୨୦୨୪ ଜାନୁଆରୀ ୧ରେ ଖୋଲିବ ଅଯୋଧ୍ୟାର ରାମ ମନ୍ଦିର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବ। ସେହି ୨୦୨୪ର ଜାନୁଆରୀ ୧ରେ ଅଯୋଧ୍ୟରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବ। ଆସନ୍ତାବର୍ଷ ଜାନୁଆରୀ ୧ରେ ରାମ ମନ୍ଦିର ଖୋଲିବ ବୋଲି ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତ୍ରିପୁରାରେ ଘୋଷଣା କରିଛନ୍ତି।
୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ପ୍ରଥମ ଦିନରେ ରାମ ମନ୍ଦିର ଖୋଲିବା ନିଶ୍ଚିତ ଭାବେ ବିଜେପି ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଏଥିସହ ଦଳ କ୍ରମାଗତ ତୃତୀୟ ଥର କେନ୍ଦ୍ରରେ କ୍ଷମତା ଦଖଲ କରିବାରେ ରାମ ମନ୍ଦିର ଖୋଲିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ରଖିଛନ୍ତି।

ଅମିତ ଶାହ ଆଜି କହିଛନ୍ତି, “କଂଗ୍ରେସ ରାମ ମନ୍ଦିର ନିର୍ମାଣ କାମକୁ କୋର୍ଟରେ ଲମ୍ବେଇ ଚାଲିଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣ କାମ ଆରମ୍ଭ କାରିଥିଲେ। ରାମ ମନ୍ଦିର କାମ ଜୋରସୋରରେ ଚାଲିଛି। ୨୦୨୪ ଜାନୁଆରୀ ୧ ସୁଦ୍ଧା ଏହା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବ। ନିର୍ମାଣ ସରିବା ପରେ ଜାନୁଆରୀ ୧ ତାରିଖ ୨୦୨୪ରେ ଏହାକୁ ଖୋଲା ଯିବ।”
ତ୍ରିପୁରାରେ ଗୋଟିଏ ଜନସଭାକୁ ସମ୍ବୋଧନ କରି ଶାହ କହିଛନ୍ତି, “ଅଯୋଧ୍ୟାରେ ରାମଲଲାଙ୍କ ମନ୍ଦିର ନିର୍ମାଣ ହେବା ଦରକାର କି ନୁହେଁ? ଯେବେଠାରୁ ବାବର ଏହାକୁ ଭାଙ୍ଗି ଥିଲା ସେବେଠୁ ଓ ଯେବେଠୁ ଦେଶ ସ୍ୱାଧୀନତା ହୋଇଥିଲା ସେବେଠୁ, କଂଗ୍ରେସ ଦଳ କୋର୍ଟରେ ଏହି ମାମଲାକୁ ଗଡ଼ାଇ ଚାଲିଥିଲା। ଜିଲ୍ଲା କୋର୍ଟ, ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମାମଲା ଗଡ଼ି ଚାଲିଥିଲା।

କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମୋଦିଜୀ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲେ। ରାୟ ଆସିବା କ୍ଷଣି ରାମଲଲାଙ୍କ ମନ୍ଦିର ପାଇଁ ଭୂମି ପୂଜନ ହୋଇଥିଲା ଓ ମନ୍ଦିରର ନିର୍ମାଣ କାମ ଆରମ୍ଭ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳେ ମୁଁ ବିଜେପିର ଅଧ୍ୟକ୍ଷ ଥିଲି ଓ ରାହୁଲ ଗାନ୍ଧି କଂଗ୍ରେସର ସଭାପତି ଥିଲା। ରାହୁଲ ଗାନ୍ଧି ଆସୁଥିଲେ ଓ କହୁଥିଲେ ଯେ ମନ୍ଦିର ସେଠାରୁ କରିବୁ। କିନ୍ତୁ ତିଥି କହିବୁ ନାହିଁ ବୋଲି ମତ ଦେଇ ଆମକୁ ତାଚ୍ଛଲ୍ୟ କରୁଥିଲେ। ଏବେ ରାହୁଲ ଗାନ୍ଧି କାନ ଖୋଲି ଶୁଣି ନିଅନ୍ତୁ। ଆସନ୍ତା ୨୦୨୪ ଜାନୁଆରୀ ୧ ତାରିଖ ବେଳକୁ ଅଯୋଧ୍ୟାରେ ଆକାଶ ଚୁମ୍ବୀ ରାମ ମନ୍ଦିର ନିର୍ମାଣ କାମ ଶେଷ ହୋଇ ସାରିଥିବ।”

ଗତବର୍ଷ ନଭେମ୍ବର ମାସରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିରର ନିର୍ମାଣ କାମ ୫୦% ଶେଷ ହୋଇ ସାରିଥିବା କହିଥିଲେ। ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ଏହା ସର୍ବସାଧାରଣଙ୍କ ପାଇଁ ପ୍ରସ୍ତୁତ ହୋଇସାରିଥିବ ବୋଲି ସେ କହିଥିଲେ।

nis-ad
Leave A Reply

Your email address will not be published.