କାଲି ମେୟର ନିର୍ବାଚନ: ସରକାରଙ୍କ ସୁପାରିସକୁ ନା, ନିଜ ଇଚ୍ଛାରେ ନିଷ୍ପତ୍ତି ନେଲେ ଉପ ରାଜ୍ୟପାଳ

ନୂଆଦିଲ୍ଲୀ: ପୁଣିଥରେ ଦେଶର ରାଜଧାନୀ ଦିଲ୍ଲୀରେ ଉପ ରାଜ୍ୟପାଳ ଓ ଶାସକ ଦଳ ମଧ୍ୟରେ କଳି ଦେଖିବାକୁ ମିଳିଛି। ଆସନ୍ତାକାଲି ଦିଲ୍ଲୀ ମେୟର ନିର୍ବାଚନ ହେବ। ଏହାପୂର୍ବରୁ ଉପ ରାଜ୍ୟପାଳ ଭିକେ ସକ୍ସେନା ଓ କ୍ଷମତାସୀନ ଆପ୍‌ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଛି।

ମେୟର ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାର କରିଥିବା ସୁପାରିସକୁ ଅଣଦେଖା କରିଛନ୍ତି ଉପ ରାଜ୍ୟପାଳ ସକ୍ସେନା। ଏଥିସହ ସେ ଜଣେ ବିଜେପି ନେତାଙ୍କୁ ଆସନ୍ତାକାଲିର ମେୟର ନିର୍ବାଚନକୁ ପରିଚାଳନା କରିବା ପାଇଁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି।

ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆପ୍‌ ଜିତିବା ପରେ ପ୍ରଥମଥର ପାଇଁ ଆସନ୍ତାକାଲି ନବ ନିର୍ବାଚିତ କର୍ପୋରେଟରମାନେ ବୈଠକ କରିବାକୁ ଯାଉଛି। ଏହି ସମୟରେ ମେୟର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆପ୍‌ ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା ଦେଖାଯାଇଛି।

ଦିଲ୍ଲୀ ସରକାର ଆପର କର୍ପୋରେଟର ମୁକେଶ ଗୋଏଲଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଥିଲେ। ହେଲେ ଉପ ରାଜ୍ୟପାଳ ଏହାକୁ ଅଣଦେଖା କରି ବିଜେପି କର୍ପୋରେଟର ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ପଦରେ ବସାଇଛନ୍ତି। ସତ୍ୟ ଶର୍ମା ପୂର୍ବରୁ ପୂର୍ବ ଦିଲ୍ଲୀ ମହାନଗର ନିଗମର ମେୟର ଥିଲେ। ତେବେ ମୁକେଶ ନବ ନିର୍ବାଚିତ କର୍ପୋରେଟରଙ୍କ ମଧ୍ୟରେ ସବୁଠାରୁ ବରିଷ୍ଠ ନେତା ହୋଇଥିବାରୁ ତାଙ୍କୁ ବାଚସ୍ପତି ଭାବେ ନିଯୁକ୍ତି ଦେବାକୁ ଦିଲ୍ଲୀ ସରକାର ସୁପାରିସ କରିଥିଲେ।
ଅନ୍ୟପକ୍ଷରେ ମେୟର ପଦ ପାଇଁ ଶେଲୀ ଓବରୟ ଓ ଆଶୁ ଠାକୁର ଆପ୍‌ରୁ ଲଢ଼ୁଥିବା ବେଳେ ବିଜେପି ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି। ସେହିପରି ଆପ୍‌ ଆଲେ ମହମ୍ମଦ ଇକବାଲ ଓ ଜଲଜ କୁମାରଙ୍କୁ ଡେପୁଟି ମେୟର ପ୍ରାର୍ଥୀ କରିଛି। ବିଜେପି କମଳ ବାଗ୍ରୀଙ୍କୁ ଡେପୁଟି ମେୟର ପଦ ପାଇଁ ଚୟନ କରିଛି।

ଏସବୁ ଭିତରେ ଉପ ରାଜ୍ୟପାଳ ସକ୍ସେନା ବିଜେପିର ଜଣେ ନେତାଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ଦାୟିତ୍ୱ ଦେଇଛନ୍ତି। ଏପରି ନିଯୁକ୍ତିକୁ ଆପ୍‌ ବିରୋଧ କରିବା ସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସମସ୍ତ ପ୍ରକାରର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଧ୍ୱଂସ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ଏହାବାଦ ଉପ ରାଜ୍ୟପାଳ ମେୟର ନିର୍ବାଚନ ପୂର୍ବରୁ ୧୦ ଜଣ ବ୍ୟକ୍ତିଙ୍କୁ ମନୋନୀତ କର୍ପୋରେଟର ଭାବେ ଚୟନ କରିଥିବାରୁ ଏହାକୁ ମଧ୍ୟ ଆପ୍‌ ବିରୋଧ କରିଛି।

ଆପ୍‌ ନେତା ଆତିଶୀ କହିଛନ୍ତି, “ଉପ ରାଜ୍ୟପାଳ ସିଧାସଳଖ ଏମସିଡି କମିଶନରଙ୍କୁ ଡାକିଥିଲେ ଓ ତାଙ୍କୁ ମନୋନୀତ କର୍ପୋରେଟରଙ୍କ ଫାଇଲ ମାଗିଥିଲେ। ଦିଲ୍ଲୀ ସରକାରଙ୍କୁ ନ ଜଣାଇ ଏପରି କରାଯାଇଛି। ଦିଲ୍ଲୀ ସରକାର ପ୍ରଚଳିତ ନିୟମ ଆଧାରରେ ୧୦ ଜଣ ମନୋନୀତ ସଦସ୍ୟଙ୍କ ନାଁ ଉପ ରାଜ୍ୟପାଳଙ୍କୁ ପଠାଇ ଥାଆନ୍ତି। କଂଗ୍ରେସ କିମ୍ବା ଆପ୍‌ ସରକାର ଏହି ନିୟମକୁ ମାନି ଆସୁଥିଲେ। ହେଲେ ଏବେ ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି।”

ସୂଚନାଯୋଗ୍ୟ, ଏମସିଡି ନିର୍ବାଚନର ୨୫୦ ଆସନରୁ ଆପ୍‌ ୧୩୪ଟିରେ ଜିତିଥିବା ବେଳେ ବିଜେପି ୧୦୪ ଓ କଂଗ୍ରେସ ୯ଟି ଆସନ ଜିତିବାକୁ ସକ୍ଷମ ହୋଇଛି।

nis-ad
Leave A Reply

Your email address will not be published.