ଘରେ ପହଞ୍ଚି କୋଟିପତି ହେଲା ଦର୍‌ଘାରେ ଭିକ ମାଗି ଚଳୁଥିବା ୧୦ ବର୍ଷିୟ ବାଳକ

ରୁଡ଼କୀ: ରୁଡ଼କୀ ନିକଟସ୍ଥ ପିରାନ୍‌ କାଲିୟାର୍‌ ଶରୀଫ୍‌ ପରିସର ଭିତରେ ଓ ବାହାରେ ଭିକ୍ଷାମାଗି ଚଳୁଥିବା ଜଣେ ମଳିମୁଣ୍ଡିଆ ବାଳକ ସମ୍ପ୍ରତି ଘରକୁ ଫେରି କୋଟିପତି ହୋଇଯାଇଛି।

ସଂଗୃହୀତ ସୂଚନା ଅନୁସାରେ, ସେ ବାଳକଜଣକ ହେଉଛି ବର୍ଷେରୁ ଅଧିକ ହେବ ହଜି ଯାଇଥିବା ୧୦ ବର୍ଷିୟ ଶାହଜେବ୍‌ ଆଲାମ୍‌।

ଶାହଜେବ୍‌ ହେଉଛି ଉତ୍ତର ପ୍ରଦେଶର ସହାରଣପୁର ଜିଲ୍ଲା ଅନ୍ତର୍ଗତ ପଣ୍ଡୌଲୀ ଗ୍ରାମର ବାସିନ୍ଦା ମହମ୍ମଦ୍‌ ନୱେଦ୍‌ ଓ ଇମ୍‌ରାନା ବେଗମ୍‌ଙ୍କର ଏକମାତ୍ର ସନ୍ତାନ। ଦୀର୍ଘ ଦିନର ଅସୁସ୍ଥତା ପରେ ୨୦୧୯ରେ ମହମ୍ମଦ୍‌ ନୱେଦ୍‌ଙ୍କର ମୃତ୍ୟୁ ଘଟିଥିଲା। ନୱେଦ୍‌ଙ୍କ ମୃତ୍ୟୁର କିଛି ମାସ ପୂର୍ବରୁ ଇମ୍‌ରାନା ପୁଅ ଶାହଜେବ୍‌କୁ ନେଇ ଯମୁନାନଗରରେ ଥିବା ବାପଘରେ ରହୁଥିଲେ। ପରେ ସେ ରୋଜଗାର ଆଶାରେ ପିରାନ୍‌ କାଲିୟାର୍‌କୁ ଯାଇ ଏଣୁତେଣୁ କାମ କରି ଗୁଜରାଣ ମେଣ୍ଟାଇଲେ।

ଶାହଜେବ୍‌ର ଦୁର୍ଯୋଗକୁ ୨୦୨୧ରେ ଇମ୍‌ରାନାଙ୍କର କ‌ୋଭିଡ୍‌-୧୯ ଯୋଗୁଁ ମୃତ୍ୟୁ ଘଟିଲା। ତେଣୁ, ପଡ଼ୋଶୀମାନେ ଶାହଜେବ୍‌ଙ୍କୁ ପରାମର୍ଶ ଦେଲେ କି, ସେ ଯାଇ ପିରାନ୍‌ କାଲିୟାର୍‌ ଶରୀଫ୍‌ ଦର୍‌ଘାରେ ଆଶ୍ରୟ ନେଉ। ଶେଷରେ ବାପାମାଆ ଛେଉଣ୍ଡ ଶାହଜେବ୍‌ ତାହାହିଁ କଲା ଓ ଭିକମାଗି ଚଳିଲା।

କିନ୍ତୁ, ଶାହଜେବ୍‌କୁ ଜଣା ନ ଥିଲା ଯେ, ତା’ର ଜେଜେ ମହମ୍ମଦ୍‌ ୟାକୁବ୍‌ ତାଙ୍କ ସ୍ଥାବର ସମ୍ପତ୍ତିରୁ ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ତା’ ନାଁରେ (ଶାହ୍‌ଜେବ୍‌) ‘ୱିଲ୍‌’ କରିଯାଇଛନ୍ତି ବୋଲି। ୨୦୨୧ରେ ଜେଜେ ୟାକୁବ୍‌ଙ୍କ ମୃତ୍ୟୁ ପରେ ଆଇନଗତ ଭାବେ ଗୋଟାଏ ୨ ତାଲା କୋଠା ଓ ୫ ଭିଗା ଜମି ଶାହ୍‌ଜେବ୍‌ ନାଁକୁ ଗଲେ ବି ଶାହ୍‌ଜେବ୍‌ର ପତ୍ତା ମିଳୁ ନ ଥିଲା।

ବାଧ୍ୟ ହୋଇ ଶାହ୍‌ଜେବ୍‌ର ଆତ୍ମୀୟମାନେ ଚାରିଆଡ଼େ ଏ ଖବର ପ୍ରଘଟ କରିଦେବା ପରେ ଗତ ବୁଧବାର ଦିନ ଜାଣିଲେ ସେ ପିରାନ୍‌ କାଲିୟାର୍‌ରେ ଭିକମାଗି ଚଳୁଛି। ତୁରନ୍ତ ସେମାନେ ଆସି ଶାହ୍‌ଜେବ୍‌କୁ ସାଥିରେ ନେଇଗଲେ।

ଶାହ ଆଲାମ୍‌ ନାମରେ ଶାହ୍‌ଜେବ୍‌ଙ୍କର ଜଣେ ଆତ୍ମୀୟ କହିଛନ୍ତି, ଶାହ୍‌ଜେବ୍‌କୁ ଫେରି ପାଇଥିବାରୁ ଆମ ପରିବାରରେ ମହୋତ୍ସବ ପାଳନ ହେବା ପରି ଲାଗୁଛି। ଆମେ ତାକୁ ପାଇବାର ସବୁ ଆଶା ଛାଡ଼ିଦେଇଥିଲୁ।

nis-ad
Leave A Reply

Your email address will not be published.