୧,୬୬୭ଟି କନେଷ୍ଟବଳ ପଦବୀ ପାଇଁ ଷ୍ଟାଡିୟମ୍‌ ପଡ଼ିଆରେ ତଳେ ବସି ପରୀକ୍ଷା ଦେଲେ ୩୦,୦୦୦ରୁ ଅଧିକ ପାକିସ୍ତାନୀ ଯୁବକ ଯୁବତୀ…

ଇସ୍‌ଲାମାବାଦ୍‌: ଇସ୍‌ଲାମାବାଦ ପୁଲିସରେ କନେଷ୍ଟବଳ ପଦବୀରେ ଭର୍ତ୍ତି ହେବା ନିମନ୍ତେ ୩୦,୦୦୦ରୁ ଉର୍ଦ୍ଧ୍ବ ପ୍ରାର୍ଥୀ ଗୋଟାଏ ଷ୍ଟାଡିୟମ୍‌ ପଡ଼ିଆରେ ତଳେ ବସି ଲିଖିତ ପରୀକ୍ଷା ଦେଇଥିବା କଥା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଫଟୋରୁ ଜଣାପଡ଼ିଛି।

ସଂଗୃହୀତ ସୂଚନା ଅନୁସାରେ, ଶନିବାର ଦିନ ଇସ୍‌ଲାମାବାଦସ୍ଥିତ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ୍‌ରେ ଅନ୍ୟୂନ ୩୨,୦୦୦ ପ୍ରାର୍ଥୀ ତଳେ ବସି ଲିଖିତ ପରୀକ୍ଷା ଦେଇଥିଲେ।

ଇସ୍‌ଲାମାବାଦ ପୁଲିସ କହିବା ଅନୁସାରେ, ସମଗ୍ର ପାକିସ୍ତାନରୁ ୩୦,୦୦୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ପ୍ରାର୍ଥୀ ଖାଲି ପଡ଼ିଥିବା ୧,୬୬୭ ପଦବୀ ନିମନ୍ତେ ଉପରୋକ୍ତ ଲିଖିତ ପରୀକ୍ଷା ଦେଇଥିଲେ। ଗତ ୫ ବର୍ଷ ହେବ ଖାଲି ପଡ଼ିଥିବା ଏହି ପଦବୀ ପୂରଣ ନିମନ୍ତେ ପୋଲିସ୍‌ କନେଷ୍ଟବଲ୍‌ ରିକ୍ରୁଇଟ୍‌ମେଣ୍ଟ୍‌ ପ୍ରକ୍ରିୟା ନିମନ୍ତେ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଏତେ ଅଳ୍ପ ପଦବୀ ନିମନ୍ତେ ଏତେ ସଂଖ୍ୟକ ପ୍ରାର୍ଥୀ ପରୀକ୍ଷା ଦେଇଥିବାରୁ ପାକିସ୍ତାନର ଅର୍ଥନୈତିକ ଓ ବେକାରୀ ସମସ୍ୟା ବିଷୟରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନରେ ବେକାରୀ ସମସ୍ୟା ଚରମ ସୀମା ସ୍ପର୍ଶ କଲାଣି। ଖୁବ୍‌ ସ୍ବଳ୍ପ ସଂଖ୍ୟକ ସରକାରୀ ଚାକିରି ଯୋଗୁଁ ବେକାରୀ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇ ଚାଲିଛି। ଏହା ସତ୍ତ୍ବେ ନିଜ ନିଜ ଭାଗ୍ୟ ପରୀକ୍ଷା କରିବା ଲାଗି ଲକ୍ଷ ଲକ୍ଷ ଚାକିରି ଆଶାୟୀ ପ୍ରାର୍ଥୀ ଖାଲି ପଡ଼ିଥିବା ପଦବୀରେ ଭର୍ତ୍ତି ହେବା ନିମନ୍ତେ ଚେଷ୍ଟା ଚଳାଇଛନ୍ତି।

nis-ad
Leave A Reply

Your email address will not be published.