ଦେଖୁଛି। କିନ୍ତୁ ଗରିବ କୃଷକ ଏବଂ ଶ୍ରମିକ ପିନ୍ଧୁଥିବା ଫଟା-ଚିରା ପୋଷାକ ବିଷୟରେ ପଚାରୁ ନାହିଁ। ସେ କହିଛନ୍ତି ଯେ, ମୁଁ ଟି-ସାର୍ଟ ପିନ୍ଧି (ଭାରତ ଯୋଡୋ) ଯାତ୍ରାରେ ବୁଲୁଛି। ମୋ ସହିତ ଗରିବ କୃଷକ ଏବଂ ଶ୍ରମିକମାନଙ୍କର ଅନେକ ପିଲା ଚିରା-ଫଟା ପୋଷାକ ପିନ୍ଧି ବୁଲୁଛନ୍ତି। କିନ୍ତୁ ସେମାନଙ୍କ ପ୍ରତି ଗଣମାଧ୍ୟମର ଦୃଷ୍ଟି ଯାଉ ନାହିଁ। ଗଣମାଧ୍ୟମ ପଚାରୁ ନାହିଁ ଯେ, ଗରିବ କୃଷକ ଏବଂ ଶ୍ରମିକଙ୍କ ପିଲାମାନେ ଶୀତ ଦିନେ ସ୍ୱିଟର କିମ୍ବା ଜ୍ୟାକେଟ ବିନା କାହିଁକି ବୁଲୁଛନ୍ତି। ଗାନ୍ଧି କହିଛନ୍ତି ଯେ ୧୧୦ ଦିନରେ ୩୦୦୦ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରିଥିଲେ ମଧ୍ୟ ସେ ଥକି ପଡ଼ି ନାହାନ୍ତି କି ଶୀତରେ ଟି-ସାର୍ଟରେ କଷ୍ଟ ଅନୁଭବ କରିନାହାନ୍ତି।
ସେହିପରି ଭାରତ ଯୋଡ଼ୋ ଯାତ୍ରା’ ଅବସରରେ ଗାନ୍ଧି ପୁଣି ସେନାର ‘ଅଗ୍ନିପଥ’ ଯୋଜନାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଚାକିରିକାଳ ୪ ବର୍ଷକୁ ସୀମିତ କରି ମୋଦୀ ସରକାର ସେନା କର୍ମଚାରୀଙ୍କ ପେନ୍‌ସନ୍‌ ନେଇ ଯାଇଛି। ବାଗପତ-ଶାମିଲ ସୀମାନ୍ତ ଅନ୍ତର୍ଗତ ବାରୌତ୍‌ଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯୁବକମାନେ ଏହି କାର୍ଯ୍ୟକ୍ରମ ବିରୋଧରେ ପ୍ରତିବାଦ କରିବାରୁ ‘ବିଜେପି’ କହିଲା ଯେ, ପ୍ରତିବାଦ କରୁଥିବା ବେଳେ ଯେଉଁମାନେ ଧରାପଡ଼ିବେ ଭବିଷ୍ୟତରେ ସେମାନେ ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେବେ‌ନାହିଁ।

ରାହୁଲ୍‌ ଗାନ୍ଧୀ କହିଛନ୍ତି, ପୂର୍ବରୁ ଯୁବକମାନେ ସେନାରେ ୧୫ ବର୍ଷ ଚାକିରି କରି ପେନ୍‌ସନ୍‌ ପାଉଥିଲେ। କିନ୍ତୁ, ନରେନ୍ଦ୍ର ମୋଦି ପେନ୍‌ସନ୍‌ ନ ଦେବାକୁ ବିଚାର କଲେ। ତେଣୁ ଯୁବକମାନଙ୍କୁ ୬ ମାସ ତାଲିମ ଦେଇ ବନ୍ଧୁକ ଧରାଇ ୪ ବର୍ଷ ରଖିବେ ଓ ଛଟେଇ କରିଦେବେ। ତା’ପରେ ଆପଣ ବେକାର ହୋଇଯିବେ। ଏହା ହିଁ ନବ ଭାରତ। ଏବେ ଭାରତ ଯୋଡ଼ୋ ଯାତ୍ରାକୁ ଉତ୍ତର ପ୍ରଦେଶରେ ପ୍ରବେଶ କରିଛି।

nis-ad
Leave A Reply

Your email address will not be published.