ସଂସଦରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ଉଠାଇଲେ ସାଂସଦ ସୁରେଶ ପୂଜାରୀ

ନୂଆଦିଲ୍ଲୀ/ଭୁବନେଶ୍ବର: ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗକୁ ସଂସଦରେ ଉଠାଇଛନ୍ତି। ସଂସଦର ଶୀତକାଳୀନ ଅଧିବେଶନରେ ଶୁକ୍ରବାର ସେ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ହୋଇଥିବା ଆନ୍ଦୋଳନ ଫଳରେ ସମ୍ବଲପୁରରେ ଡିସେମ୍ବର ମାସ ୧୨ ତାରିଖରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଓକିଲମାନଙ୍କୁ ଗିରଫ କରାଯାଇଛି। ଏହା ପରେ ଓକିଲ ସଂଘର ସମସ୍ତ ସଭ୍ୟଙ୍କ ଲାଇସେନ୍ସକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସସପେଣ୍ଡ କରାଯାଇଛି। ବର୍ତ୍ତମାନ ସେଠାରେ ପରିସ୍ଥିତି ବହୁତ ଖରାପ ରହିଛି। ତେଣୁ ଏହି ମାମଲାରେ ହସ୍ତକ୍ଷେପ କରି ସ୍ବାଭାବିକ ପରିସ୍ଥିତି ଆଣିବା ଦିଗରେ ପ୍ରୟାସ କରିବା ପାଇଁ ସଂସଦରେ କେନ୍ଦ୍ର ଆଇନ ମନ୍ତୀଙ୍କୁ ମୁଁ ଅନୁରୋଧ କରୁଛି।

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ ଘଟଣାରେ ଓକିଲ ଓ ସାଧାରଣ ଲୋକଙ୍କ ଗିରଫଦାରି ଜାରି ରହିଛି। ଗୁରୁବାର ସୁଦ୍ଧା ଆନ୍ଦୋଳନ ଓ ଭଙ୍ଗାରୁଜା ‌ଘଟଣାରେ ମୋଟ ଗିରଫଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ପୂର୍ବରୁ ୧୫ ଜଣ ଆଇନ୍‌ଜୀବୀଙ୍କୁ ଗିରଫ କରା ଯାଇଥିଲାବେଳେ ଗୁରୁବାର ଆଉ ୧୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଏହି ୧୭ ଜଣଙ୍କ ମଧ୍ୟରେ ୮ ଜଣ ଆଇନ୍‌ଜୀବୀ, ୮ ଜଣ କିନ୍ନର ଓ ଜଣେ ସାଧାରଣ ଲୋକ ଅଛନ୍ତି।

ସୂଚନାଯୋଗ୍ୟ, ସମ୍ବଲପୁରରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ସୋମବାର ହିଂସାତ୍ମକ ରୂପ ନେଇଥିଲା। ଶୀର୍ଷ ଅଦାଲତଙ୍କ ଚେତାବନୀ ପ‌ରେ ବି ଆଇନଜୀବୀମାନେ କୋର୍ଟ ପରିସରରେ ପଶି ଭଙ୍ଗାରୁଜା କରିବା ସହ ଜିଲ୍ଲା ଜଜଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଏହା ସୁପ୍ରିମକୋର୍ଟଙ୍କୁ କ୍ଷୁବ୍ଧ କରିଥିଲା। ଆନ୍ଦୋଳନରତ ଓକିଲଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏ ନେଇ ଓଡ଼ିଶା ପୁଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ସମ୍ବଲପୁର ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା।

nis-ad
Leave A Reply

Your email address will not be published.