ଇରାନ ଆନ୍ଦୋଳନ : ଫୁଟବଲ ଖେଳାଳି ଅଲି ଦାଏଇଙ୍କ ପରିବାରକୁ ଦେଶ ଛାଡ଼ିବା ଉପରେ ରୋକ୍…

ତେହେରାନ : ଇରାନରେ ଚାଲିଥିବା ଜନ ଆନ୍ଦୋଳନକୁ ଚପାଇବାକୁ ଇରାନ ସରକାର କଠୋର ପଦକ୍ଷେପ ନେଉଛନ୍ତି । ଆନ୍ଦୋଳନକାରୀଙ୍କୁ ସରକାର ମୃତ୍ୟୁଦଣ୍ଡ ଦେବା ସହ ଦେଶର ଲୋକପ୍ରିୟ କଳାକାର, କ୍ରୀଡ଼ାବିତ, ଲେଖକମାନଙ୍କୁ ବନ୍ଦୀ କରୁଛନ୍ତି । ଯେଉଁମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି ଓ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି କେବଳ ସେମାନଙ୍କୁ ନୁହେଁ, ସେମାନଙ୍କ ପରିବାର ଲୋକମାନଙ୍କୁ ମଧ୍ୟ ନିର୍ଯ୍ୟାତନା ଦିଆଯାଉଛି ।

ଇରାନରେ କିମ୍ବଦନ୍ତୀ ପାଲଟିଥିବା ଫୁଟବଲ ଖେଳାଳି ଅଲି ଦଏଇଙ୍କ ପରିବାରକୁ ଇରାନ ସରକାର ନଜରବନ୍ଦୀ କରିଥିବା ସେ ଦାବି କରିଛନ୍ତି । ଏପରିକି ତାଙ୍କ ପରିବାରଲୋକଙ୍କୁ ବି ଦେଶଛାଡ଼ି ବାହାରକୁ ଯିବାକୁ ଦିଆଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଅଲି ଏବେ ଦୁବାଇରେ ଥିବାବେଳେ ସୋମବାରଦିନ ତାଙ୍କ ପରିବାର ତାଙ୍କୁ ଭେଟିବାକୁ ଦୁବାଇ ଯାଉଥିବା ଏକ ଫ୍ଲାଇଟରେ ବସିଥିଲେ । କିନ୍ତୁ ଫ୍ଲାଇଟକୁ ଦୁବାଇ ବଦଳରେ ଅନ୍ୟ ଏକ ଦ୍ବୀପକୁ ନିଆଯାଇଥିଲା ଓ ସେଠାରେ ଅଲିଙ୍କ ପତ୍ନୀ ଓ ଝିଅଙ୍କୁ ଓହ୍ଲାଇଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । କେଉଁ କାରଣରୁ ସେମାନଙ୍କୁ ଓହ୍ଲାଇ ଦିଆଗଲା ସେଥିପାଇଁ ଅଧିକାରୀମାନେ କୌଣସି ଜବାବ ଦେଇନାହାନ୍ତି ବୋଲି ଅଲି କହିଛନ୍ତି ।

ଇରାନରେ ଚାଲିଥିବା ଆନ୍ଦୋଳନକୁ ଅଲି ଖୋଲାଖୋଲି ସମର୍ଥନ କରିବା ପରେ ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବରରେ ମାସା ଅମିନିଙ୍କ ମୃତ୍ୟୁପରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ବି ଜାରି ରହିଛି । ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ୪୮୮ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି ବୋଲି ଇରାନୀୟ ମାନବାଧିକାର ସଂସ୍ଥା କହିଛି । ମୃତକଙ୍କ ମଧ୍ୟରେ ୬୦ ଜଣ ଶିଶୁ ଓ ୨୯ ଜଣ ମହିଳା ରହିଛନ୍ତି ।

nis-ad
Leave A Reply

Your email address will not be published.