ଦା’ରେ ସଂଘବଦ୍ଧ ଆକ୍ରମଣ, ଯୁବକ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଭଦ୍ରକ: ଧାନ କଟା ଚାଲିଥିବା ବେଳେ ଦା’ରେ ହୋଇଛି ଆକ୍ରମଣ। ଏଥିରେ ଗୁରୁତର ହୋଇଛନ୍ତି ଜଣେ ଯୁବକ। ମୁଣ୍ଡରେ ଆଘାତ ଯୋଗୁ ଯୁବକଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହୋଇଥିବା ଏହି ଆକ୍ରମଣ ଯୋଗୁ ଧାନ କ୍ଷେତ ରକ୍ତରଞ୍ଜିତ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ଥାନ ପଳିକୀରିରେ ଥିବା ଗୁହାଳଡିହି ଗାଁକୁ ଲାଗି ରହିଥିବା ସ୍ୱର୍ଗତଃ ବିନୋଦ ବିହାରୀ ସ୍ୱାଇଁଙ୍କ ଜମିରେ ଏପରି ଘଟଣା ଘଟିଛି।

ସ୍ୱର୍ଗତଃ ସ୍ୱାଇଁଙ୍କ ପୁଅ ସତ୍ୟରଞ୍ଜନ ଏଠାରେ ଥିବା ଜମିରେ ଚଳିତ ବର୍ଷ ଧାନ ଚାଷ କରିଥିଲେ। ଆଜି ସେ ଧାନ କାଟୁଥିବା ବେଳେ ଗୁହାଳଡିହି ଗାଁର କିଛି ଲୋକେ ମିଳିତ ଭାବେ ଦା’ ଦ୍ୱାରା ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ଯୋଗୁ ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ସୃଷ୍ଟି ହୋଇଥିଲା। ଏଥିପାଇଁ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣାକୁ ନେଇ ଧାମନଗର ଥାନାରେ ସତ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୂର୍ବରୁ ମଧ୍ୟ ଉକ୍ତ ଜମିରେ ଗତବର୍ଷ ଧାନ ରୁଆ ହୋଇ ଥିବା ବେଳେ ତଳିକୁ କିଛି ଲୋକ ଉପାଡ଼ି ନଷ୍ଟ କରି ଦେଇଥିଲେ। ଯାହାକୁ ନେଇ ସତଞରଞ୍ଜନ ଧାମନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ମଧ୍ୟ ରୁଜୁ କରିଥିଲା। ତଥାପି ଏବେ ପୁଣି ସତ୍ୟଙ୍କ ଉପରେ ଆକ୍ରମଣ ହୋଇଛି। ତେଣୁ ପୂର୍ବ ବର୍ଷ ତଳି ନଷ୍ଟ କରିଥିବା ଲୋକମାନେ ହିଁ ସତ୍ୟରଞ୍ଜନଙ୍କ ଉପରେ ଆକ୍ରମଣ କରିଥିବା କୁହାଯାଉଛି।

ଆହତ ହୋଇଥିବା ସତ୍ୟରଞ୍ଜନ ସ୍ୱାଇଁ କହିଛନ୍ତି, “ଆଜି କ୍ଷେତରେ ମିସିନ ଦ୍ୱାରା ଧାନ କଟା ଚାଲିଥିଲା। ଏହି ସମୟରେ ହଠାତ୍‌ କିଛି ମହିଳା ମିସିନ ଆଗରେ ଛିଡ଼ା ହୋଇ ଧାନ କଟାକୁ ବିରୋଧ କରିଥିଲେ। ଆମ ଜମିରେ ଆମେ ଧାନ କାଟୁଥିବା ବେଳେ ସେମାନେ ବିରୋଧ କରିବାରୁ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣାର ଭିଡିଓ ଆମ ହେଲପର ମୋବାଇଲରେ ଶୁଟିଂ କରୁଥିଲା। ଏତିକି ବେଳେ ମହିଳାମାନେ ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ମୁଁ ଏହାକୁ ବିରୋଧ କରିବାରୁ ସେମାନେ ମୋତେ ଧକ୍କା ମାରି ତଳେ ପକାଇ ଦେଇଥିଲେ। ଏହାପରେ ୪ରୁ ୫ ଜଣ ଲୋକ ଦା’ ଦ୍ୱାରା ମୋତେ ଘେରି ଯାଇ ଆକ୍ରମଣ କରିଥିଲେ।” ଏନେଇ ଧାମନାଗର ଥାନାରେ ସତ୍ୟ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.