ଫିଫା ବିଶ୍ବକପ୍‌: ପ୍ରଥମ ଥର ସେମିରେ ମରକ୍କୋ

ଦୋହା : ମରକ୍କୋ ପୁଣି ଏକ ବିପର୍ଯ୍ୟୟ ଘଟାଇ ପ୍ରଥମ ଆଫ୍ରିକୀୟ ଦଳ ଭାବେ ଫିଫା ବିଶ୍ବକପ୍‌ର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଅଲ୍‌ ଥୁମାମା ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ତୃତୀୟ କ୍ବାର୍ଟରଫାଇନାଲ୍‌ରେ ମରକ୍କୋ ୧-୦ ଗୋଲ୍‌ରେ ପର୍ତୁଗାଲ୍‌କୁ ହରାଇ ଏହି ସଫଳତା ପାଇଛି। ଏହାଫଳରେ ରୋନାଲ୍ଡୋଙ୍କ ବିଶ୍ବକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌ ହୋଇଛି। ଏହା ପୂର୍ବରୁ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପୂର୍ବତନ ବିଜେତା ସ୍ପେନ୍‌କୁ ମଧ୍ୟ ହରାଇ ବିପର୍ଯ୍ୟୟ ଘଟାଇଥିଲା ମରକ୍କୋ।

ପ୍ରଥମ ଥର କ୍ବାର୍ଟର ଫାଇନାଲ୍‌ ଖେଳୁଥିବା ମରକ୍କୋ ଏହାର ରକ୍ଷଣଭାଗ ପାଇଁ ପରିଚିତ ହୋଇଛି। ଚଳିତ ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ଗୋଟିଏ ବି ଗୋଲ୍‌ ବରଣ କରିନଥିବା ମରକ୍କୋ କେବଳ ଗ୍ରୁପ୍‌ ପର୍ଯ୍ୟାୟରେ ନୟେଫ ଅଗୁଏର୍ଡଙ୍କ ଆତ୍ମଘାତୀ ଗୋଲ୍‌ ଯୋଗୁଁ ଗୋଟିଏ ଗୋଲ୍‌ ଏହା ବିପକ୍ଷରେ ଯାଇଥିଲା। ଏପରିକି ସ୍ପେନ୍‌ ବିପକ୍ଷ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ମଧ୍ୟ ମରକ୍କୋ ପୋଷ୍ଟ୍‌କୁ ଗୋଟିଏ ବି ବଲ୍‌ ଯାଇପାରିନଥିଲା। ପର୍ତୁଗାଲ୍‌ ବିପକ୍ଷରେ ବି ପ୍ରଥମାର୍ଦ୍ଧରେ ସମାନ ପ୍ରଦର୍ଶନ ଜାରି ରଖି ମରକ୍କୋ ‌ଡିଫେଣ୍ଡରମାନେ ଦଳକୁ ରକ୍ଷା କରିଥିଲେ। ୪୨ତମ ମିନିଟ୍‌ରେ ୟାହା ଅତିତାତ୍‌ ଅଲ୍ଲାଙ୍କ ଲମ୍ବା ପାସ୍‌କୁ ୟୁସୁଫ୍‌ ଏନ୍‌ ନେସିରି ଉଚ୍ଚ ହେଡର ଯୋଗେ ଗୋଲ୍‌ ଦେଇଥିଲେ। ଯଦିଓ ଗୋଲ୍‌ରକ୍ଷକ ଡିଏଗୋ କୋଷ୍ଟା ଏହାକୁ ଧରିବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ନେସିରିଙ୍କ ହେଡର ଉଚ୍ଚତା ପର୍ଯ୍ୟନ୍ତ ସେ ପହଞ୍ଚିପାରିନଥିଲେ। ତେବେ ୫୧ ମିନିଟ୍‌ରେ ରୋନାଲ୍ଡୋ ପଡ଼ିଆକୁ ଆସିବା ପରେ ପର୍ତୁଗାଲ୍‌ ଖେଳାଳିଙ୍କ ଭିତରେ ନୂଆ ଉର୍ଜା ଆସିଥିଲା। ଲଗାତାର ଭାବେ ଜେଆଓ ଫେଲିକ୍ସ ଓ ବ୍ରୁନୋ ଫର୍ଣ୍ଣାଣ୍ଡିସ୍‌ ୪ ମିନିଟ୍‌ ବ୍ୟବଧାନରେ ଦୁଇଥର ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେ ବି ତାହା ନିଷ୍ଫଳ ହୋଇଥିଲା। ତେବେ ୯୦+୩ ମିନିଟ୍‌ରେ ଦ୍ବିତୀୟ ଥର ଫାଉଲ୍‌ ମାରିଥିବା ମରକ୍କୋର ୱାଲିଦ୍‌ ଚେଦିରାଙ୍କୁ ରେଫରି ରେଡ୍‌ କାର୍ଡ ଦେବାରୁ ଅବଶିଷ୍ଟ ସମୟ ୧୦ ଜଣଙ୍କୁ ନେଇ ଖେଳିବାକୁ ପଡ଼ିଥିଲା। ଏହା ଚଳିତ ବିଶ୍ବକପ୍‌ରେ ଚତୁର୍ଥ ରେଡ୍‌ କାର୍ଡ ଥିଲା। ତଥାପି ପର୍ତୁଗାଲ ଏହାର ଫାଇଦା ଉଠାଇ ପାରିନଥିଲା।

