ମୁଁ ଋଷଭ ପନ୍ତ: ଭୟାବହ କାର୍‌ ଦୁର୍ଘଟଣା ପରେ ଉଦ୍ଧାରକାରୀଙ୍କୁ ପରିଚୟ ଦେଇ କହିଲେ ପନ୍ତ…

ନୂଆଦିଲ୍ଲୀ: ଆଜି ବଡ଼ି ଭୋର୍‌ରେ ଦୁର୍ଘଟଣାଗ୍ରସ୍ତ ଜ୍ବଳନ୍ତ କାର୍‌ରୁ ବାହାରି ଆସିବା ପରେ ଉଦ୍ଧାରକାରୀଙ୍କୁ ନିଜ ପରିଚୟ ପ୍ରଦାନ କରିବାକୁ ଭାରତୀୟ ୱିକେଟ୍‌କିପର୍‌ କହିଲେ, ମୁଁ ଋଷଭ ପନ୍ତ।

ଉଲ୍ଲେଖଯୋଗ୍ୟ, ସୁଶୀଳ ନାମକ ଜଣେ ବସ୍‌ ଚାଳକ ହିଁ ପ୍ରଥମେ ଦୁର୍ଘଟଣାସ୍ଥଳରେ ପହଞ୍ଚି ପୋଡ଼ିଯାଉଥିବା ଭଙ୍ଗାରୁଜା କାର୍‌ ମଧ୍ୟରୁ ଋଷଭଙ୍କୁ ଟାଣି ବାହାରକୁ ଆଣିବାରେ ସହାୟତା କରିଥିଲେ। ସେ ଦୁର୍ଘଟଣାଗ୍ରସ୍ତ କାର୍‌ ନିକଟକୁ ଧାଇଁ ଋଷଭଙ୍କୁ ଉଦ୍ଧାର କରିବା ଲାଗି କାର୍‌ର କାଚ ଭାଙ୍ଗି ପକାଇଥିଲେ।
ସେ କହିଛନ୍ତି ଯେ, ଦୁର୍ଘଟଣାରେ ସମ୍ମୁଖୀନ ହୋଇ ସାଙ୍ଘାତିକ ଆହତ ହୋଇ ଥିବା ପନ୍ତ ଛୋଟେଇ ଛୋଟେଇ ଚାଲୁଥିବା ବ‌େଳେ ନିଜ ପରିଚୟ ସୁନିଶ୍ଚିତ କରିବାକୁ ଲୋକମାନଙ୍କୁ କହିଥିଲେ, ମୁଁ ହେଉଛି ଋଷଭ ପନ୍ତ।

ସୁଶୀଳ ଆହୁରି ମଧ୍ୟ କହିଛନ୍ତି ଯେ, ସେ ହରିଦ୍ବାର ପଟରୁ ଆସୁଥିବା ବ‌େଳେ ଋଷଭ ଦିଲ୍ଲୀ ପଟରୁ ଆସୁଥିଲେ। କାର୍‌ ଡିଭାଇଡର୍‌ରେ ଧକ୍କା ଖାଇବାରୁ ସେ ବସ୍‌ର ବ୍ରେକ୍‌ କଷି ବସ୍‌ ଅଟକାଇ ଦୁର୍ଘଟଣାସ୍ଥଳକୁ ଧାଇଁ ଯାଇଥିଲେ।
ଡିଭାଇଡର୍‌ ବାଡ଼ା ଭାଙ୍ଗି ପନ୍ତଙ୍କ କାର୍‌ ପ୍ରାୟ ୨୦୦ ମିଟର୍‌ ଘୁଷୁରିଯାଇଥିବା କଥା ରିପୋର୍ଟ ହୋଇଛି।
ଘଟଣା ସଂକ୍ରାନ୍ତରେ ବିବୃତି ଦେଇ ‘ଦିଲ୍ଲୀ ଆଣ୍ଡ୍‌ ଡିଷ୍ଟ୍ରିକ୍ଟ୍‌ କ୍ରିକେଟ୍‌ ଆସୋସିଏସନ୍‌’ (ଡିଡିସିଏ) ସମ୍ପାଦକ ସିଦ୍ଧାର୍ଥ ସାହିବ୍‌ ସିଂହ କହିଛନ୍ତି, ଆମେ ସମସ୍ତେ ଚିନ୍ତାକୁଳ ଥିଲୁ, କିନ୍ତୁ ଯୋଗ ଭଲ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ‘ଡିଡିସିଏ’ରେ ଥାଇ ଆମେ ଘଟଣା ଉପରେ ଦୃଷ୍ଟି ରଖିଛୁ ଏବଂ ଋଷଭଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ।
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ, ପନ୍ତଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ତାଙ୍କ ସରକାର ବହନ କରିବ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ସଦ୍ୟତମ ତଥ୍ୟ ସଂଗ୍ରହ କରିବା ସହିତ ତାଙ୍କ ଚିକିତ୍ସା ନିମନ୍ତେ ସବୁ ବ୍ୟବସ୍ଥା କରିବା ଲାଗି ସେ ସରକାରୀ ଅଧିକାରୀମାନଙ୍କୁ କହିଛନ୍ତି। ପ୍ରୟୋଜନ ହେଲେ ଏୟାର୍‌ ଆମ୍ବୁଲାନ୍‌ସ୍‌ ବ୍ୟବସ୍ଥା କରାଯାଉ।

nis-ad
Leave A Reply

Your email address will not be published.