ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ନେଇ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକ ଶେଷ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାର ଆଶଙ୍କା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଏହି ବୈଠକରେ କରୋନା ପାଇଁ ପ୍ରସ୍ତୁତି, ଟିକାକରଣର ସ୍ଥିତି, ନୂତନ କୋଭିଡ-୧୯ ଭାରିଆଣ୍ଟର ଆଗମନ ଏବଂ ଏହାର ପ୍ରଭାବ ଆକଳନ କରିବା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ମାସ୍କ ପିନ୍ଧିବା ସହ କୋଭିଡ ପ୍ରୋଟୋକଲ ଅନୁସରଣ କରିବାକୁ ନିବେଦନ କରିଛନ୍ତି। ଏହା ସହ ଜିନୋମ ସିକ୍ୟୁଏନ୍ସିଂ ଏବଂ କୋଭିଡ ପରୀକ୍ଷା ବୃଦ୍ଧି କରିବାକୁ କହିଛନ୍ତି।

ପ୍ରଧାନମନ୍ତ୍ରୀ କରୋନା କଟକଣା ଉଲଂଘନ ନକରିବା ପାଇଁ ଲୋକଙ୍କୁ ଚେତାବନୀ ଦେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ ଦୋହରାଇଛନ୍ତି ଯେ କୋଭିଡ ଏପର୍ଯ୍ୟନ୍ତ ଶେଷ ହୋଇନାହାଁନ୍ତି। ବିଶେଷ କରି ଆନ୍ତର୍ଜାତୀୟ ବିମାନବନ୍ଦରରେ ଚାଲିଥିବା ନୀରିକ୍ଷଣ ପଦକ୍ଷେପକୁ ଦୃଢ଼ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସେ ବୃଦ୍ଧ ଓ ଅସୁସ୍ଥ ଲୋକଙ୍କୁ ବୁଷ୍ଟର ଡୋଜ ନେବାକୁ ନିବେଦନ କରିଛନ୍ତି। ଲୋକଙ୍କୁ କରୋନା କଟକଣା ମାନିବାକୁ ପରାମର୍ଶ ଦେବା ସହ ବୈଠକରେ ପ୍ରଧାନମନ୍ତ୍ରୀ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ କରୋନା ଯୋଦ୍ଧାମାନଙ୍କର ନିଃସ୍ୱାର୍ଥପର ସେବାକୁ ପ୍ରଶଂସା କରିଥିଲେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ଥିବାରୁ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ନାଜାଲ ଭାକ୍ସିନ ବା ନାକରେ ପଡ଼ୁଥିବା ଟିକା ଇନକୋଭାକକୁ ସରକାର ଅନୁମତି ଦେଇଛନ୍ତି । ଏ ସମ୍ପର୍କରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଅ ସଂସଦରେ ଘୋଷଣା କରିଛନ୍ତି । ଏହି ଟିକା ଆସିବା ପରେ ଟିକାକରଣ ଦ୍ରୁତତର ହେବାର ସମ୍ଭାବନା ରହିଛି ।

nis-ad
Leave A Reply

Your email address will not be published.