କୋଭିଡ୍‌ ପରିସ୍ଥିତି ଯୋଗୁଁ ନିର୍ଦ୍ଧାରିତ ସମୟର ୭ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ରାଜ୍ୟସଭା

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଦ୍ରୁତ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବା କାରଣରୁ ନିର୍ଦ୍ଧାରିତ ସମୟର ୭ ଦିନ ପୂର୍ବରୁ ଆଜି ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରାଜ୍ୟସଭାର ୨୫୮ତମ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସମୟରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଲେ ଯେ, ସେ ଏହି ମହାନ୍‌ ଗୃହର ଅଂଶବିଶେଷ ହୋଇଥିବାରୁ ଗୌରବାନ୍ବିତ ମନେକରୁଛନ୍ତି।

ଅଧିବେଶନ ମୁଲତବୀ ଘୋଷଣା କରିବା ପୂର୍ବରୁ ସେ କହିଲେ, ଏହି ଅଧିବେଶନରେ ଚତୁରତା, ବିଦ୍ରୂପ, ହାସ୍ୟପରିହାସ ଏବଂ ବୁଦ୍ଧିମତ୍ତା ପ୍ରଦର୍ଶନ ହୋଇଛି। ଅଭିଜ୍ଞ ସଦସ୍ୟମାନଙ୍କଠାରୁ ମୁଁ ଏସବୁ ଆଗାମୀ ଅଧିବେଶନରେ ଅଧିକ ଆଶା କରୁଛି। ଏହି ଅଧିବେଶନ ୧୦୨% ଫଳପ୍ରଦ ହୋଇଛି। ସମୁଦାୟ ୬୪ ଘଣ୍ଟା ୫୦ ମିନିଟ୍‌ରେ ଗୃହ ୧୩ଟି ସିଟିଙ୍ଗ୍‌ ସମ୍ପନ୍ନ କରିଛି।

ବଡ଼ଦିନ, ପୋଙ୍ଗଲ୍‌, ଲୋହ୍‌ରି ଏବଂ ଅନ୍ୟାନ୍ୟ ପର୍ବପର୍ବାଣି ନିମନ୍ତେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୃହର ସଦସ୍ୟମାନଙ୍କୁ ଆଗୁଆ ଅଭିନନ୍ଦନ ଜଣାଇବା ସହିତ କହିଛନ୍ତି ଯେ, ବୃଦ୍ଧି ପାଉଥିବା କୋଭିଡ୍‌ ମହାମାରୀ ପ୍ରତି ସଜାଗ ରହି ସମସ୍ତେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଉଚିତ।

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସର୍ବସମ୍ମତ ନିଷ୍ପତ୍ତିକ୍ରମେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତକାଳୀନ ଅଧିବେଶନ ମୁଲତବୀ କରଯାଇଛି। ମୁଁ ଚାହୁଁଛି ରାହୁଲ୍‌ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ ଚାଲୁ ରଖନ୍ତୁ। ସେ ଯୁଆ‌ଡ଼େ ଯାଆନ୍ତି, ସେଠାରେ କଂଗ୍ରେସ ପରାସ୍ତ ହୁଏ ବୋଲି ପୂର୍ବରୁ ରେକର୍ଡ ରହିଛି। କିନ୍ତୁ, ଆଶା କରୁଛି ସେ ସ୍ବାସ୍ଥ୍ୟ ମାର୍ଗଦର୍ଶିକା ମାନିବେ।

ଗୃହ ମୁଲତବୀ ହେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.