ଦ୍ବିତୀୟ ଥର ବେଞ୍ଚ୍‌ରେ ରୋନାଲ୍ଡୋ
ବିଶ୍ବକପ୍‌ରେ ଦ୍ବିତୀୟ ଥର ପାଇଁ ତାରକା ଫୁଟ୍‌ବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ବେଞ୍ଚ୍‌ରେ ବସିଥିଲେ। ମରକ୍କୋ ବିପକ୍ଷ କ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ରେ ରୋନାଲ୍ଡୋ ଆରମ୍ଭ ଏକାଦଶରେ ଖେଳିନଥିଲେ। ପ୍ରଥମାର୍ଦ୍ଧରେ ପର୍ତୁଗାଲ୍‌ ପଛୁଆ ରହିଯିବା ପରେ ଦ୍ବିତୀୟାର୍ଦ୍ଧ‌ର ୫୧ତମ ମିନିଟ୍‌ରେ ରୁବେନ ନେଭେସ୍‌ଙ୍କ ସ୍ଥାନରେ ରୋନାଲ୍ଡୋ ବଦଳ ଖେଳାଳି ଭାବେ ପଡ଼ିଆକୁ ଆସିଥିଲେ। ଏଥିପୂର୍ବରୁ ପ୍ରିକ୍ବାର୍ଟରଫାଇନାଲ୍‌ରେ ମଧ୍ୟ ରୋନାଲ୍ଡୋ ଆରମ୍ଭରୁ ଖେଳିବାକୁ ଆସିନଥିଲା ବେଳେ ୭୩ ମିନିଟ୍‌ରେ ଜୋଆଓ ଫେଲିକ୍ସଙ୍କ ବଦଳରେ ପଡ଼ିଆକୁ ଆସିଥିଲେ। ଏପରିକି କିଛି ସମୟ ପରେ ସେ ଏକ ଗୋଲ୍‌ ଦେଇଥିଲେ। କିନ୍ତୁ ତାହା ଅଫ୍‌ସାଇଡ୍‌ ହୋଇଯାଇଥିଲା। ଲିଗ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ପର୍ତୁଗାଲ୍‌ ୧-୨ ଗୋଲ୍‌ରେ ଦକ୍ଷିଣ କୋରିଆଠୁ ହାରିଥିଲା। ଏହି ମ୍ୟାଚ୍‌ରେ ମଧ୍ୟ ତାଙ୍କୁ ୬୫ତମ ମିନିଟ୍‌ରେ ପଡ଼ିଆରୁ ବାହାରକୁ ଡାକି ଦିଆଯାଇଥିଲା।

nis-ad
Leave A Reply

Your email address will not be published.