ଚାକିରି କରେଇ ଦେବା ନାଁରେ ଠକେଇ କରିବା ଅଭିଯୋଗରେ ମହିଳା ଗିରଫ

ବ୍ରହ୍ମପୁର : ଭାରତୀୟ ପୂର୍ବତଟ କେନ୍ଦ୍ରିୟ ରେଳୱାଇରେ ଚାକିରି କରେଇ ଦେବା ନାଁରେ ଠକେଇ କରିବା ଅଭିଯୋଗରେ ଟାଉନ୍ ଥାନା ପୋଲିସ୍ ଜଗତସିଂହପୁରର ଝିମାନୀ ଗ୍ରାମର ଜେ.ଏମ୍‌.ଏସ୍‌. ପ୍ରଭାକୁ ଗିରଫ କରିଛି । ସୋରଡ଼ା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଏସ୍‌. ହିତେସ୍ ପାତ୍ର ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସେ ନିଜ ପାଠ ପଢ଼ା ସରିବା ପରେ ଚାକିରି ଖୋଜିବାପାଇଁ ଉଦ୍ୟମ ଜାରୀ ରଖିଥିଲେ । ଏହି ସମୟରେ ତାଙ୍କର ଜଣେ ବନ୍ଧୁ ସୋରଡ଼ାର କାର୍ତିକ ସାହୁ ଜଗତସିଂହପୁରର ଝିମାନୀ ଗ୍ରାମର ଜେ.ଏମ୍‌.ଏସ୍‌. ପ୍ରଭାଙ୍କୁ ଭେଟିବା ପାଇଁ ପରାମର୍ଶ ଦେଇଥିଲେ । ଜେ.ଏମ୍‌.ଏସ୍‌. ପ୍ରଭା ବର୍ତମାନ ସରଦାବାଲୀ ଦ୍ୱିତୀୟ ଗଳିରେ ରହୁଥିବା ବେଳେ ଏସ୍‌. ହିତେସ୍ ପାତ୍ର ଗତ ଜୁନ୍ ମାସରେ ତାଙ୍କୁ ଦେଖା କରିଥିଲେ । ସେ ତାଙ୍କୁ ଭାରତୀୟ ପୂର୍ବତଟ କେନ୍ଦ୍ରିୟ ରେଳୱାଇରେ ଗ୍ରୁପ୍ ସି ରେ ଚାକିରି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇôଥଲେ । ଏଥି ପାଇଁ ସେ ହିତେସ୍‌ଙ୍କୁ ୧୧ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ । ହିତେସ୍ ବହୁ କଷ୍ଟରେ କିସ୍ତି ଅନୁଯାୟୀ ୭ଲକ୍ଷ ୫୦ ହଜାର ଟଙ୍କା ତାଙ୍କୁ ଦେଇଥିଲେ । ,ଏଥି ଲାଗି ଜେ.ଏମ୍‌.ଏସ୍‌. ପ୍ରଭା ତାଙ୍କୁ ଏକ ନକଲି ନିଯୁକ୍ତି ପତ୍ର, ପରିଚୟପତ୍ର, ହାଜିରୀ କାର୍ଡ଼ ଆଦି ପ୍ରଦାନ କରିଥିଲେ । ଏବଂ ବକେୟା ୩ ଲକ୍ଷ ୫୦ ହଜାର ଟଙ୍କା ଦେବା ପାଇଁ ଦାବୀ କରିଥିଲେ । ଆଜି ସକାଳେ ସେ ବକେୟା ଟଙ୍କା ଗ୍ରହଣ କରୁଥିବା ବେଳେ ଟାଉନ୍ ଥାନା ପୋଲିସ ତାଙ୍କୁ କାବୁ କରିନେଇଥିଲା । ଏବଂ ଜେ.ଏମ୍‌.ଏସ୍‌. ପ୍ରଭା ତାଙ୍କୁ ଦେଇଥିବା ସମସ୍ତ ନକଲି କାଗଜପତ୍ରକୁ ଜବତ କରିଥିଲା । ଜେ.ଏମ୍‌.ଏସ୍‌. ପ୍ରଭା ଚାକିରି କରେଇଦେବା ନାଁରେ ବହୁ ଜଣଙ୍କୁ ଠକିଥିବା ନେଇ ସୂଚନା ରହିଛି । ତେବେ ପୋଲିସ ଠକାମୀର ଶୀକାର ହୋଇଥିବା ବ୍ୟକ୍ତିଙ୍କୁ ତାଙ୍କ ନାଁରେ ଅଭିଯୋଗ ଦାଖଲ କରିବା ପାଇଁ ବ୍ରହ୍ମପୁର ଏସ୍‌ପି ପରାମର୍ଶ ଦେବା ସହ ଏଭଳି ଘଟଣା ଠାରୁ ଦୂରେଇ ରହିବା ପାଇଁ ସେ କହିଛନ୍ତି ।

nis-ad
Leave A Reply

Your email address will not be published.