ଜେଲ୍‌କୁ ଫେରିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ରିମାଣ୍ଡ ଅବଧି ଶେଷ ହେବା ପରେ ଝାରପଡ଼ା ଜେଲ୍‌କୁ ଫେରିଛନ୍ତି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ତାଙ୍କୁ ଭୁବନେଶ୍ୱର ଏଡିଜେ-୩ କୋର୍ଟରେ ହାଜର କରାଯିବା ସହିତ ଆଉ ଥରେ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା। ଏଥର ୨ ଦିନିଆ ରିମାଣ୍ଡ ମାଗିଥିଲା ଇଡି। କିନ୍ତୁ କୋର୍ଟ ଇଡିର ଆବେଦନ ଖାରଜ କରି ଦେଇଥିଲେ।

ଡିଜିଟାଲ୍ ଏଭିଡେନ୍ସ ରିପୋର୍ଟ ଆଧାରରେ ଅର୍ଚ୍ଚନାଙ୍କୁ ଜେରା କରାଯିବ ବୋଲି ଦର୍ଶାଇ ଇଡି ପକ୍ଷରୁ ପୁଣି ରିମାଣ୍ଡ ଆବେଦନ କରାଯାଇଥିଲା। ତେବେ କୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିବା ବେଳେ ଇଡି ପକ୍ଷରୁ ଯେଉଁ କଥା କୁହାଯାଇଥିଲା, ସେଥିରୁ ଜଣାପଡ଼ୁଛି ରାଜ୍ୟ ଫୋରେନ୍‌ସିକ୍ ବିଭାଗ ଏହି କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସହିତ ଖେଳୁଛି।

ଇଡି ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ ଅର୍ଚ୍ଚନାଙ୍କୁ ଡିଜିଟାଲ ଏଭିଡେନ୍ସ ରିପୋର୍ଟ ଆଧାରରେ ପଚରାଉଚରା କରାଯିବାର ଆବଶ୍ୟକତା ଥିବା ବେଳେ ରାଜ୍ୟ ଫୋରେନ୍‌ସିକ୍ ବିଭାଗ ଉକ୍ତ ରିପୋର୍ଟ ଦେଉ ନାହିଁ। ରାଜ୍ୟ ଫୋରେନ୍‌ସିକ୍ ବିଭାଗ ଏହି ରିପୋର୍ଟ ଦେବାରେ ଜାଣିଶୁଣି ବିଳମ୍ବ କରୁଛି ବୋଲି ଇଡି ପକ୍ଷରୁ କୋର୍ଟରେ କୁହାଯାଇଥିଲା। ଏହି ଏଭିଡେନ୍ସ ମିଳିଥିଲେ, ତା’ଆଧାରରେ ଅର୍ଚ୍ଚନାଙ୍କୁ ପଚରାଉଚରା କରାଯାଇଥା’ନ୍ତା। କିନ୍ତୁ ତାହା ସମ୍ଭବ ହୋଇପାରିନି।

ପ୍ରଥମେ ୭ ଦିନ ଓ ପରେ ୬ଦିନ, ଏମିତି ୧୩ ଦିନ ଧରି ରିମାଣ୍ଡରେ ନେଇ ଅର୍ଚ୍ଚନାଙ୍କୁ ଜେରା କରିଛି ଇଡି। ଇଡିରେ ଜେରାର ସମ୍ମୁଖୀନ ହେବା ପୂର୍ବରୁ ସେ ମୁହଁ ଖୋଲିଲା ରାଜ୍ୟରେ ବଡ଼ ପରିବର୍ତ୍ତନ ହେବ ବୋଲି କହିଥିବା ଅର୍ଚ୍ଚନା କ’ଣ ସବୁ ଉଗାରିଛନ୍ତି, ସେ ସଂପର୍କରେ କିଛି ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଇଡିକୁ ଅର୍ଚ୍ଚନା ସହଯୋଗ କରି ନଥିବା ଜଣାପଡ଼ିଛି।

ଅର୍ଚ୍ଚନାଙ୍କ ଓକିଲ ଠାକୁର ସଂଗ୍ରାମ ସିଂ କହିଛନ୍ତି, ଯେଉଁ କାରଣ ଦର୍ଶାଇ ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ବୃଦ୍ଧି ପାଇଁ ଆବେଦନ କରାଯାଇଥିଲା, ତାହା ଠିକ୍ ନଥିଲା। ଅର୍ଚ୍ଚନା ତଦନ୍ତରେ ସହଯୋଗ କରୁ ନଥିବା କଥା ଠିକ୍ ନୁହେଁ। ଅର୍ଚ୍ଚନା ଓ ଜଗବନ୍ଧୁ ଯେମିତି ଉତ୍ତର ରଖିବା କଥା ସେମିତି ରଖୁଛନ୍ତି।

ସୂଚନାଯୋଗ୍ୟ, ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ୯ ଦିନିଆ ଇଡି ରିମାଣ୍ଡରେ ଅଛନ୍ତି। ସେ କି ତଥ୍ୟ ଦେଲେଣି, ତାହା ବି ଜଣାପଡ଼ିନି।

nis-ad
Leave A Reply

Your email address will not be published.