ଭୁବନେଶ୍ୱର ଏମ୍‌ସକୁ ସଫଳତା: ଯୋଡ଼ି ହେଲା କଟା ହାତ, ନୂଆ ଜୀବନ ପାଇଲେ ବର୍ଷା

ଭୁବନେଶ୍ୱର: ଧାନ କଟା ମେଶିନରେ ହାତ କଟିଥିଲା। ୧୦ ଘଣ୍ଟାର ଅପରେଶନ୍‌ ପରେ କଟା ହାତ ଯୋଡ଼ି ହେଲା। ଭୁବନେଶ୍ୱର ଏମ୍‌ସ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗକୁ ଏହି ବିରଳ ସଫଳତା ମିଳିଛି।

ଘଟଣା ଥିଲା ଏମିତି । ଗତ ୯ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ସାମନ୍ତରାପୁର ଗାଁରେ ମେଶିନ୍‌ରେ ଧାନ କଟା ଯାଉଥିଲା।  ଧାନ କଟା ମେଶିନ ପାଖରେ ଛିଡ଼ା ହୋଇଥିଲେ ୨୫ ବର୍ଷୀୟା ବର୍ଷା ସାହୁ। ହଠାତ୍‌ ବର୍ଷାଙ୍କ ଚୁନେରୀ ମେଶିନରେ ଗୋଡ଼ାଇ ହୋଇ ଯାଇଥିଲା। କିଛି ଭାବିବା ଆଗରୁ ତାଙ୍କ ବାମ ହାତଟି ମେଶିନ ଭିତରକୁ ଟାଣି ହୋଇଯାଇଥିଲା। ମେଶିନରେ ଲାଗି ହାତ କଟି ଯାଇ ୫୦ ମିଟର ଦୂରରେ ଛିଟିକି ହୋଇ ପଡ଼ିଥିଲା।

ପରିବାର ଲୋକେ କଟା ହାତ ସହ ବର୍ଷାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ସରକାରୀ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ ରେଫର କରାଯାଇଥିଲା। ତେଣୁ ପରିବାର ଲୋକେ ବର୍ଷାଙ୍କୁ ଆଣି ଏମ୍‌ସରେ ଭର୍ତ୍ତି କରିଥିଲେ।

ଶରୀରରୁ ହାତ ଅଲଗା ହୋଇଯାଇଥିବାରୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ ଏମ୍‌ସ ଡାକ୍ତର। ସଙ୍ଗେ ସଙ୍ଗେ ଅପରେଶନ୍‌ ପାଇଁ ଟିମ୍‌ ଗଠନ କରିଥିଲେ।  ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଆରମ୍ଭ ହେଲା ଅପରେଶନ୍‌। ପୂରା ରାତି ଚାଲିଲା ଅପରେଶନ୍‌। ଜୀବନକୁ ବାଜି ଲଗାଇ ଅପରେଶନ୍‌ରେ ଲାଗି ପଡ଼ିଥିଲେ ପୂରା ଡାକ୍ତରୀ ଟିମ୍‌। ସକାଳ ୮ଟା ଅପରେଶନ୍‌ ସଫଳ ହୋଇଥିଲା। କଟି ଯାଇଥିବା ବର୍ଷାଙ୍କ ହାତ ଯୋଡ଼ି ହୋଇଥିଲା। ଏବେ ବର୍ଷା ସୁସ୍ଥ ଅଛନ୍ତି।

ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ସଞ୍ଜୟ କୁମାର ଗିରିଙ୍କ ନେତୃତ୍ୱରେ ଅପରେଶନ ହୋଇଥିଲା। ଏହି ଟିମ୍‌ରେ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ଡାକ୍ତର ଶାନ୍ତନୁ ସୁବା, ଡାକ୍ତର ପ୍ରିୟଙ୍କା ପନ୍ତ, ଡାକ୍ତର ଆଙ୍କାକ୍ଷା ରାଜପୁତ, ଡାକ୍ତର ବିଷ୍ଣୁ, ଆନେସ୍ଥେସିଆ ବିଭାଗ ଡାକ୍ତର ଜୟନ୍ତ ମିତ୍ର, ଡାକ୍ତର ହୃଶିକେଶ, ଡାକ୍ତର ଶୈଳଜା, ଅର୍ଥପେଡ଼ିକ୍ସ ବିଭାଗର ଡାକ୍ତର ନିଖଳ ଓ ଡାକ୍ତର ମନୋଜ ପ୍ରମୁଖ ସାମିଲ ହୋଇଥିଲେ।

ଏମ୍‌ସ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ସଞ୍ଜୟ କୁମାର ଗିରିଙ୍କ କହିବା ଅନୁସାରେ ଅପରେଶନ ବହୁତ ଆହ୍ୱାନପୂର୍ଣ୍ଣ ଥିଲା। ତେବେ ସ୍ଥାନୀୟ ଡାକ୍ତରଖାନାର ଡାକ୍ତର କଟା ହାତକୁ ପ୍ରିଜର୍ଭ କରି ପଠାଇଥିବାରୁ ଅପରେଶନ୍‌ ସହଜ ହୋଇଥିଲା। ଅପରେଶନ୍‌ରେ ସାମିଲ ଡାକ୍ତରଙ୍କ ପ୍ରଚେଷ୍ଟା ଯୋଗୁ ଏହା ସଫଳ ହୋଇଛି। ବର୍ଷାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୩ରୁ ୪ ମାସ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି।

ଅନ୍ୟପକ୍ଷରେ ବର୍ଷା କହିଛନ୍ତି, ହାତ ପୁଣି ଥରେ କେବେ ଯୋଡ଼ି ହେବ ବୋଲି ଭାବି ନଥିଲି। ବଞ୍ଚିବା ଲାଗି ମୋହ ଛାଡ଼ି ଦେଇଥିଲି। କିନ୍ତୁ ଦ୍ଵିତୀୟ ଭଗବାନ ଭାବେ ଡାକ୍ତରମାନେ ମୋତେ ନୂଆ ଜୀବନ ଦେଇଛନ୍ତି ବୋଲି ବର୍ଷା କହିଛନ୍ତି।

nis-ad
Leave A Reply

Your email address will not be published.