ଜଗତସିଂହପୁର ଡେପୁଟି କଲେକ୍ଟର ଗିରଫ

ଭୁବନେଶ୍ୱର: ଗିରଫ ହୋଇଛନ୍ତି ଜଗତସିଂହପୁର ଡେପୁଟୀ କଲେକ୍ଟର ଚିତ୍ତରଂଜନ ପିଲ୍ଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଚିତ୍ତରଂଜନ ପିଲ୍ଲା ତାଙ୍କ ଆୟ ଠାରୁ ୧୯୧% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଚିତ୍ତରଂଜନଙ୍କର ୫ଟି ଫ୍ଲାଟ୍ ଅଛି। ସେଥିରୁ ତିନିଟି ଭୁବନେଶ୍ୱରର ଗାଡ଼କଣା, ଭରତପୁର ଓ ମଞ୍ଚେଶ୍ୱର ଅଞ୍ଚଳରେ ରହିଛି। ସେହିପରି ବାଲେଶ୍ୱରର ସୁନାହାଟ ଅଞ୍ଚଳରେ ତାଙ୍କର ଦୁଇଟି ଫ୍ଲାଟ୍ ରହିଛି। ଏହା ବ୍ୟତୀତ ସୋନପୁର ସହରରେ ଓ ବାଲେଶ୍ୱର ଜିଲ୍ଲା ବଲିଆପାଳ ଥାନା ଅନ୍ତର୍ଗତ ପ୍ରତାପପୁରର ନଈଘାଟ ଅଞ୍ଚଳରେ ତାଙ୍କର ଗୋଟିଏ ଲେଖାଏଁ ଦୁଇ ମହଲା କୋଠା ରହିଛି।

ଏକାଧିକ ଫ୍ଲାଟ୍ ସହିତ ଏକାଧିକ ପ୍ଳଟ୍ ବି ରହିଛି ଚିତ୍ତରଂଜନଙ୍କର। ବିଭିନ୍ନ ସ୍ଥାନରେ ତାଙ୍କର ମୋଟ ୧୧ଟି ପ୍ଳଟ୍ ରହିଛି। ସେଥିରୁ ଗୋଟିଏ ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ଥିବା ବେଳେ ଅନ୍ୟ ୧୦ଟି ବୀରମହାରାଜପୁର, ସୋନପୁର, ବାଲିଆପାଳ, ନାରାୟଣପୁର ଓ ବାଲେଶ୍ୱରରେ ରହିଛି।

ଚିତ୍ତରଂଜନଙ୍କ ଠାରୁ ନଗଦ ୧ ଲକ୍ଷ ୮୫ ହଜାର ୨୮୫ ଟଙ୍କା ଜବତ କରାଯାଇଥିବା ବେଳେ ବ୍ୟାଙ୍କ ଓ ବୀମା ଜମା ସହିତ ବିଭିନ୍ନ କ୍ଷେତ୍ରରେ ନିବେଶ ବାବଦକୁ ୪୮.୭୧ ଲକ୍ଷ ଟଙ୍କା ଠାବ କରାଯାଇଛି। ତାଙ୍କ ଘରୁ ଜବତ ସୁନା ଗହଣା ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀର ମୂଲ୍ୟ ୧୩.୬୪ ଲକ୍ଷ ଟଙ୍କାରୁ ଅଧିକ। ତାଙ୍କର ୨ଟି ଚାରି ଚକିଆ ଯାନ ଜବତ କରାଯାଇଛି, ଯେଉଁ ଗୁଡ଼ିକର ମୂଲ୍ୟ ୧୧.୪୦ ଲକ୍ଷ ଟଙ୍କା ହେବ। ସେହିପରି ତାଙ୍କର ୩ଟି ୨ ଚକିଆ ଯାନ ଥିବା ବେଳେ ସେଗୁଡ଼ିକର ମୂଲ୍ୟ ୩.୨୪ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ କରାଯାଉଛି।

ଭିଜିଲାନ୍ସ ଦେଇଥିବା ସୂଚନା ଅନୁଯାୟୀ, ଚିତ୍ତରଂଜନ ପିଲ୍ଲା ୧୦.୦୨.୧୯୯୩ରେ କନିଷ୍ଠ କିରାଣି ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ସେ ପାଟଣାଗଡ଼ ତହସିଲ, ବଲାଙ୍ଗିର, ରଣପୁର ତହସିଲ ଓ ସୋନପୁର ଡିଆର୍‌ଡିଏରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରିଥିଲେ। ୨୦୦୬ରେ ସେ ବରିଷ୍ଠ କିରାଣିକୁ ପଦୋନ୍ନତି ପାଇଥିଲେ। ଏହା ପରେ ସୋନପୁରରେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଥିଲେ। ୨୦୧୮ ସେ ଓଆର୍‌ଏସ୍ ପାଇଁ ମନୋନୀତ ହୋଇଥିଲେ ଓ ବୌଦ୍ଧରେ ସହକାରୀ ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ। ସେଠାରେ ସେ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୧୯ରେ ଭୁବନେଶ୍ୱରର ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଇଥିଲେ ଚିତ୍ତରଂଜନ। ନିକଟରେ ୧୯.୧୦.୨୦୨୨ରେ ତାଙ୍କୁ ଓଏଏସ୍‌ ପାଇଁ ମନୋନୀତ କରାଯାଇଥିଲା। ଏହା ପରେ ସେ ଜଗତସିଂହପୁରରେ ଡେପୁଟୀ କଲେକ୍ଟର (ଜମି ଅଧିଗ୍ରହଣ) ଭାବେ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.