ନବଜାତ ଶିଶୁପୁତ୍ରକୁ ଡଷ୍ଟବିନ୍ ପାଖରେ ପକାଇ ଦେଲା ସାବତ ମା’ !

କଟକ : ସାବତ ମା’ ସାଜିଲା ପିଶାଚୀ! ସ୍ୱାମୀଙ୍କ ଦ୍ୱିତୀୟ ସ୍ତ୍ରୀର ନବଜାତ ଶିଶୁପୁତ୍ରକୁ ଫୋପାଡ଼ି ଦେଲା! ଡଷ୍ଟବିନ ପାଖରୁ ପିଲାଟିକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି। ଏଭଳି ଏକ ଘଟଣା ଘଟିଛି କଟକ ବଡ଼ ଡାକ୍ତରଖାନାରେ।

ନବାଜାତ ଶିଶୁପୁତ୍ରଟି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ମାନସ ଜେନାଙ୍କର। ମାନସଙ୍କ ଦ୍ୱିତୀୟ ପତ୍ନୀ ବୁଧବାର ସକାଳେ ଏସସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଡାକ୍ତରଖାନାରେ ମାନସଙ୍କ ପ୍ରଥମ ସ୍ତ୍ରୀ ରହି ତାଙ୍କର ଦେଖାଶୁଣା କରୁଥିଲେ। ମାନସ ମଧ୍ୟ ଉପସ୍ଥିତ ଥିଲେ। ବୁଧବାର ରାତିରେ ମାନସଙ୍କ ଦ୍ୱିତୀୟ ପତ୍ନୀ ତାଙ୍କ ପୁଅ ସହ ମେଡିକାଲ ବେଡ୍‌ରେ ଶୋଇଥିଲେ। ରାତିରେ ହଠାତ୍ ନିଦ ଭାଙ୍ଗିଲାବେଳକୁ ପୁଅ ତାଙ୍କ ପାଖରେ ନଥିଲା। ଏନେଇ ସେ ମାନସଙ୍କୁ ଜଣାଇଥିଲେ। ମାନସ ଓ ଦୁଇ ପତ୍ନୀ ପିଲାଟିକୁ ଖୋଜାଖୋଜି କରିଥିଲେ,ହେଲେ ପାଇ ନଥିଲେ। ପରେ ଏକ ଶିଶୁ ତଳମହଲାର ଡଷ୍ଟବିନ୍‌ ନିକଟରେ ପଡ଼ିଥିବା ଜଣାପଡ଼ିଥିଲା। ମାନସ ସେଠାରେ ପହଞ୍ଚି ଶିଶୁଟି ତାଙ୍କର ବୋଲି ଚିହ୍ନଟ କରିଥିଲେ।  ଶିଶୁଟିକୁ ଉଦ୍ଧାର କରାଯାଇ ଏସଏନୟୁରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ସଂପର୍କରେ ମେଡିକାଲ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା।  ପୁଲିସ ମାନସଙ୍କ ସହ ତାଙ୍କର ୨ ପତ୍ନୀଙ୍କୁ ଥାନାକୁ ନେଇ ପଚରାଉଚରା କରିଛି। ସିସିଟିଭି ଯାଞ୍ଚ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ମାନସଙ୍କ ପ୍ରଥମ ପତ୍ନୀ ପିଲାଟିକୁ ଡଷ୍ଟବିନ୍ ପାଖରେ ପକାଇ ଦେଇଥିବା କୁହାଯାଉଛି। ତେବେ ମାନସ ଏ କଥାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋ ପୁଅକୁ କେହି ବୋଧେ ଚୋରି କରି ନେବାକୁ ଉଦ୍ୟମ କରୁଥିଲା। ହେଲେ ନ ନେଇ ପାରି ଡଷ୍ଟବିନ୍‌ ପାଖରେ ପକାଇ ଦେଇ ପଳାଇ ଦେଇଥିଲା। ମୋ ପୁଅର ହାତଗୋଡ଼ ଭାଙ୍ଗି ଯାଇଛି। ଏହି ଘଟଣା ପଛରେ ମୋ ପରିବାରର କୌଣସି ଲୋକଙ୍କର ହାତ ନାହିଁ।

nis-ad
Leave A Reply

Your email address will not be published.