ସ୍କୁଲ ଭିତରେ ମଳବର୍ଷା ଘଟଣାର ପୁନରାବୃତ୍ତି; ଅନ୍ୟ ସ୍କୁଲକୁ ସ୍ଥାନାନ୍ତର କଲେ ବ୍ଲକ ଶିକ୍ଷାଧିକାରୀ

ଛତ୍ରପୁର : ସ୍କୁଲ ଭିତରେ ମଳ ବର୍ଷା ହେବା ଘଟଣାରେ ଆଜି ଆଉ ପୁନରାବୃତ୍ତି ଘଟିଛି । ପୂର୍ବରୁ ଏହା ସ୍କୁଲ ଭିତରେ କେବଳ ଛାତ୍ରଛାତ୍ରୀ ମାନଙ୍କ ଉପରେ ପଡୁଥିବା ବେଳେ ଆଜି ଏହା ସ୍କୁଲ ବାହାରେ ଏବଂ ଅଭିଭାବକ ଓ ଗ୍ରାମବାସୀଙ୍କ ଉପରେ ପଡୁଥିବା ଅଭିଯୋଗ ହୋଇଛି । ଗତ ଶୁକ୍ରବାର ଦିନ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବିପିଳିଙ୍ଗି ପଂଚାୟତର ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଉପରେ ମଳ ବର୍ଷା ହେଉଥିବା ଅଭିଯୋଗ ହେବା ପରେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ର ଓ ବିପିଳିଙ୍ଗି ସିଆରସିସି ସିମାଂଚଳ ଗୌଡ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଏନେଇ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ଦ୍ୱାରା ସୋମବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗୀ ପଂଚାୟତର ତୁଡୁକପଲ୍ଲୀ ଗ୍ରାମରେ ଥିବା ସ୍କୁଲରେ ପହଂଚି ସାଇଣ୍ଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ଆରମ୍ଭ କରିଥିଲେ । ଏହା ସହ ସ୍କୁଲର ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ତେବେ ରାସ୍ତାରେ ପଡିଥିବା ମଳ ଛାତ୍ରଛାତ୍ରୀ ମାନଙ୍କ ଡ୍ରେସରେ ଲାଗିଥିବା ନେଇ କହିଥିଲେ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ । କିନ୍ତୁ, ବୁଧବାର ଏହାର ପୁନରାବୃତ୍ତି ଘଟିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପଣ୍ଡା ଛତ୍ରପୁର ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇବା ପରେ ଆଜି ସ୍କୁଲକୁ ଦିନ ଦୁଇଟା ପରେ ଛୁଟି କରିଦିଆଯାଇଥିଲା । ଏହା ସହ କିଛି ଦିନ ପାଇଁ ଏଠାରେ ପାଠ ପଢୁଥିବା ପିଲାମାନଙ୍କୁ ନିକଟରେ ଥିବା ଲୋକନାଥପୁର ହାଇସ୍କୁଲକୁ ସ୍ଥାନାନ୍ତରିତ କରାଯାଇଥିବା ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଏନେଇ ଗ୍ରାମବାସୀ ଏବଂ ଅଭିଭାବକ ମାନେ ରାଜି ହେଉନଥିବାରୁ ସ୍କୁଲର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷୟତ୍ରୀ ଏବଂ ବିପିଳିଙ୍ଗି ସିଆରସିସି ପ୍ରମୁଖ ଗ୍ରାମବାସୀ ଏବଂ ଅଭିଭାବକ ମାନଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି । ପରେ ଏନେଇ ଗ୍ରାମରେ ଏକ ବୈଠକ କରାଯିବ । ଏବଂ ଗୋଟାଏ ଦିନ ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଗ୍ରାମବାସୀ ମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେଲା ଛତ୍ରପୁର ବ୍ଲକର ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଉପରେ ମଳ ପଡୁଥିବା ସହ ମଧ୍ୟାହ୍ନ ଭୋଜନରେ ମଧ୍ୟ ମଳଛିଟା ପଡୁଥିବା ଅଭିଯୋଗ ହୋଇ ଆସୁଥିଲା । ଯାହା ଫଳରେ ପାଠ ପଢା ବାଧାପ୍ରାପ୍ତ ହେବା ସହ ପିଲାମାନେ ମଧ୍ୟ ସ୍କୁଲକୁ ଯିବା ପାଇଁ ଭୟ କରୁଥିଲେ । ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରୁଥିଲା । ସୋମବାର ସାଇଣ୍ଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ପୁଣି ଆଜି ଏହାର ପୁନରାବୃତ୍ତି ଘଟିଥିବା ଅଭିଯୋଗ ହେଉଛି ।

nis-ad
Leave A Reply

Your email address will not be published.