ଆଇଜି ଓ ଜିଲାପାଳଙ୍କ ଅଦାଲତ ପରିସର ପରିଦର୍ଶନ

ସମ୍ବଲପୁର : ଗତ ୧୨ ତାରିଖରେ ସମ୍ବଲପୁର ଜିଲା ଅଦାଲତ ପରିସରରେ ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ସମୟରେ ଘଟିଥିବା ଅପ୍ରିତିକର ଘଟଣାକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାକୁ ନେଇ ଏବେ ସମ୍ବଲପୁରରେ ବିଭିନ୍ନ ମହଲରେ ବ୍ୟାପକ ହଲଚଲ ଜାରି ରହିଥିବା ବେଳେ ବୁଧବାର ଅପରାହ୍ନରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ଡ. ଦୀପକ କୁମାର ଓ ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ଜିଲା ଅଦାଲତ ପରିସର ପରିଦର୍ଶନ କରିଛନ୍ତି। ଅପରାହ୍ନରେ ସୁପ୍ରିମକୋର୍ଟରେ ବିଭିନ୍ନ ପକ୍ଷମାନଙ୍କ ସହିତ ଓଡ଼ିଶା ପୁଲିସ ନିଜର ପକ୍ଷ ରଖିବା ପରେ ଉଚ୍ଚ ଅଧିକାରୀମାନଙ୍କର ଏହି ପରିଦର୍ଶନକୁ ନେଇ ବ୍ୟାପକ ଆଲୋଚନା ହେଉଛି।

ସୁପ୍ରିମକୋର୍ଟ ଏହି ମାମଲାରେ କଡା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା ଏବଂ ପ୍ରକୃତ କ୍ଷେତ୍ରରେ ହୋଇଥିବା ବ୍ୟବସ୍ଥାର ଯାଞ୍ଚ ସମେତ ସୁନିଶ୍ଚିତ ପାଇଁ ଆଇଜି ଡ. ଦୀପକ କୁମାର ଓ ଜିଲାପାଳ ଅନନ୍ୟା ଦାସ ସ୍ୱତନ୍ତ୍ର ରୂପେ ପରିଦର୍ଶନ କରିଛନ୍ତି। ଉଭୟ ଅଧିକାରୀ ପରିଦର୍ଶନ ପରେ ଅଦାଲତର ସୁଚାରୁ ରୂପେ କାର୍ଯ୍ୟ, ମୋକଦ୍ଦମାକାରୀଙ୍କ ହିତ ରକ୍ଷା, ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ତଦନ୍ତର ଅଗ୍ରଗତି ଆଦି ବିଭିନ୍ନ ବିଷୟରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧରଙ୍କ ସହିତ ଆଲୋଚନା କରି ଜିଲା ପୁଲିସକୁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ତପନ ମହାନ୍ତି, ଅଟୋ କୁଜୁରଙ୍କ ସମେତ ବିଭିନ୍ନ ସ୍ତରର ପୁଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.