ଶୂନ୍ୟକାଳରେ ବହୁବିଧ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ

ନୂଆଦିଲ୍ଲୀ : ବୁଧବାର ଦିନ ଲୋକସଭା‌ ଶୂନ୍ୟକାଳରେ ବିଜେଡିର ଚାରି ଜଣ ସାଂସଦ ଭିନ୍ନ ଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପରିଚାଳନା ମାର୍ଗଦର୍ଶିକାରେ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଢେଙ୍କାନାଳ ସାଂସଦ ମହେଶ ସାହୁ ଜାତୀୟ ରାଜପଥ-୫୫ ଅବ୍ୟବସ୍ଥା ସଂପର୍କରେ ଉଲ୍ଲେଖ କରିଥିଲେ। ସେ କହିଲେ ଯେ ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ମରାମତି ନ ହେବା ଯୋଗୁ ୨୧ ଜଣଙ୍କ ମୃତ୍ୟୁ ହେଲାଣି। ବିଭାଗୀୟ ମନ୍ତ୍ରୀଙ୍କ ସହିତ ବିଚାରବିମର୍ଶ କରାଯିବା ପରେ ମଧ୍ୟ ରାସ୍ତା ନିର୍ମାଣର କାର୍ଯ୍ୟ କେବେ ତ୍ବରାନ୍ବିତ ହେବ ସେ ନେଇ କିଛି ସ୍ପଷ୍ଟତା ନାହିଁ। ରାସ୍ତା ନିର୍ମାଣ ପ୍ରତି କେନ୍ଦ୍ର ସରକାର ତ୍ବରିତ ପଦକ୍ଷେପ ନିଅନ୍ତୁ, ନଚେତ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି ସାଂସଦ ଶ୍ରୀ ସାହୁ ଆଶଙ୍କା ବ୍ୟକ୍ତ କରିଥିଲେ।

ସେହି ପରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ‘ମିଶନ୍‌ ଫର୍‌ ଇଣ୍ଟିଗ୍ରେଟେଡ୍‌ ଡେଭଲପ୍‌ମେଣ୍ଟ ଅଫ୍‌ ହର୍ଟିକଲଚର୍‌’ ଯୋଜନାରେ ସହାୟତା ବୃଦ୍ଧି କରିବା ପାଇଁ ଦାବି କରିଥିଲେ। ଏହା ଦ୍ବାରା ଓଡ଼ିଶା ସମେତ ଦେଶର ଚାଷୀମାନଙ୍କ ଆୟ ଦୁଇଗୁଣା ହୋଇପାରିବ। କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ କେନ୍ଦୁପତ୍ର ଉପରେ ଜିଏସ୍‌ଟି ଲାଗୁ କରାଯିବା ପ୍ରସଙ୍ଗ ଉଠାଇଥିଲେ। ସେ କହିଲେ, କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗିବା ଦ୍ବାରା କେନ୍ଦୁପତ୍ର ତୋଳାଳିମାନେ କ୍ଷତିଗ୍ରସ୍ତ ହେଉଛନ୍ତି ଓ ସେମାନଙ୍କ ଜୀବନଜୀବିକା ଉପରେ ପ୍ରଭାବ ପଡ଼ୁଛି। ତେଣୁ କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ସେ ଦାବି କରିଥିଲେ। ଏ ସମ୍ପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିବା ସେ ଉଲ୍ଲେଖ କରିଥିଲେ। ଲୋକସଭାରେ ନିୟମ ୩୭୭ ଆଧାରରେ ବିଜେପି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତିପୂରଣ ରାଶି ଅନିୟମିତା ପ୍ରସଙ୍ଗ ଉଠାଇଥିଲେ।

nis-ad
Leave A Reply

Your email address will not be published.