କିଏ ହେବେ ମୁଖ୍ୟମନ୍ତ୍ରୀ? ହାଇକମାଣ୍ଡ ନେବେ ନିଷ୍ପତ୍ତି

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ କାରିବାକୁ ବହୁମତ ପାଇଥିଲେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଛକପଞ୍ଝା ଜାରି ରହିଛି। କଂଗ୍ରେସ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ କରି ନିର୍ବାଚନ ଲଢ଼ୁଥିଲା।

ନିର୍ବାଚନ ଜିତିବା ପରେ ଆଜି ନବ ନିର୍ବାଚିତ ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ବିଧାୟକ ଦଳ ନେତାଙ୍କୁ ଚୟନ କରାଯିବାର ଥିଲା। କିନ୍ତୁ ବୈଠକରେ କୌଣସି ନାଁ ଉପରେ ବି ମୋହର ବାଜିନି। ବିଧାୟକମାନେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଗୋଟିଏ ସଂକଳ୍ପ ପାରିତ କରିଛନ୍ତି।

ଏହି ଧାଡ଼ିକା ସଂକଳ୍ପ ପତ୍ରରେ ମୁଖ୍ୟମନ୍ତ୍ରୀ ବାଛିବା ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଛଡ଼ା ଯାଇଛି। ହାଇକମାଣ୍ତ ଯାହାକୁ ବାଛିବେ, ସେ ହିଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ବିଧାୟକ ଦଳ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିଦାବର ଥିବା ୪ ନେତା ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏମାନଙ୍କ ମଧ୍ୟରୁ ସବୁଠାରୁ ଆଗରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ନେତା ଭିର୍ଦ୍ଦିଭ ସିଂହଙ୍କ ପତ୍ନୀ ପ୍ରତିଭା ସିଂହ। ସେ ହିମାଚଳ ପ୍ରଦେଶ କଂଗ୍ରେସ ମୁଖ୍ୟ। ତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ମଧ୍ୟ ଲଢ଼ିଥିଲା। ସେ ମଧ୍ୟ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିବା କହିଛନ୍ତି। ଆଜି ତାଙ୍କ ସମର୍ଥକମାନେ ଏକାଠି ହୋଇ ହାଇକମାଣ୍ତଙ୍କୁ ନିଜର ଦାବି ମଧ୍ୟ ଜଣାଇଛନ୍ତି।

ପ୍ରତିଭାଙ୍କ ବ୍ୟତୀତ କଂଗ୍ରେସର ପୂର୍ବତନ ରାଜ୍ୟ ମୁଖ୍ୟ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ରହିଛନ୍ତି। କଂଗ୍ରେସ ବିରୋଧ ଦଳରେ ଥିବା ବେଳେ ଏହାର ନେତା ଭାବେ କାର୍ଯ୍ୟ କରୁଥିବା ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ରାଜ୍ୟର ଟପ୍‌ ପଦ ପାଇଁ ଦାବିଦାର ରହିଛନ୍ତି। ହର୍ଷବର୍ଦ୍ଧନ ଚୌହାନଙ୍କ ସମର୍ଥକମାନେ ମଧ୍ୟ ତାଙ୍କ ସପକ୍ଷରେ ଲବି ଆରମ୍ଭ କରିଛନ୍ତି। ଏପରି ଟଣାଓଟରା ଚାଲିବା କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ତେଣୁ ନବ ନିର୍ବାଚିତ ବିଧାୟକମାନେ ଗୋଟିଏ ସଂକଳ୍ପ ପାରିତ କରି ହାଇକମାଣ୍ଡଙ୍କ ଉପରେ ସବୁ ଦାୟିତ୍ୱ ଛାଡ଼ି ଦେଇଛନ୍ତି।

ସୁଖୁଙ୍କ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହେବାକୁ ଆଦୌ ଆଶା କର ନଥିବା କହିଛନ୍ତି। ସେ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହେଁ। ମୁଁ ଜଣେ ଶୃଙ୍ଖଳିତ ସୈନ୍ୟ। କଂଗ୍ରେସ ଦଳ ଓ ବିଧାୟକ ଭାବେ ମୁଁ କାମ କରୁଛି ଏବଂ ଆଗକୁ ମଧ୍ୟ ମୋର କାମ ଜାରି ରହିବ। ହାଇକମାଣ୍ଡଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ।”

ଆଜିର ବିଧାୟକ ଦଳ ବୈଠକ ପୂର୍ବରୁ କଂଗ୍ରେସର ପର୍ଯ୍ୟବେକ୍ଷକ ଭାବେ ହିମାଚଳ ପ୍ରଦେଶରେ ନିଯୁକ୍ତି ପାଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ସିଂହ ହୁଡ୍ଡା ଓ ହିମାଚଳ ପ୍ରଦେଶ କଂଗ୍ରେସର ପ୍ରଭାରୀ ରାଜୀବ ଶୁକ୍ଳା ରାଜ୍ୟପାଳଙ୍କୁ ଭେଟିଥିଲେ। ସେମାନେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ରାଜ୍ୟପାଳଙ୍କୁ ଦେଇ ସରକାର ଗଠନ କରିବାକୁ ଦାବି ଜଣାଇଥିଲେ।

ହିମାଚଳ ପ୍ରଦେଶ ବିଧାନସଭାର ୬୮ଟି ଆସନରୁ କଂଗ୍ରେସ ୪୦ଟିରେ ଜିତିଥିବା ବେଳେ ବିଜେପି ୨୫ଟି ଓ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ଜିତିଛନ୍ତି।

nis-ad
Leave A Reply

Your email address will not be published.