ଇନଫୋସିଟି ଥାନାରେ ହାଜର ହେଲେ ପୂର୍ବତନ ହକି ତାରକା ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ବହୁ ଚାଞ୍ଚଲ୍ୟ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଇନଫୋସିଟି ଥାନାରେ ହାଜର ହେଲେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା। ଏଡିସିପି, ଏସିପି, ଆଇଓଙ୍କ ଉପସ୍ଥିତିରେ ବୀରେନ୍ଦ୍ରଙ୍କୁ ପଚରାଉଚରା କରାଯାଉଛି। ବୀରେନ୍ଦ୍ରଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ଆନନ୍ଦଙ୍କ ବାପା।

ଫେବ୍ରୁଆରୀ ୨୮ ତାରିଖ ଦିନ ପ୍ରାୟ ୧୨ଟା ବେଳେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଆୟୁଷ ରେଡିୟମ ଫ୍ଲାଟ୍ ନମ୍ବର ୪୦୧ରେ ବେକରେ ଶାଢ଼ୀ ଲଗାଇ ଆନନ୍ଦ ଆତ୍ମହତ୍ୟା କରିଥିବା ବୀରେନ୍ଦ୍ର ଫୋନ୍‌ କରି ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କୁ ସୂଚନା ଦେଇଥିଲେ। ଏହା ପରେ ଆନନ୍ଦଙ୍କ ବାପା ବନ୍ଧନ ଭୁବନେଶ୍ୱରରେ ଆସିଥିଲେ। ହେଲେ ବୀରେନ୍ଦ୍ରଙ୍କ ଦେଖା ମିଳିନଥିଲା।
ଅନ୍ୟପକ୍ଷରେ ପୁଅ ଆନନ୍ଦଙ୍କ ବେକରେ ୨ଟି ଦାଗ ରହିଥିବା ବନ୍ଧନ ଦେଖିବାକୁ ପାଇଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ବୀରେନ୍ଦ୍ରଙ୍କ ନାଁରେ ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ ବନ୍ଧନ। ହେଲେ ପୁଲିସ୍‌ ଅଭିଯୋଗ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା। ପୁଲିସ୍‌ ମାମଲା ରୁଜୁ ନକରିବାରୁ ବନ୍ଧନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସେ ଆବେଦନରେ ଦର୍ଶାଇଥିଲେ, ପୁଅର ହତ୍ୟା ଘଟଣାରେ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ସମ୍ପୃକ୍ତି ନେଇ ଥାନାରେ ଏତଲା ଦେଇଥିଲି। ହେଲେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବନ୍ଧନ ଆବେଦନରେ ଦର୍ଶାଇଥିଲେ। ନଭେମ୍ୱର ୨୩ ତାରିଖରେ କୋର୍ଟ ମାମଲାର ବିଚାର କରି ଇନ୍‌ଫୋସିଟି ଥାନାରେ ଏତଲା ହୋଇଛି କି ନାହିଁ, ସେ ନେଇ ରିପୋର୍ଟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଇନ୍‌ଫୋସିଟି ଥାନା ଆଇଆଇସି ସମୀତା ମିଶ୍ର ଏତଲା ନରଖିବା ନେଇ ବିରକ୍ତ ପ୍ରକାଶ କରିଥିଲେ ଓଡ଼ିଶା ହାଇକୋର୍ଟ। ସେଥିପାଇଁ ଆଇଆଇସି ସମୀତା ମିଶ୍ରଙ୍କୁ ବର୍ଷେ ଫିଲ୍‌ଡ ପୋଷ୍ଟିଂ ନଦେବାକୁ ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖାଲି ସେତିକି ନୁହେଁ, ଆଇଆଇସି ସମୀତା ମିଶ୍ର ଆଗାମୀ ଦିନରେ କେମିତି ମାମଲା ଗୁଡ଼ିକ ପ୍ରତି ସମ୍ବେଦନଶୀଳ ହେବେ, ସେଥିପାଇଁ ତାଙ୍କୁ ଟ୍ରେନିଂରେ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ତାଙ୍କୁ ବିଜୁ ପଟ୍ଟନାୟକ ପୁଲିସ୍‌ ଏକାଡେମୀରେ ମାସେ ତାଲିମ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାସହ ନିଜେ ଭୁବନେଶ୍ୱର ଡିସିପି ଏହି ମାମଲାର ତଦାରଖ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

nis-ad
Leave A Reply

Your email address will not be published.